ରାତି ସାରା ଟ୍ରାକ୍‌ ପାର୍ଶ୍ୱରେ ଜୀବନ ସହ ସଂଘର୍ଷ କରୁଥିଲେ, ଶିଶୁକୁ ରେଳ ଧାରଣାରୁ ଉଦ୍ଧାର କଲେ ଆର୍‌ପିଏଫ୍‌

ରେଢ଼ାଖୋଲ : କଥାରେ କୁହନ୍ତି ‘ରଖେ ହରି ତ ମାରେ କିଏ’ । ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଏଇ ୫ ବର୍ଷର ଶିଶୁ । ଯିଏ କି ମୃତ୍ୟୁର ଦ୍ୱାର ନିକଟରୁ ଫେରି ଆସିଛନ୍ତି । ଟିକିଏ ଅସାବଧାନତା ଯୋଗୁ ଜୀବନ ଯାଉ ଯାଉ ଅଳ୍ପକେ ରକ୍ଷା ହୋଇଯାଇଛି । ଟ୍ରେନ୍‌ରୁ ଖସି ପଡ଼ିଥିଲେ ୫ ବର୍ଷୀୟ ପୁଅ ପ୍ରୀତିଶପ୍ରଜ୍ଞା ହୋତା । ସାରା ରାତି ଟ୍ରାକ୍‌ ପାର୍ଶ୍ୱ ଘଞ୍ଚ ଜଙ୍ଗଲରେ କ୍ଷତାକ୍ତ ଅବସ୍ଥାରେ ପଡ଼ି ଜୀବନ ସହିତ ସଂଘର୍ଷ କରୁଥିଲେ । ଖବର ପାଇ ଆର୍‌ପିଏଫ୍‌ ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଦୁଃଖଦ ଘଟଣା ରେଢ଼ାଖୋଲ ଷ୍ଟେସନ୍‌ ନିକଟରେ ଘଟିଛି ।

ତେବେ ରାତି ପ୍ରାୟ ୨ଟା ହେବ । ବଗିରେ ସମସ୍ତେ ଶୋଇପଡ଼ିଥିଲେ। ବଗି ଭିତରେ ଝାପସା ଝାପସା ଲାଇଟ୍‌ ଜଳୁଥିଲା। ଅନ୍ଧକାର ରାତିରେ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥିଲା ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ । ଏହାରି ଭିତରେ ଏଇ ଶିଶୁ ସହ ଘଟିଗଲା ଏଭଳି କିଛି । ବ୍ରହ୍ମପୁର ମାନସ ହୋତାଙ୍କ ପୁଅ ପ୍ରୀତିଶପ୍ରଜ୍ଞା ହୋତା ଓ ପରିବାର ସଦସ୍ୟଙ୍କ ସହ ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନ୍‌ରେ ଛତିଶଗଡ଼ରୁ ଭୁବନେଶ୍ୱର ଆସୁଥିଲେ । ରାତିରେ ଟ୍ରେନ୍‌ ଛାଡ଼ିଥିବାରୁ ସମସ୍ତେ ସଂରକ୍ଷଣ ବଗିରେ ଆସିଥିଲେ ।

ଟ୍ରେନ୍‌ର ହର୍ଣ୍ଣ ଶବ୍ଦରେ ପ୍ରୀତିଶପ୍ରଜ୍ଞାଙ୍କ ନିଦ ଭାଙ୍ଗି ଯାଇଥିଲା । ସେ ଆଖି ମଳିମଳି ଟ୍ରେନ ଗେଟ୍‌ ପାଖକୁ ଚାଲି ଆସିଥିଲେ । ଅସାବଧାନତା ଯୋଗୁ ପ୍ରୀତିଶପ୍ରଜ୍ଞାଙ୍କ ଗୋଡ଼ ଖସି ଯାଇଥିଲା। ଆଉ ସେ ଟ୍ରେନ୍‌ରୁ ଖସି ପଡ଼ିଥିଲେ । ସେ ରେଢ଼ାଖୋଲ ଷ୍ଟେସନରୁ ୪ କି.ମି ଦୂରତାରେ ଅଙ୍ଗାରପଢା ଗାଁ ପାଖ ଜଙ୍ଗଲ ନିକଟରେ ପଡ଼ି ଯାଇଥିଲେ । ସୌଭାଗ୍ୟକୁ ସେ ଟ୍ରାକ୍‌ ପାର୍ଶ୍ୱରେ ପଡ଼ିଥିଲେ । ଜୀବନ ସିନା ବଞ୍ଚି ଯାଇଥିଲା, ହେଲେ ମୁହଁ ରକ୍ତାକ୍ତ ହୋଇଥିଲା । ରାତି ସାରା ସେହି ଟ୍ରାକ୍‌ ପାର୍ଶ୍ୱରେ ସେମିତି ଜୀବନ ସହିତ ସଂଘର୍ଷ କରୁଥିଲେ ପ୍ରୀତିଶପ୍ରଜ୍ଞା ।

ତେବେ ଭୋରୁ ଭୋରୁ ସେହି ଟ୍ରାକ୍‌ରେ ଆସୁଥିବା ଏକ ମାଲଗାଡ଼ିର ଲୋକୋ ପାଇଲଟ ପ୍ରୀତିଶପ୍ରଜ୍ଞାକୁ ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ରାଢ଼ାଖୋଲ ଷ୍ଟେସନ୍‌କୁ ଖବର ଦେଇଥିଲେ । ଆରପିଏଫ୍‌ ଟ୍ରାକ୍‌ ପାର୍ଶ୍ୱରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

ଯେତେବେଳେ ପ୍ରୀତିଶପ୍ରଜ୍ଞାଙ୍କ ବାପା ମାନସ ହୋତାଙ୍କ ନିଦ ଭାଙ୍ଗିଥିଲା। ସେତେବେଳେ ପୁଅକୁ ନପାଇ ଏ ବଗିରୁ ସେ ବଗି ଖୋଜି ବୁଲିଥିଲେ । ସେ ପୁଅ ନିଖୋଜ ନେଇ ଆର୍‌ପିଏଫ୍‌ ହେଲ୍‌ପଲାଇନ୍‌ ନମ୍ୱର ୧୩୯ରେ ଅଭିଯୋଗ କରିଥିଲେ । ଭୁବନେଶ୍ୱର ଯିବା ପରିବର୍ତ୍ତେ ସକାଳେ ଢେଙ୍କାନାଳ ଷ୍ଟେସନ୍‌ରେ ଓହ୍ଲାଇଥିଲେ ।

ଷ୍ଟେସନ୍‌ରେ ଓହ୍ଲାଇବା ପରେ ପୁଅ ରେଢାଖୋଲ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଖବର ପାଇଥିଲେ ମାନସ । ଏହା ପରେ ମାନସ ଓ ତାଙ୍କ ସମ୍ପର୍କୀୟମାନେ ପ୍ରୀତିଶପ୍ରଜ୍ଞାଙ୍କୁ ଘରକୁ ନେଇଥିଲେ ।ଏବେ ଶିଶୁଟି ସୁସ୍ଥ ରହିଥିବା ଜଣାପଡିଛି ।

ଏତେସବୁ ପରେ ପ୍ରୀତିଶପ୍ରଜ୍ଞାଙ୍କ ବାପା ମା ପୁଅକୁ ଫେରି ପାଇଛନ୍ତି ତାହା ସବୁଠୁ ବଡ଼ କଥା । ତେବେ ଆମେ ଯେତେବେଳେ ବି ଟ୍ରେନରେ ଯାତ୍ରା କରୁଛନ୍ତି ଖୁବ୍‌ ସତର୍କତାର ସହ ଯାତ୍ରା କରିବା ଉଚିତ୍‌ ନିଜ ଜିନିଷ ଏବଂ ଛୋଟ ପିଲାଙ୍କ ଉପରେ ଧ୍ୟାନ ରଖିବା ନିହାତି ଦରକାର ।

 

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।