୫ ଅନାଥ ଶିଶୁଙ୍କ ଦୁଃଖ କହିଲେ ନସରେ, ଓଳିଏ ଖାଇଲେ ଓଳିଏ ରହୁଛନ୍ତି ଉପବାସ

ଉଦଳା: ବାପା ଓ ମାଆ ଚାଲିଗଲା ପରେ ୫ ଶିଶୁ ଏବେ ଅନାଥ । ଗଣ୍ଡାଏ ଖାଇବା ଓ ବଞ୍ଚିବା ପାଇଁ କରୁଛନ୍ତି ସଂଗ୍ରାମ । ୫ ଶିଶୁଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ବାପା ଓ ମାଆ ଆରପାରିକୁ ଚାଲିଗଲା ପରେ ୧୦ବର୍ଷର ଝିଅ ଜେମା ସିଂ ପର ଘରେ କାମ କରି ତାର ଭାଇ ଓ ଭଉଣୀ ମାନଙ୍କ ପାଇଁ ସାହାରା ପାଲଟିଛି ।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ରାଣୀପୋଖରୀ ପଞ୍ଚାୟତ ପ୍ରଧାନ ସାହି ଗ୍ରାମର ୫ ଅନାଥ ଶିଶୁଙ୍କ ଦୁଃଖ କହିଲେ ନସରେ । ଉକ୍ତ ଗ୍ରାମର କୃପା ସିଂଙ୍କ ଦୁଇ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ମୁତୁଲୁ ଦୁଇ ମାସ ହେବ ଅଜଣା ରୋଗରେ ଆରପାରିରେ । ଏହା ପରେ ୫ଶିଶୁଙ୍କ ବଞ୍ଚିବା ଏକ ପ୍ରକାର ଅନ୍ଧାର ଭିତରେ । ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡୁଛି । କାହିଁକି ନା ବାପା ଓ ମାଆ ଚାଲିଗଲା ପରେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି ଏମାନେ । ଜେମା ସିଂ, ୮ବର୍ଷର ପିଟୁ ସିଂ, ୭ ବର୍ଷର ରାନ୍ଦୟ ସିଂ, ୩ ବର୍ଷର ବୁଡାନ ସିଂ ଓ ୨ବର୍ଷ ର ପୁଅ ବାହାଦୁର ସିଂ ଏବେ ନିଜର ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ।

ସତରେ ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନି । କୃପାଙ୍କ ବଡ ଝିଅ ଜେମା ୪ ଭାଇ ଓ ଭଉଣୀଙ୍କ ପାଇଁ ପର ଘରେ କାମ କରି ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ କରୁଛି । ବାପା ଓ ମାଆ ଚାଲି ଗଲା ପରେ ସତେ ଯେମିତି ଅନ୍ୟ ଭାଇ ଓ ଭଉଣୀଙ୍କ ପାଇଁ ନିଜେ ବାପା ଓ ମାଆ ପରି ସବୁ କିଛି କାମ କରିଚାଲିଛି । ଏପରି କି ଭାଇ ଓ ଭଉଣୀଙ୍କ କଥା ବୁଝିବା ଦ୍ଵାରା ଅନେକ ସମୟରେ ସ୍କୁଲକୁ ବି ଯାଇପାରେ ନାହିଁ ଜେମା । ଅନାଥ ଶିଶୁଙ୍କ କକା ଜଣେ ଦିନ ମଜୁରିଆ । ସେ ଯାହା ଯେମିତି ପାରନ୍ତି ପିଲାମାନଙ୍କ କଥା ବୁଝିଥାନ୍ତି ।

ବାସି ପଖାଳ ସାଙ୍ଗକୁ ସାଗ ଖରଡା ନହେଲେ ଲୁଣ ଓ କଞ୍ଚା ଲଙ୍କା । ଏହା ହିଁ ଏହି ଅନାଥ ପିଲା ମାନଙ୍କର ନିତିଦିନିଆ ଖାଦ୍ୟ । ଯେଉଁ ବୟସରେ ଖେଳି ବୁଲିବା କଥା ସେ ସମୟରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଏହି ୫ ଅନାଥ ଶିଶୁ । ଭଲ ଭାବରେ ଦେଖନ୍ତୁ ବଡ ଭଉଣୀ ଜେମା ତାର ସାନ ଭାଇ ଓ ଭଉଣୀଙ୍କୁ ମୁଣ୍ଡ କୁଣ୍ଡାଇ ଦେଉଛି ଓ ଖାଇବା ପାଇଁ ଦେଉଛି । ନିଜର କଷ୍ଟ ଓ ଦୁଃଖକୁ ଭୁଲି ପର ଘରେ କାମ କରିବା ସହ, ଛେଳି ଚରାଇ ସେ ନିଜର କର୍ତ୍ତବ୍ୟ କରିଚାଲିଛି ।ପଢିବାର ଇଛା ଥିଲେ ମଧ୍ୟ ଗରିବୀ ଏମାନଙ୍କ ପାଇଁ ବାଧକ ସାଜିଛି । ତେବେ ସରକାରୀ ହେଉ କି ବେସରକାରୀ ସ୍ତରରେ ହେଉ ଉକ୍ତ ଅନାଥ ପିଲାମାନଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ ।