କମିଶନରେଟ୍ ପୋଲିସର ୬ ଘଣ୍ଟା ତନାଘନା ପରେ ମାଆ କୋଳକୁ ଫେରିଲା ପୁଅ

ସକାଳୁ ସକାଳୁ ଖାଇପିଇ ପୁଅ ବାହାରି ଯାଇଥିଲା ସ୍କୁଲ । ସ୍କୁଲ୍ ଛୁଟି ହୋଇଥିଲା ହେଲେ ଘରକୁ ଫେରି ନଥିଲା ପୁଅ । ସାନ ପୁଅକୁ ପଚାରିଲାରୁ ଭାଇ କୁଆଡ଼େ ଗଲା ବୋଲି ସେ କହିଲା ଭାଇ ପଛରେ ଆସୁଛି । ହେଲେ ଠିକ୍ ସେହି ସମୟରେ ହଠାତ୍ ଗୋଟାଏ ଫୋନ୍ କଲ୍ ଆସିଥିଲା । କହିଲେ ତମ ପୁଅ ମୋ ପାଖରେ । ଟଙ୍କା ଦେଲେ ତମ ପୁଅକୁ ଫେରାଇ ଦେବୁ । ପୋଲିସ, କିମ୍ବା ଅନ୍ୟ କାହାକୁ କହିଲେ ପୁଅକୁ ଜୀବନରୁ ମାରିଦେବୁ । ….ଏତିକି କଥା ଶୁଣିବା ପରେ ମା’ ନେହୁରା ହୋଇ କହିଥିଲା ଆମେ ଗରିବ ଲୋକ ଆମ ପାଖରେ ଯେତିକି ଟଙ୍କା ସୁନା ଯାହା ଅଛି ନେଇ ଯାଅ ହେଲେ ମୋ ପୁଅର କିଛି କରନା… ତାକୁ ଛାଡ଼ିଦିଅ ।

ତେବେ ଘଟଣାର ସୂଚନା ପହଞ୍ଚିଲା ପୋଲିସ ପାଖରେ । ଆଉ ଛଅ ଘଣ୍ଟାର ଅପରେସନ ପରେ ଅପହୃତ ନାବାଳକକୁ ଉଦ୍ଧାର କଲା। ଏବେ ମା’ ତା ହଜିଲା ପୁଅକୁ ପାଇ ପୋଲିସକୁ ଧନ୍ୟବାଦ ଓଜାଡ଼ି ଦେଉଛି । ତେବେ ଏଇ ଅପହରଣ ପଛରେ ହାତ କାହାର ଜାଣିଲେ ଆଚମ୍ବିତ ହୋଇଯିବେ । ଅପହୃତ ଛାତ୍ର ପ୍ରତ୍ୟୁଷର ଜଣେ ଶିକ୍ଷକ ହିଁ ଏହି କାରନାମା କରିଛନ୍ତି ସହଯୋଗୀଙ୍କ ସହ ମିଶି ।

ସମୟ ସକାଳ ୧୦ ରୁ ୧୦.୩୦ ହେବ । ଅପହରଣକାରୀ ଶୁଭ୍ରକାନ୍ତ ନାବାଳକ ପ୍ରତ୍ୟୁଷକୁ ସ୍କୁଲରୁ ଫେରିବା ସମୟରେ ଉଠାଇ ନେଇଥିଲେ । ଭୁବନେଶ୍ବର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ମଣ୍ଡଳ ଗାଁରୁ ୮ ବର୍ଷର ବାଳକ ମୁଣ୍ଡରେ ବନ୍ଧୁକ ଲଗାଇ କଳା କାର୍ରେ ଅପହରଣ କରି ନେଇଥିଲେ । ଅପହରଣ ପରେ ତାଙ୍କ ମା’ ପାଖକୁ କଲ୍ କରି ଟଙ୍କା ମାଗିବା ସହ ଧମକ ଦେଇଥିଲେ । ହେଲେ ପୋଲିସ ନଜରରୁ ବଞ୍ଚିପାରି ନଥିଲେ । ପୋଲିସ ସିସିଟିଭି ଯାଞ୍ଚ କରି ଜୋରଦାର ତଦନ୍ତ ଚଳାଇଥିଲା । ୩ଟି ପୋଲିସ ଟିମ୍ର ତ୍ବରିତ ପଦକ୍ଷେପ ଯୋଗୁଁ ମା’ କୋଳକୁ ତା ପୁଅ ଫେରି ପାରିଛି । ପଞ୍ଚାଗାଁ ରୁ ଅପହରଣ ପରେ ପିପିଲି ଅଞ୍ଚଳ ରୁ ଉଦ୍ଧାର ହୋଇଛି ନାବାଳକ ।

ତେବେ ଅପହରଣକାରୀ କୌଣସି ବାହାର ଲୋକ ନୁହେଁ । ପ୍ରତ୍ୟୁଷ ପଢୁଥିବା ସ୍କୁଲ ଶିକ୍ଷକ ବସୁନି ଓରଫ ଶୁଭ୍ରକାନ୍ତ ଏହି କାଣ୍ଡ ରଚିଥିଲେ। ନିକଟରେ ଜମି ବିକିଥିଲେ ପ୍ରତ୍ୟୁଷଙ୍କ ବାପା। ସେଥିରୁ ମିଳିଥିଲା ପ୍ରାୟ ୬୦ ଲକ୍ଷ ଟଙ୍କା। ସେହି ଟଙ୍କା ପାଇଁ ବାସୁନି ଅପହରଣ କରିଥିବା କୁହାଯାଉଛି। ଅପହରଣ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶୁଭ୍ରକାନ୍ତ ସମେତ ସାତ ଜଣଙ୍କୁ ଗିରଫ କରିଛି । … ସତରେ କି ଯୁଗ ହେଲା, ଟଙ୍କା ପାଇଁ ଗୁରୁ ନିଜ ଛାତ୍ରକୁ ବି ଅପହରଣ କରିବାକୁ ପଛାଉନି । ଏଭଳି ଶିକ୍ଷକଙ୍କୁ କି ଦଣ୍ଡ ଦିଆଯିବା ଦରକାର ଆପଣମାନେ ହିଁ ବିଚାର କରନ୍ତୁ ।

Also read:ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ, ୫ ଜଣ ଗୁରୁତର