ପ୍ରଭୁ ଭୋଳାନାଥଙ୍କ ୭ମ ଜ୍ୟୋତିର୍ଲିଙ୍ଗ “କାଶି-ବିଶ୍ୱନାଥ ମନ୍ଦିର”

ଭଗବାନ ଭୋଳାନାଥ ସବୁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ପ୍ରତୀକ ଭାବେ ୧୨ଟି ଜ୍ୟୋତିର୍ଲିଙ୍ଗ ପୂଜା ପାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ଜ୍ୟୋତିର୍ଲିଙ୍ଗ ସ୍ଥାପିତ ହୋଇଛନ୍ତି। ବିଶ୍ୱାସ କରାଯାଏ ଯେ, ଏହି ୧୨ଟି ଜ୍ୟୋତିର୍ଲିଙ୍ଗରେ ଭଗବାନ ଭୋଳାନାଥ ସ୍ୱୟଂ ବିଦ୍ୟମାନ ରହିଥାନ୍ତି। ମନାଯାଏ ଯେ, ଭଗବାନ ଶିବଙ୍କ ଦର୍ଶନ ପରେ ବ୍ୟକ୍ତିର ସବୁ ପାପ ନାଶ ହୋଇଯାଏ। ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ହିନ୍ଦୁ ଧର୍ମର ସବୁଠୁ ପବିତ୍ର ସହର କାଶି ବାରଣାସୀରେ ରହିଛି ଭୋଳାନାଥଙ୍କ ୭ମ ଜ୍ୟୋତିର୍ଲିଙ୍ଗ। ଭଗବାନ ବିଶ୍ୱନାଥ ନାମରେ ଏଠାରେ ମହାଦେବ ପୁଜା ପାଉଛନ୍ତି। ବ୍ରହ୍ମାଣ୍ଡର ସ୍ୱାମୀ ରୂପେ ଭଗବାନ ଏଠାରେ ସ୍ୱଂୟ ବିରାଜମାନ ହୋଇଛନ୍ତି। ଶିବ ପୁରାଣ ଅନୁସାରେ ଯେବେ ପର୍ଯ୍ୟନ୍ତ ଏହି ସହର ରହିଛି ସେବେ ପର୍ଯ୍ୟନ୍ତ ସୃଷ୍ଟିର ଅନ୍ତ ହେବ ନାହିଁ। ୭ମ ଜ୍ୟୋତିର୍ଲିଙ୍ଗ କାଶି-ବିଶ୍ୱନାଥ ମନ୍ଦିର ବାରଣାସୀର ଗଙ୍ଗା ନଦୀର ପଶ୍ଚିମ ସ୍ଥାନରେ ଅବସ୍ଥିତ । ଏଠାରେ ମହାଦେବଙ୍କ ଦର୍ଶନ ପୂର୍ବରୁ ପ୍ରଥମେ ଭୈରବଙ୍କ ଦର୍ଶନ କରାଯାଏ।

ପୁରାଣ ଅନୁଯାୟୀ ଏଠାରେ ଶ୍ରୀ ହରି ବିଷ୍ଣୁ ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ । ଏହି ନଗର ଭୋଳାନାଥଙ୍କ ଅତିପ୍ରିୟ। ଲୋକକଥା ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଭୋଳାନାଥ ଓ ମାତା ପାର୍ବତୀ କାଶି ଭ୍ରମଣ ପାଇଁ ଆସିଥାନ୍ତି। ତେଣୁ ଏହି ମାସରେ ବହୁତ ଭିଡ଼ ଜମିଥାଏ।

ମାନ୍ୟତା ଅନୁଯାୟୀ ଭୋଳାନାଥ ଓ ମାତା ପାର୍ବତୀଙ୍କ ବିବାହ ପରେ ପ୍ରଭୁ ମାତାଙ୍କୁ ନେଇ କାଶି ଚାଲିଆସିଥିଲେ। କାଶିର ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ ରୂପେ ଏଠାରେ ସ୍ଥାପିତ ହେଲେ। ତେବେ ଏହା ସମ୍ପର୍କରେ ମହାଭାରତ ଓ ଉପନିଷେଦରେ ଉଲ୍ଲେଖ ଅଛି। କିନ୍ତୁ ଏହାର ନିର୍ମାଣ ସମ୍ପର୍କରେ ବିଶେଷ କିଛି ସୂଚନା ନାହିଁ। ଇତିହାସ ଅନୁଯାୟୀ ୧୧୯୪ ମସିହାରେ ମୁହମ୍ମଦ ଗୋରୀ ଏହି ମନ୍ଦିରକୁ ଲୁଟିଥିଲେ । ପରେ ଏହାକୁ ଭାଙ୍ଗି ଦିଆଯାଇଥିଲା।

ତେବେ ଏହି ସ୍ଥାନକୁ ଆସିଲେ ଭକ୍ତ ମୋକ୍ଷ ପ୍ରାପ୍ତି କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏଠାରେ ସ୍ୱଂୟ ପ୍ରଭୁ ନିଜେ ମରଣାସନ୍ନ ବ୍ୟକ୍ତିଙ୍କ କାନରେ ତାରକ ମନ୍ତ୍ର ଉପଦେଶ ଶୁଣାଇଥାନ୍ତି। ଯାହାର ଉଲ୍ଲେଖ ମତ୍ସ୍ୟ ପୁରାଣରେ ରହିଛି। ଯେତେ ପ୍ରଳୟ ଆସିଲେ ବି ଏହି ସ୍ଥାନ ସୁରକ୍ଷିତ ରହିଛି। ବିଶ୍ୱାସ ରହିଛି ଯେ ସହରକୁ ଭୋଳାନାଥ ନିଜ ତ୍ରିଶୁଳରେ ଉଠାଇ ରଖନ୍ତି। ଅର୍ଥାତ ପ୍ରଭୁଙ୍କ ସ୍ୱଂୟ ଉପସ୍ଥିତି ପାଇଁ ଏହିସ୍ଥାନ ସୁରକ୍ଷିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.