ମହାକାଶ ଯାତ୍ରାରେ ଇତିହାସ ରଚିଲେ ୬ ମହିଳା, ସୁରକ୍ଷିତ ଭାବରେ ମହାକାଶ ବୁଲି ଫେରିଲେ ପୃଥିବୀକୁ

ସେଦିନ ଦୂର ନୁହେଁ ଯେବେ ଲୋକେ ଭ୍ୟାକେସନରେ ମହାକାଶ ଯିବେ । ଏମିତି ସ୍ବପ୍ନ ତ ଆପଣ ବି ଦେଖିଥିବେ । ଯାହାକୁ ସାକାର କରିବା ପାଇଁ ଏବେ ବୈଜ୍ଞାନିକମାନେ ଅହରହ କାର୍ଯ୍ୟରତ ଅଛନ୍ତି । କାରଣ ଦିନକୁ ଦିନ ବିକଶିତ ହେବାରେ ଲାଗିଛି ମହାକାଶ ଟୁରିଜିମ । ଠିକ ସେହିଭଳି ଏବେ ଟୁରିଜିମରେ ମହାକାଶ ବୁଲି ଇତିହାସ ରଚିଛନ୍ତି ୬ ଜଣ ମହିଳା । ୧୧ ମିନିଟରେ ମହାକାଶରେ ୨୦୦ କିମି ଯାତ୍ରା କରି ପୃଥିବୀ ପୃଷ୍ଠକୁ ଫେରିଛନ୍ତି । ମହାକାଶରୁ ଫେରିଲେ ବ୍ଲୁ ଅରିଜିନ ଅଲ ୱିମେନ କ୍ରିଉ ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥର ମହାକାଶକୁ କୌଣସି ମହାକାଶଚାରୀ ନୁହେଁ ବରଂ ଭିନ୍ନ ଭିନ୍ନ କ୍ଷେତ୍ରରୁ କେବଳ ମହିଳାମାନେ ଯାଇଥିଲେ । ମହାକାଶରେ ୧୦ ମିନିଟ ୨୧ ସେକେଣ୍ଡ ବିତାଇବା ପରେ ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି ପପ୍ ଗାୟିକା କେଟି ପେରୀ ଓ ଅନ୍ୟମାନେ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ମହାକାଶ ଯାତ୍ରା କରିଥିଲେ ।

ପପ୍ ଗାୟିକା କେଟି ପେରି, ସାମ୍ବାଦିକା ଗେଲ୍ କିଙ୍ଗ, ମାନବାଧିକାର କର୍ମୀ ତଥା ଆଇନଜୀବୀ ଆମାଣ୍ଡ ଇଙ୍ଗୁଏନ୍, ନାସାର ପୂର୍ବତନ ବୈଜ୍ଞାନିକ ଆଇଶା ବୋୱେ ଏବଂ ସିନେ ନିର୍ମାତା କେରିଅନ ଫ୍ଲିନ୍ ଏହି ମହାକାଶ ଯାତ୍ରା କରିଛନ୍ତି । ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯାଇଥିଲେ । ଏହି ସ୍ୱଳ୍ପକାଳୀନ ମିଶନକୁ ସ୍ପେଶ ଟୁରିଜିମ ନାମରେ ନାମିତ କରାଯାଇଥିଲା । ପୂର୍ବରୁ ୧୯୬୩ ମସିହାରେ ରୁଷର ମହାକାଶ ଯାତ୍ରୀ ଭାଲେଣ୍ଟିନା ତେରେସ୍କୋଭା ଏକାକୀ ମହାକାଶ ଯାତ୍ରା କରିଥିଲେ ।

ଏହି ମିଶନକୁ ଲିଡ କରିଥିଲେ ଜେଫ ବେଜୋସଙ୍କ ବାନ୍ଧବୀ ଲରେନ ସାଞ୍ଚେଜ୍ । ଛଅ ଜଣ ମହିଳା ନ୍ୟୁ ସେପର୍ଡ-୩୧ମିଶନରେ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟରେ ଯାତ୍ରା କରିଥିଲେ । ବ୍ଲୁ ଅରିଜିନ ରକେଟରେ ମହାକାଶକୁ ୧୧ ମିନିଟ୍ ଯାତ୍ରାର ମୂଲ୍ୟ ହାରାହାରି ୧କୋଟି ୧୫ଲକ୍ଷ ଟଙ୍କା । ଏହି ମହାକାଶ ଯାନ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଥିଲା । ନ୍ୟୁ ସେପର୍ଡର ଯାତ୍ରୀ ଶବ୍ଦର ଗତିଠାରୁ ୩ ଗୁଣା ଅଧିକ ବେଗରେ କ୍ୟାପସୁଲରେ ବସି ମହାକାଶକୁ ଯାଇଛନ୍ତି ୬ ଜଣ ମହିଳା ।

ବ୍ଲୁ ଅରିଜିନରେ ମହାକାଶକୁ ଏହି ୧୧ ମିନିଟ୍ ଯାତ୍ରାର ମୂଲ୍ୟ ହାରାହାରି ୧ କୋଟି ୧୫ଲକ୍ଷ ଟଙ୍କା ବୋଲି କହିଛି କମ୍ପାନୀ । ବ୍ଲୁ ଓରିଜିନ କହିଛି ଯେ, ଏହା ୬୪ ବର୍ଷରେ ମାନବର ମହାକାଶ ଯାତ୍ରାରେ ପ୍ରଥମ ମହାକାଶ ଉଡାଣ ଥିଲା ଯେଉଁଥିରେ ପ୍ରତ୍ୟେକ ସିଟ୍ ରେ ଜଣେ ମହିଳା ବସିଥିଲେ । ବ୍ଲୁ ଓରିଜିନ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏହା କେବଳ ଏକ ମହାକାଶ ମିଶନ ନୁହଁ । ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଓ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଉଦ୍ଦେଶ୍ୟରେ ଏହି ମିଶନକୁ ପ୍ରସ୍ତୁତ କରାଯାଇଛି ।

Also read: ବାହାଘରିଆଙ୍କ ମୁଣ୍ଡରେ ସୁନା ଚିନ୍ତା, ୧ ଲକ୍ଷ ୩୦ ହଜାର ଛୁଇଁବ ସୁନା ଦର