ଏଇ ପିଆଜିର ଚାହିଦା ଏତେ ଅଧିକ ଯେ, ନୁଆଣିଆ ଚାଳିଆ ଦୋକାନ ଆଗରେ ଲାଗେ ଲମ୍ବା ଲାଇନ୍

ସାଲେପୁର: ତତଲା ତେଲରେ ଅତି ଆଦରରେ ହସ ହସ ମୁହଁରେ ଚାଳିଆ ଘରେ ପ୍ରତିଦିନ ଛଣାଚାଲିଥାଏ ଅତି ଛୋଟ ଛୋଟ ସ୍ଵାଦିଷ୍ଟ ପିଆଜି । ଯାହାକୁ ନେବା ପାଇଁ ବିଭିନ୍ନ ଅଞ୍ଚଳରୁ ଗ୍ରାହକଙ୍କ ଭିଡ଼ ଜମିଥାଏ । ଘର ହେଉ ଅବା ବାହାରେ ଗରମ ଗରମ ତେଲ ଭାଜି ଖାଇବା ପାଇଁ କାହାକୁ ବା ଭଲ ନଲାଗେ । ତେବେ କଟକ ଜିଲ୍ଲା କିଶୋରନଗରରେ ପ୍ରସ୍ତୁତ ହେଉଛି ଏକ ନିଆର ପିଆଜି । ଯାହାର ସ୍ଵାଦ ଏବେ ଦେଶ ବିଦେଶରେ ପହଞ୍ଚିଲାଣି । ଆପଣ ଭାବୁଥିବେ ପିଆଜି ପୁଣି ଦେଶ ବିଦେଶରେ ।
ହଁ ଆଜ୍ଞା ଖରା,ବର୍ଷା,ଶୀତ । ସକାଳ ହେଉ କି ଅପରାହ୍ନ କିମ୍ବା ସନ୍ଧ୍ୟା । ଯେତେ ବେଳେ ପାଟି ଖୋଜେ ଟିକେ ପିଆଜି ଖାଇବା ପାଇଁ ସେତେବେଳେ ଏହି ନୁଆଣିଆ ଚାଳିଆ ମାଟି କାନ୍ଥର ବାସ୍ନା ଟାଣି ଆଣିଥାଏ । ଇଏ ଆଜି କାଲିର ଦୋକାନ ନୁହେଁମ ଦୀର୍ଘ ୫୦ ବର୍ଷ ରୁ ଅଧିକ ହେବ । ଏହି ଦୋକାନକୁ ପ୍ରଥମେ କିଶୋର ନଗର ଅଞ୍ଚଳର କାର୍ତ୍ତିକ କୁମାର ଶୁ ଆରମ୍ଭ କରିଥିଲେ । ଏହି ଦୋକାନରେ ପିଆଜି ପ୍ରସ୍ତୁତ କରୁଥିଲେ । ତାଙ୍କରି ନାମ ଅନୁସାରେ ଏହି ପିଆଜି ର ନା ରହିଛି କାତୁ ପିଆଜି । ବର୍ତ୍ତମାନ ତାଙ୍କ ସାନ ଭାଇ ଦିଲୀପ କୁମାର୍ ଶୁ ଭାଇଙ୍କ ଏହି ଦୋକାନକୁ ଚଳାଇ ନିଜ ତେଲ ଲୁଣର ସଂସାର ଚଳାଉଛନ୍ତି ।
ଏକ ନୁଆଣିଆ ଚାଳିଆରେ ଏହି ପିଆଜି ଖାଇବା ସହିତ ଘର ତଥା ବନ୍ଧୁବାନ୍ଧବଙ୍କ ପାଇଁ ନେବାକୁ ସାଧାରଣ ଲୋଙ୍କ ଠାରୁ ଆରମ୍ଭ କରି ବହୁ ଭିଆଇପିଙ୍କ ଭିଡ଼ ଜମିଥାଏ । ଏମିତି କି ଦେଶ ବିଦେଶ ରେ ଲୋକମାନେ ନିଜ ଗାଁକୁ ଆସିଲେ ଏହି ପିଆଜି ବିଦେଶକୁ ନେବା ପାଇଁ ଭୂଲନ୍ତି ନାହିଁ ବାଟରେ ଯାଉଥିବା ଲୋକେ ଦିଲୀପଙ୍କ ଏହି ପିଆଜି ପାଇଁ ନିଜ ଗାଡ଼ି ଅଟକି ଦେଇଥାନ୍ତି ଦୋକାନ ସାମ୍ନାରେ । ଆଉ ହସ ହସ ମୁହଁରେ ଦିଲୀପ ତାଙ୍କ ହାତକୁ ପିଆଜି ବଢେଇ ଦେଇଥାଆନ୍ତି । ଅନେକ ସମୟରେ ବରାଦି ଦେଇ ମଧ୍ୟ ପିଆଜି ନପାଇ ଗ୍ରାହକମାନେ ରାଗିକି ଫେରିଯାଇଥାନ୍ତି ବୋଲି କୁହନ୍ତି ଦିଲୀପ ।
ଦୂରରୁ ନାମୀ ଦାମୀ ଦୋକାନକୁ ଛାଡ଼ି ଦିଲୀପଙ୍କ ଏହି ପିଆଜି ଖାଇବାକୁ ଲୋକଙ୍କ ଆଗ୍ରହ କହିଲେ ନସରେ । ତାଙ୍କ ହାତର କିମିଆ ସ୍ନେହ, ଶ୍ରଦ୍ଧା ସହିତ ହସ ହସ ମୁଁହ ଏହି ପିଆଜିର ସ୍ଵାଦକୁ ଆହୁରି ବଢାଇ ଦେଇଥାଏ ବୋଲି କୁହନ୍ତି ଗ୍ରାହକ । ମନରେ କିଛି ଆଶା ନାହିଁ । ଭଗବାନ ଯାହା ଦେଇଛନ୍ତି ତାହାକୁ ନେଇ ଖୁସି ଥିବାବେଳେ, ଆଗକୁ ଏହି ବ୍ୟବସାୟ କିଏ କରିବେ ବୋଲି ନିଜକୁ ନିଜ ସେ ପ୍ରଶ୍ନ କରିଥାନ୍ତି ।