ବଡମ୍ବା ଗଡ଼ର ୪୦୦ ବର୍ଷର ପରମ୍ପରା ଚନ୍ଦନ ମହୋତ୍ସବ, ମହୋତ୍ସବରେ ହେଉଛି ପ୍ରବଳ ଭକ୍ତଙ୍କ ସମାଗମ

ସୁସଜ୍ଜିତ ବିମାନରେ ବିଜେ କରିଛନ୍ତି ମଦନ ମହନ । ତାଳକୁ ତାଳ ମିଶାଇ ଘଣ୍ଟ ବଜାଉଛନ୍ତି ଘଣ୍ଟୁଆ । ବାଡ଼ିଖେଳ ସାଙ୍ଗକୁ ସମରକଳା ଦେଖିବାକୁ ମିଳିଛି । ଗଡଜାତ ଅମଳରୁ ଏଠାରେ ପାଳିତ ହୋଇ ଆସୁଛି ଚନ୍ଦନ ମହୋତ୍ସବ । ଦୀର୍ଘ ୪୦୦ବର୍ଷର ପୁରୁଣା ପରମ୍ପରା ବଡମ୍ବାର ଚନ୍ଦନ ଯାତ୍ରା ।

କେନ୍ୟୁଜ୍‌(ବ୍ୟୁରୋ) : ଘଣ୍ଟ ଓ ଶଙ୍ଖନାଦରେ ମୁଖରିତ ହୋଇ ଉଠୁଛି ମନ୍ଦିର ପରିସର । ସୁସଜ୍ଜିତ ବିମାନରେ ବିଜେ କରିଛନ୍ତି ମଦନ ମହନ । ତାଳକୁ ତାଳ ମିଶାଇ ଘଣ୍ଟ ବଜାଉଛନ୍ତି ଘଣ୍ଟୁଆ । ଏହାସହ ବାଡ଼ିଖେଳ ସାଙ୍ଗକୁ ସମରକଳା ଦେଖିବାକୁ ମିଳିଛି । ଘୋଡ଼ାନାଚ, ଯୋଡ଼ିଶଙ୍ଖ ଓ ମହିଳାଙ୍କ ସଂକୀର୍ତ୍ତନର ନିଦର୍ଶନ ଦେଖିବାକୁ ମିଳିଛି ଏଠାରେ । ଗଡଜାତ ଅମଳରୁ ଏଠାରେ ପାଳିତ ହୋଇ ଆସୁଛି ଚନ୍ଦନ ମହୋତ୍ସବ । ପ୍ରାୟ ୪୦୦ ବର୍ଷ ବିତିସାରିଛି ଏହି ମହୋତ୍ସବକୁ । ଆଧ୍ୟାତ୍ମିକତା ସାଙ୍ଗକୁ ପାରମ୍ପରିକ କଳାର ନିଦର୍ଶନ ଏଠାରେ ଦେଖିବାକୁ ମିଳିଥାଏ ।

ଦୀର୍ଘ ୪୦୦ବର୍ଷର ପୁରୁଣା ପରମ୍ପରା ବଡମ୍ବାର ଚନ୍ଦନ ଯାତ୍ରା । ଗୋଟିଏ ଦିନରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ୨୧ଦିନ ଧରି ପାଳିତ ହେଉଛି । ଅଞ୍ଚଳବାସୀ ବହୁ ଧୂମଧାମର ସହ ପାଳନ କରିଥାନ୍ତି ଏହି ପର୍ବକୁ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ଧରି ଚାଲିଥାଏ ଏହି ପର୍ବ । ପ୍ରଥମେ ବଡମ୍ବା ରାଜବାଟିରେ ପୂଜା ପାଉଥିବା  ଗୋପୀନାଥ, ରାଧାନାଥ ଓ ଲୋକନାଥ ଠାକୁରଙ୍କୁ ବିଭିନ୍ନ ବିମାନରେ ବିରାଜମାନ କରାଯାଇଥାଏ । ବହୁ ଆଡ଼ମ୍ବରରେ ବାଣ ରୋଶଣୀରେ ସାରା  ବଡମ୍ବା  ଗଡ଼ ପରିକ୍ରମା କରିଥାନ୍ତି ଠାକୁର । ଏହାପରେ ଚନ୍ଦନ ପୋଖରୀରେ ବନ ବିଭାଗ ତରଫରୁ ସୁସଜ୍ଜିତ ଥିବା ଡଙ୍ଗାରେ ବିରାଜମାନ କରିଥାନ୍ତି ଠାକୁର । ଜଳକ୍ରୀଡ଼ା ସରିବା ପରେ ପୁନଶ୍ଚ ରାଜବାଟୀ ଅଭିମୁଖେ ଯାତ୍ରା କରିଥାନ୍ତି । ଏହିପରି ଭାବେ ୨୧ଦିନ ଧରି ଚାଲିଥାଏ ।

ଉତ୍ସବ ମୁଖର ହୋଇ ଉଠିଛି ବଡମ୍ବା ଗଡ଼ । ଏହାସହ ଅନୁଷ୍ଠିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଲୋକେ ମେଳାର ମଜା ଉଠାଉବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଛନ୍ତି । ଆଉ କିଏ ବୁଡ଼ି ଯାଉଛି ଇଶ୍ୱର ଭକ୍ତିରେ । ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଲୋକ ଆଖପାଖ ଅଞ୍ଚଳରୁ ଚନ୍ଦନ ମହୋତ୍ସବ ଦେଖିବାକୁ ଆସୁଛନ୍ତି । ପାରମ୍ପାରିକ ବାଦ୍ୟର ତାଳେ ତାଳେ  ଝୁମିବା ସହ ବହୁ ପୁରୁଣା ପରମ୍ପରା ଯେପରି ପାଇକ ଖେଳ, ଲଉଡିବାଡି, ବୁଢାବୁଢି  ନାଚ  ଦେଖିବାର ସୁଯୋଗ ପାଉଛନ୍ତି । ଲୋକଙ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ  ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.