ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ଯୋଜନାରୁ ବଞ୍ଚିତ ୮ ବର୍ଷର ଦିବ୍ୟାଙ୍ଗ ପ୍ରଭାତ ପୁଞ୍ଜି

ହସିବା ଖେଳିବା ବୟସରେ ଘରେ ବନ୍ଧା ପଡି ରହୁଛି ୮ ବର୍ଷର ଶିଶୁ ପ୍ରଭାତ ପୁଞ୍ଜି । ଜନ୍ମରୁ ମାନସିକ ଅନଗ୍ରସର । ବହୁ ଚିକିତ୍ସା ପରେ ମଧ୍ୟ ପୁଅର ମାନସିକ ଅବସ୍ଥାରେ ସୁଧାର ଆସୁ ନାହିଁ । ଗରିବ ପରିବାର ଧାର କରଜ କରି ବଲାଙ୍ଗିର, ଭବାନୀ ପାଟଣା,ରାୟପୁର ଆଦି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରିସାରିଲେଣି । କିନ୍ତୁ ପୁଅର ମାନସିକ ସ୍ତରରେ ଉନ୍ନତି ଘଟୁ ନାହିଁ । କେତେବେଳେ କେମିତି ମାନସିକ ଅବସ୍ଥା ବିଗିଡିଗଲେ ନିୟନ୍ତ୍ରଣରେ ରଖି ହେଉନାହିଁ । ବାଧ୍ୟ ହୋଇ କାମ ଧନ୍ଦା ଛାଡି ସବୁବେଳେ ପୁଅ ପାଖରେ ଜଗି ରହୁଛନ୍ତି ମା ଭୁମିସୁତା । ପୁଅର ସେବା ଯତ୍ନରେ ସମୟ ବିତିଯାଉଛି । ପୁଅର ମାନସିକ ଅବସ୍ଥା ସହ ପେଟର ଜ୍ୱାଳା ଆହୁରି ଦୟନୀୟ । ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ନୂଆପଡା ଗାଁର ଭୀଷ୍ମ ପୁଞ୍ଜିଙ୍କ ପୁଅ ପ୍ରଭାତ ପୁଞ୍ଜି ଜନ୍ମରୁ ମାନସିକ ରୋଗୀ ।

ବାପା ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି । ପୁଅର ଏଭଳି ଅବସ୍ଥା ଯୋଗୁଁ ମା କାମ କରିବାକୁ ଯାଇ ପାରନ୍ତି ନାହିଁ । ବହୁ କଷ୍ଟରେ ପରିବାର ଚଳୁଥିବା ବେଳେ ଭିନ୍ନକ୍ଷମ ଭତ୍ତା ଖଣ୍ଡିଏ ମଧ୍ୟ ମିଳିନାହିଁ । ଭତ୍ତା ମିଳିଲେ ପୁଅର ଔଷଧ ଖର୍ଚ୍ଚ ହୋଇ ପାରନ୍ତା ବୋଲି କୁହନ୍ତି ମା ଭୁମିସୁତା । କେବଳ ଚାଉଳ ଗଣ୍ଡାକ ମିଳୁଛି । ଯାହା ଥିଲା ପୁଅର ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି  । ଧାର କରଜ କରି ଚିକିତ୍ସା ମଧ୍ୟ କରିସାରିଲେଣି କିନ୍ତୁ ପୁଅ ସ୍ୱାସ୍ଥ୍ୟରେ କିଛି ଉନ୍ନତି ହେଉ ନାହିଁ ।

କୁନି କୁନି ଶିଶୁଙ୍କ ସହ ମିଶି ଖେଳିବା,ପାଠ ପଢିବା ବୟସରେ ପୁଅର ଏଭଳି ଅବସ୍ଥାରେ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ଅର୍ଥାଭାବରୁ ପୁଅର ଚିକିତ୍ସା କରିବାରେ ସକ୍ଷମ ନୁହଁନ୍ତି । ସରକାରୀ,ବେସରକାରୀ ଅନୁଷ୍ଠାନ କିମ୍ବା ବଦାନ୍ୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କଲେ ଉଚ୍ଚତର ଚିକିତ୍ସା କରିପାରନ୍ତେ ବୋଲି ଆଶା କରିଛନ୍ତି ପରିବାର ଲୋକେ । ସେପଟେ ବଙ୍ଗୋମୁଣ୍ଡା ବିଡିଓ ଏଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଏହି ଦିବ୍ୟାଙ୍ଗ ଶିଶୁକୁ ଚିକିତ୍ସା ସୁବିଧା ଯୋଗାଇଦେବା ସହ ସରକାରୀ ଯୋଜନାରେ ସାମିଲ କରାଯିବାର ଆବଶ୍ୟକତା ରହିଛି । ସରକାରୀ,ବେସରକାରୀ ଅନୁଷ୍ଠାନ କିମ୍ବା ବଦାନ୍ୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଥିଲେ ଏହି ଠିକଣାରେ ସେମାନେ ବି ସହାୟତା କରି ପାରିବେ ।

ଜିଲ୍ଲା-ବଲାଙ୍ଗୀର

ବ୍ଲକ-ବଙ୍ଗୋମୁଣ୍ଡା

ଗ୍ରାମପଞ୍ଚାୟତ-ଅଲଣ୍ଡା

ଗ୍ରାମ – ନୂଆପଡ଼ା

ଏକାଉଣ୍ଟ ନମ୍ବର – 37022766227

ସିଆଏଫ ନମ୍ବର- 89890853214

ଆଇଏସଏଫ ନମ୍ବର – SBIN0008880

ସିନ୍ଧେକେଲା ଶାଖା, ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସହାୟତା କରି ପାରିବେ ।

Also Read: ବଞ୍ଚିବାକୁ ଜୀବନ ସହିତ ସଂଗ୍ରାମ କରୁଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ