‘ମୁଁ ଜଣେ ଭଲ ଜୀବନସାଥୀ ଖୋଜୁଛି’; ଡେଟିଂ ଆପ୍‌ରେ ବିଫଳ ହେବା ପରେ ରାସ୍ତା ପାର୍ଶ୍ୱରେ ବିଜ୍ଞାପନ ଦେଲେ ବୃଦ୍ଧ, ଆସୁଛି ଘନ ଘନ ମେସେଜ ଓ ଭଏସ୍‌ ମେଲ!

ପ୍ରେମରେ ପଡ଼ିଥିବା ଅନେକ ଲୋକ କିଛି ନା କିଛି ଖାସ୍‌ କାମ କରି ପୂରା ଦୁନିଆକୁ ଚମକାଇ ଦେଇ ଥାଆନ୍ତି। ପ୍ରେମକୁ ପାଇବା ପାଇଁ ସେମାନେ ବହୁତ କିଛି ଉତ୍‌ଥାନ ପତ୍ତନ ଦେଇ ଗତି କରନ୍ତି। ନିକଟରେ ସୋସିଆଲ ମିଡିଆରେ ମଧ୍ୟ ପ୍ରେମକୁ ନେଇ ଏକ ଖାସ୍‌ ଫଟୋ ଖୁବ୍‌ ଭାଇରାଲ ହେଉଛି। ବାସ୍ତବରେ, ଏଠାରେ ଜଣେ ୬୬ ବର୍ଷୀୟ ବୃଦ୍ଧ ବ୍ୟକ୍ତି ନିଜ ‘ଡ୍ରିମ୍ ଗାର୍ଲ’ଙ୍କ ସନ୍ଧାନରେ ଏକ ବିଜ୍ଞାପନ ଦେଇଛନ୍ତି। ବୃଦ୍ଧ ଜଣକ ପ୍ରେମ ସନ୍ଧାନରେ ପ୍ରଥମେ ଡେଟିଂ ଆପ୍‌କୁ ଟ୍ରାଏ କରିଥିଲେ, କିନ୍ତୁ ତାହା କାମ ଦେଇ ନ ଥିଲା। ବର୍ତ୍ତମାନ ସେ ନିଜ ଫୋନ ନମ୍ବର ସହିତ ରାଜପଥରେ ଥିବା ବିଲବୋର୍ଡରେ ଏକ ବିଜ୍ଞାପନ ଛାପି ଦେଇଛନ୍ତି।

ଆମେରିକାର ଟେକ୍ସାସରେ ରହୁଥିବା ଜିମ ବେଜ ନିଜ ପ୍ରେମକୁ ଖୋଜିବାରେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଜଣେ ଭଲ ଜୀବନ ସାଥୀ ସନ୍ଧାନରେ ବିଲବୋର୍ଡରେ ଏକ ବିଜ୍ଞାପନ ଲଗେଇଛନ୍ତି। ବେଜ୍ ନିଜ ଫଟୋ ସହିତ ଫୋନ ନମ୍ବର ଏବଂ ମେସେଜ୍ ଲେଖେଇଛନ୍ତି। ମେସେଜରେ ସେ ନିଜର ଇଚ୍ଛା ଜାହିର କରିଛନ୍ତି। ବିଲବୋର୍ଡରେ ସେ ଲେଖେଇଛନ୍ତି କି, ‘ଜଣେ ଭଲ ମହିଳାଙ୍କ ସନ୍ଧାନରେ ଅଛି, ଯିଏ ୫୦ରୁ ୫୫ ବର୍ଷ ଭିତରେ ହୋଇଥିବେ, ସୁଖଦୁଃଖର ସାଥୀ ହୋଇ ପାରୁଥିବେ ଏବଂ ଦୟାର ଭାବନା ରଖିଥିବେ’।

ଡେଟିଂ ଆପ୍ସରେ ମିଳିଲା ନାହିଁ ଡ୍ରିମ୍ ଗାର୍ଲ

ଜିମ୍ ବେଜ୍ ନିଜ ଡ୍ରିମ୍‌ ଗାର୍ଲଙ୍କୁ ଖୋଜିବା ପାଇଁ ଡେଟିଂ ଆପ୍ସର ସାହାରା ନେଇଥିଲେ। ଏକ ରିପୋର୍ଟ ମୁତାବକ, ଜିମ୍ ବେଜଙ୍କର ବର୍ତ୍ତମାନ ସୁଦ୍ଧା ଦୁଇ ଥର ଛାଡପତ୍ର ହୋଇ ସାରିଲାଣି। ତାଙ୍କର ୫ ସନ୍ତାନ ଅଛନ୍ତି। ବିଲବୋର୍ଡରେ ବିଜ୍ଞାପନ ଦେବାକୁ ନେଇ ଜିମଙ୍କ କହିବା ହେଲା, ସେ ପ୍ରେମର ସନ୍ଧାନରେ ଡେଟିଂ ଆପ୍ ଆରମ୍ଭ କରିଥିଲେ। କିନ୍ତୁ ଭଲ ମହିଳାଙ୍କୁ ଖୋଜିବାର ଇଚ୍ଛା ପୂରଣ ହୋଇ ପାରି ନ ଥିଲା। ଡେଟିଂ ଆପ୍ କୌଣସି ବ୍ୟକ୍ତିତ୍ୱ ବିଷୟରେ ଠିକ୍ ସୂଚନା ଦେଇ ପାରେ ନାହିଁ। ଏଥିପାଇଁ ସେ ରାଜପଥ ପାର୍ଶ୍ୱସ୍ଥ ବିଲବୋର୍ଡରେ ବିଜ୍ଞାପନ ଲେଖେଇଛନ୍ତି।

ଏବେ ବି ଜାରି ରହିଛି ପ୍ରେମର ସନ୍ଧାନ

ବେଜ ନଭେମ୍ବରରେ ବିଲବୋର୍ଡରେ ଏକ ବିଜ୍ଞାପନ ଛାପିଥିଲେ, ଯାହାକୁ ଦେଖି ଲୋକମାନେ ମେସେଜ୍ ଏବଂ ଭଏସ୍ ମେଲ୍ ପଠାଇଛନ୍ତି। ଏପରି କି, ସେ ବିଜ୍ଞାପନ ପରେ ୫ଟି ଡେଟ୍‌ସରେ ମଧ୍ୟ ଯାଇ ସାରିଛନ୍ତି। ହେଲେ ତଥାପି ତାଙ୍କୁ ଡ୍ରିମ୍‌ ଗାର୍ଲ ମିଳି ପାରି ନାହିଁ। ବେଜ ଏମିତି ଜଣେ ମହିଳାଙ୍କୁ ଖୋଜୁଛନ୍ତି, ଯିଏ କି, ତାଙ୍କ କଷ୍ଟ ସମୟରେ ତାଙ୍କୁ ସମର୍ଥନ ଦେଇ ପାରୁଥିବେ। ବର୍ତ୍ତମାନ ସୁଦ୍ଧା ତାଙ୍କ ସନ୍ଧାନ ଜାରି ରହିଛି।

Leave A Reply

Your email address will not be published.