ଛାତରୁ ତଳକୁ ଖସିଲା ୮୦କେଜି ର ବିଶାଳକାୟ ସାପ, ଭିଡ଼ିଓ ଭାଇରାଲ

ଆପଣ ସାପ ନିଶ୍ଚୟ ଦେଖିଥିବେ, କିନ୍ତୁ କେବେ ଭାବିଛନ୍ତି କି ଏକ ଛାତରୁ ଘର ଭିତରକୁ ସାପ ଖସିପଡ଼ିଲେ ଆପଣଙ୍କୁ କେମିତି ଲାଗିବ । ଏହାକୁ ଦେଖି ଆପଣ ଭୟଭୀତ ହୋଇଯିବେ ନିଶ୍ଚୟ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ମାଲେସିଆରେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେଉଛି । ୮୦ କେଜି ଓଜନ ଏବଂ ୫ ଫୁଟରୁ ଅଧିକ ଲମ୍ବାର ଏକ ସାପ ଜଣଙ୍କ ଘରେ ଛାତ ଉପରୁ ଖସି ପଡ଼ିଥିବା ଦେଖିବାକୁ ମିଳିଛି ।

ଘଟଣା ଘଟିଛି ମାଲେସିଆର କାମ୍ପଟିଙ୍ଗରେ ଥିବା କଂପିଙ୍ଗ ଡଚରେ । ଏହି ଭୟାନକ ଭିଡ଼ିଓ ଏବେ ଇଣ୍ଟରନେଟରେ ଘୂରି ବୁଲୁଛି । କୁହାଯାଉଛି ଯେ ଏହି ଅଜଗର ସାପ ଖଜୁରୀ ବଗିଚାରେ ବୁଲୁଥିଲା । ଏହାକୁ ଦେଖିବା ପରେ ପରିବାର ଲୋକେ ନାଗରିକ ସୁରକ୍ଷା ଏଜେନ୍ସିକୁ କଲ୍ କରି ସୂଚନା ଦେଇଥିଲେ । ଏହି ଘଟଣା ନଭେମ୍ବର ୨୨ ତାରିଖ ରାତି ୮ ଟାର ବୋଲି କୁହାଯାଉଛି ।

ଉଦ୍ଧାର ଅଧିକାରୀମାନେ ପହଞ୍ଚି ଘର ଛାତର କିଛି ଅଂଶ ଭାଙ୍ଗିଥିଲେ । ଭିଡ଼ିଓ ଆରମ୍ଭରେ ଜଣେ ସାପ ଧରାଳି ସାପକୁ ବାହାର କରିବା ପାଇଁ ଏକ ରଡ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଏହାର କିଛି ସମୟ ପରେ ଏକ ବିଶାଳକାୟ ସାପ ଛାତରୁ ତଳକୁ ଖସିପଡ଼ୁଛି । ଏହାପରେ ଲିଭିଙ୍ଗ ରୁମରେ ପଡ଼ିଥିବା ସୋଫା ଉପରେ ସାପଟି ଖସି ପଡ଼ୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଏତେ ବଡ଼ ସାପକୁ ଦେଖି ସେଠାରେ ଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ଏହାକୁ ଉଦ୍ଧାର ପରେ ଅଜଗରକୁ ଉଚିତ୍ ରକ୍ଷଣାବେକ୍ଷଣା ପାଇଁ ବନ୍ୟଜୀବ ଏବଂ ରାଷ୍ଟ୍ରୀୟ ଉଦ୍ୟାନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି । ଏହାକୁ ୧ ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି । ଭିଡ଼ିଓରେ ଅନେକ ଲୋକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଜଣେ ବ୍ୟକ୍ତି କହିଛନ୍ତି, ‘ଏହା ଏବେ ଅଜଗରର ଘର’ ।