ପ୍ରେମ କରିବ ତ ଏମିତି! ୯୦ ବର୍ଷରେ ବି କମ୍‌ ହୋଇନି ଭଲ ପାଇବା, ୩୨ ବର୍ଷ ହେଲାଣି ସ୍ତ୍ରୀଙ୍କ ଅସ୍ଥି କଳସକୁ ରଖି କଥା ହେଉଛନ୍ତି ଏହି ବ୍ୟକ୍ତି

ଭାଲେଣ୍ଟାଇନ୍‌ ଡେ’କୁ ଯୁବପିଢ଼ିମାନେ ବେଶ୍‌ ଉତ୍ସାହର ସହ ନିଜ ସାଥୀ ସହ ପାଳନ କରିଛନ୍ତି। କିଏ ସାଥୀକୁ ମନ କଥା କହିଛି ତ ଆଉ କିଏ ସାତ ଜନ୍ମ ଯାଏଁ ସାଥ୍‌ ରହିବାକୁ କଥା ଦେଇଛି। ତେବେ କେବଳ ଯୁବପିଢ଼ି ନୁହେଁ, ବରିଷ୍ଠ ନାଗରିକ ମଧ୍ୟ ଏହି ଦିନରେ ନିଜ ସାଥୀଙ୍କ ସହ ମନ କଥା ସେୟାର କରିଛନ୍ତି। ନିଜ ଜୀବନସାଥୀଙ୍କୁ ଜୀବନଠୁ ଅଧିକ ଭଲ ପାଉଥିବା ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ବିହାରର ବରିଷ୍ଠ ସାହିତ୍ୟକାର ଭୋଳାନାଥ ଆଲୋକ। ଭୋଳାନାଥଙ୍କ ପ୍ରେମ କାହାଣୀ ଏବେ ସମସ୍ତଙ୍କ ମୁହଁରେ। ପ୍ରକୃତ ପ୍ରେମ କଣ ତାହା ପ୍ରମାଣିତ କରିଛନ୍ତି ଭୋଳାନାଥ।

ଭୋଳାନାଥଙ୍କ କହିବାନୁସାରେ, ୩୨ ବର୍ଷ ହେଲାଣି ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ସ୍ତ୍ରୀଙ୍କ ଚିତା ସହ ହିଁ ନିଜ ଜୀବନକୁ ଶେଷ କରିଦେବାକୁ ଚାହୁଁଥିଲେ। କିନ୍ତୁ ପିଲାଙ୍କ ଲାଳନପାଳନ ଦାୟିତ୍ୱ ଥିବାରୁ ସେ ଏଭଳି କରିପାରିନଥିଲେ। ପତ୍ନୀଙ୍କ ଠାରୁ ଦୂରେଇ ରହି ସେ ବଞ୍ଚିପାରିବେନି ବୋଲି ଭାବିଥିଲେ। ଏଣୁ ଜୀବନ୍ତ ଅବସ୍ଥାରେ ନ ହେଲେ ନାହିଁ ମୃତ ପତ୍ନୀଙ୍କ ଅସ୍ଥି କଳସ ସହ ରହିବାକୁ ସେ ନିଷ୍ପତ୍ତି ନେଇଥିଲେ। ଏହି କଳସକୁ ସେ ଏକ ଆମ୍ବ ଗଛରେ ବାନ୍ଧି ଦେଇଛନ୍ତି। ଏବେ ସେ ପ୍ରତିଦିନ ସେହି କଳସକୁ ପୂଜା କରିବା ସହ ତା’ ସହ କଥା ହେଉଛନ୍ତି।

Bholanath
Image Credit: Navbharat

ଭୋଳାନାଥଙ୍କ କହିବାନୁସାରେ, ସେ ପ୍ରତିଦିନ ସେହି ଅସ୍ଥି କଳସ ପାଖରେ ବସି ସ୍ତ୍ରୀଙ୍କ ସହ କଥା ହୁଅନ୍ତି। ସୁଖ-ଦୁଃଖ ବାଣ୍ଟନ୍ତି। ସେ କହିଛନ୍ତି ଯେ ମୁଁ ମୋ ପିଲାଙ୍କୁ କହି ଦେଇଛି- ମୋ ମୃତ୍ୟୁ ପରେ ଏହି ଅସ୍ଥି କଳସକୁ ମୋ ଛାତି ଉପରେ ରଖି ମୋ ଦାହ କରିବେ। ଫଳରେ ସେ ସବୁବେଳେ ମୋ ସହ ରହିପାରିବେ। ସେ ଏନେଇ ସେ ଲିଖିତ ସଂକଳ୍ପ ବି ନେଇଛନ୍ତି।

ତାଙ୍କ କହିବାନୁସାରେ ଯଦି କାହାକୁ ଭଲ ପାଉଛ ତେବେ ଆତ୍ମୀୟତା ସହ କର। ଭଲ ପାଇବାରେ ଧୋକା, ଛଳ, କପଟ ଥିଲେ ତାହା ପ୍ରେମ ନୁହେଁ। ପ୍ରେମ ଭଗବାନଙ୍କର ଏକ ଅମୂଲ୍ୟ ବରଦାନ। ପ୍ରକୃତ ପ୍ରେମ କରନ୍ତୁ ଓ ଶେଷ ଯାଏଁ ତାହାକୁ ବଜାୟ ରଖନ୍ତୁ ବୋଲି କହିଛନ୍ତି ଭୋଳାନାଥ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.