ରାସ୍ତା ଉପରେ ବୁଲୁଛି ବିରାଟକାୟ କୁମ୍ଭୀର, ଭୟଭୀତ ହେଲେ ଲୋକେ

ପାଣି ଭିତରେ ରାଜ୍‌ କରୁଥିବା କୁମ୍ଭୀର ଏବେ ରାସ୍ତା ଉପରେ ବିଚରଣ କରୁଛି । ଆପଣ ରାସ୍ତାରେ ଗାଡ଼ି ଯାଉଥିବା ଦେଖିଥିବେ କିନ୍ତୁ ଏବେ ରାସ୍ତାରେ ଆପଣମାନେ ଗାଡ଼ି ସହ କୁମ୍ଭୀର ବୁଲୁଥିବାର ମଧ୍ୟ ଦେଖିପାରିବେ । କୁମ୍ଭୀର ଯଦି ମଣିଷଙ୍କୁ ଆକ୍ରମଣ କରିବ ତେବେ ସାଧାରଣ ଲୋକଙ୍କ ଅବସ୍ଥା ଯେ କଣ ହେବ ତାହା ନ କହିବା ଭଲ । ତେବେ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ବର୍ଷା ହେଉଥିବା ସମୟରେ ରାସ୍ତାରେ ୮ ଫୁଟ ଲମ୍ବର ଏକ କୁମ୍ଭୀର ବୁଲୁଥିଲା । ଯାହାକୁ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ ଲୋକେ । ରାସ୍ତା ଉପରେ କୁମ୍ଭୀରଟି ଏମିତି ବୁଲୁଥିବାରୁ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରତ୍ନଗିରି ଜିଲ୍ଲାର ଚିପଲୁନ୍ ସହରର ଚିଞ୍ଚାନାକା ଅଞ୍ଚଳରେ ଜଣେ ଅଟୋରିକ୍ସା ଡ୍ରାଇଭର ଏହି ଭିଡିଓକୁ ରେକର୍ଡ କରିଥିଲେ ।

ଜଣେ ଅଧିକାରୀଙ୍କ କହିବା ଅନୁସାରେ ବୋଧହୁଏ କୁମ୍ଭୀରଟି ଶିବ କିମ୍ବା ବଶିଷ୍ଠ ନଦୀରୁ ସହରକୁ ଆସିଥାଇପାରେ । ଅନେକ ଲୋକ କୁମ୍ଭୀର ବୁଲୁଥିବାର ଏହି ଦୃଶ୍ୟକୁ ନିଜ ନିଜ ଫୋନରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଗତ କିଛି ଦିନ ହେବ ଚିପଲୁନ୍ ଏବଂ ରତ୍ନଗିରି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଲଗାତାର ବର୍ଷା ହେଉଥିଲା । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପାଣିପାଗ ବିଭାଗ ଅନୁଯାୟୀ ରତ୍ନଗିରି ଜିଲ୍ଲାରେ ଜୁଲାଇ ୨ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ରତ୍ନଗିରି ଜିଲ୍ଲାରେ ଏଭଳି କୁମ୍ଭୀରଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କୁମ୍ଭୀର ବୁଲୁଥିବା କଥା ଜାଣିବା ପରେ ସ୍ଥାନୀୟ ଲୋକେ ଜିଲ୍ଲା ପରିଷଦ ଏବଂ ବନ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହି ଘଟଣାର ସମାଧାନ ହୋଇପାରି ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଲୋକଙ୍କ ସୁରକ୍ଷା ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । ସାଧାରଣ ଲୋକେ ଏହି କୁମ୍ଭୀର ଆକ୍ରମଣର ଶିକାର ହେବେ ବୋଲି ଆଶଙ୍କା ରହୁଛି ।

ମୌସୁମୀ ସକ୍ରିୟ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଫଳରେ ନଦୀର ଜଳସ୍ତର ବି ବୃଦ୍ଧି ପାଇବାରେ ଲାଗିଛି । ଏପରି ସ୍ଥିତିରେ ନଦୀରେ ଥିବା କୁମ୍ଭୀରମାନେ ନଦୀ ବାହାରକୁ ଆସି ଜନବସତିରେ ବୁଲୁଛନ୍ତି । ଯଦି ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବ ଲୋକଙ୍କ ଜୀବନ ସୁରକ୍ଷିତ ରହିବ । ନଚେତ ଏ କୁମ୍ଭୀର ଆକ୍ରମଣରୁ ମଣିଷ ନିଜକୁ ବଞ୍ଚାଇବା ମୁସ୍କିଲ ହୋଇପଡ଼ିବ ।