କୁନି ପୁଅର ବଡ଼ ଇଚ୍ଛା ପୂରଣ କଲେ ଦବଙ୍ଗ ଆଇପିଏସ୍ ଅଫିସର ରାହୁଲ ଜୈନ

ନୟାଗଡ: ଚର୍ଚ୍ଚାରେ ଆଇପିଏସ୍ ଅଫିସର ରାହୁଲ ଜୈନ । କୁନି ପୁଅକୁ କଲେ ଜୁନିଅର ଆଇପିଏସ୍ ଅଫିସର । ଆଇପିଏସ୍ ଅଫିସର ହେଲେ ୭ ବର୍ଷର କୁନି ପୁଅ ଆଶିଷ କୁମାର ସ୍ୱାଇଁ । ଆଇପିଏସ୍ ଅଫିସର ଭଳି ଡ୍ରେସ ପିନ୍ଧିଲେ ଆଉ ଆଇପିଏସ୍ ଅଫିସର ରାହୁଲ ଜୈନ ଏବଂ ବରିଷ୍ଠ ପୋଲିସ ଅଫିସରଙ୍କ ଠାରୁ ସାଲୁଟ ବି ପାଇଲେ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।
କୁନି ପୁଅର ବଡ଼ ଇଛା ପୂରଣ କରିଛନ୍ତି ଦବଙ୍ଗ ଆଇପିଏସ୍ ଅଫିସର ରାହୁଲ ଜୈନ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶଙ୍ଖେଇ ଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ କରି କୁନି ଆଇପିଏସ୍ ଅଫିସରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଛୋଟ ଛୋଟ ପିଲାଙ୍କୁ ଚକଲେଟ ବଣ୍ଟାଯାଇଛି । କୁନି ପୁଅ ଆଶିଷକୁ ପୋଲିସ ଅଧିକାରୀମାନେ ପୋଲିସ ଡ୍ରେସ, ବ୍ୟାଚ, କ୍ୟାପ ଆଦି ପିନ୍ଧାଇବା ପରେ ସଭାରେ ଗିଫ୍ଟ ଦେଇ ସମ୍ବର୍ଦ୍ଧନା କରିଥିଲେ ।
ତେବେ କୁନି ପୁଅ ଆଶିଷର ପୋଲିସ ହେବାର ବଡ଼ ଇଛା ପୂରଣ ହେବା ପଛରେ ରହିଛି ଏକ କାରଣ । ନିର୍ବାଚନ ସମୟରେ ଗାଁରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବୁଲୁଥିଲେ ଆଇପିଏସ୍ ଅଫିସର ରାହୁଲ ଜୈନ । ନୟାଗଡ଼ ଇଟାମାଟି ଥାନା ସଂଖେଇ ଗାଁରେ ବୁଲିବା ବେଳେ କୁନି ପୁଅ ଆଶିଷ ରାହୁଲ ଜୈନଙ୍କୁ ସାଲୁଟ ମାରିଥିଲେ । ଏହାପରେ ବଡ଼ ହେଲେ କଣ ହେବାକୁ ଇଛା ରଖିଛ ବୋଲି ରାହୁଲ ଜୈନ ପିଲାଟିକୁ ପଚାରିବାରୁ, ଆପଣଙ୍କ ଭଳି ପୋଲିସ ଅଫିସର ହେବି ବୋଲି ଆଶିଷ କହିଥିଲେ ।
ଏହାକୁ ମନେ ରଖି ଆଶିଷଙ୍କ ଇଛା ପୂରଣ ପାଇଁ ନିଜେ ଡ୍ରେସ କିଣି ଗାଁରେ ପହଞ୍ଚିଥିଲେ ନୟାଗଡ଼ ଏସପି ରାହୁଲ ଜୈନ। ଜନସାଧାରଣଙ୍କ ପାଇଁ ଆମ ପୋଲିସ କାର୍ଯ୍ୟକ୍ରମ କରି ଲୋକଙ୍କୁ ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ନୟାଗଡ଼ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପୋଲିସ ଏବେ ବ୍ରିଟିଶ ଅମଳର ନୁହେଁ, ବରଂ ଆପଣଙ୍କ ପୋଲିସ, ଆପଣଙ୍କ ସେବାରେ ସର୍ବଦା ବୋଲି କହିଥିଲେ । ଗାଁରେ ଏଭଳି ଏକ ମାହୋଲ ଦେଖି ଲୋକେ ବି ଖୁସି । ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ବସି ଚା ମଧ୍ୟ ପିଇଥିଲେ।
ତେବେ ଗାଁରେ ପୋଲିସ ବାବୁ ମାନଙ୍କ ଉପସ୍ଥିତି ଏବଂ ଏକ ମେଳାପୀ ପରିବେଷ ଦେଖି ଲୋକେ ବହୁତ ଖୁସି । ଗାଁରେ ଏମିତି ପରିବେଶରେ ପୋଲିସ ସହ ମିଶିବାର ସୁଯୋଗ ପୂର୍ବରୁ କେବେ ମିଳିନଥିଲା । ତେବେ ଏସପି ରାହୁଲ ଜୈନଙ୍କ ଏଭଳି କାର୍ଯ୍ୟକୁ ଏବେ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି । କିଛି ଦିନ ପୂର୍ବରୁ ଅଭିଯୋଗକାରୀଙ୍କ ଅଭିଯୋଗ ରଖିନଥିବାରୁ ୩ଜଣ ପୋଲିସ କର୍ମଚାରୀଙ୍କୁ ସେ ନିଲମ୍ବିତ କରିଥିଲେ । ତେବେ ଆଜି ଏଭଳି ଘଟଣା ତାଙ୍କୁ ପୁଣି ଚର୍ଚ୍ଚାର ପରିସରକୁ ଆଣିଛି ।