ଖଟିଆରେ ବୁହା ହୋଇ ଅଭିଯୋଗ ଶୁଣାଣୀ ଶିବିରକୁ ଆସିଲେ ବୃଦ୍ଧା

ସୁବର୍ଣ୍ଣପୁର: ବୟସ ୯୫ । ଚର୍ମ ଧୁଡ଼ୁ ଧୁଡ଼ୁ ହୋଇଗଲାଣି । କଥା ମଧ୍ୟ ଠିକରେ କହିପାରୁ ନାହାଁନ୍ତି । ହେଲେ ଆଜି ଯାଏଁ ସରକାରଙ୍କ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ । ଅଣ୍ଟାରେ ନା ଅଛି ବଳ, ଚାଲିବାକୁ ନା ଅଛି ଶକ୍ତି । ତଥାପି ବୟସର ଅପରାହ୍ନରେ ନିଜ ଅଧିକାର ପାଇବାକୁ ପଣ କରିଛନ୍ତି । ତେଣୁ କରି ତ ଅଭିଯୋଗ ଶୁଣାଣୀ ଶିବିରକୁ ଆସିଛନ୍ତି ତାପୁଣି ଖଟିଆରେ ।

ହଁ ଆଜ୍ଞା ଖଟିଆରେ ବୁହା ହୋଇ ଅଭିଯୋଗ ଶୁଣାଣୀ ଶିବିରକୁ ଆସିଲେ ବୃଦ୍ଧା । କଥାଟା ଅଡୁଆ ଲାଗୁଥିଲେବି ସତ । ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିରରେ ଦେଖିବାକୁ ମିଳିଥିବା ଏମିତି ଏକ ଦୃଶ୍ୟ । ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେଉଥିବାବେଳେ ପ୍ରଶାସନ ପାଖକୁ ଅଭିଯୋଗ କରିବାକୁ ପହଁଚିଥିଲେ ଜଣେ ବୃଦ୍ଧା । ଅଭିଯୋଗକାରୀ ବୃଦ୍ଧା ଜଣକ ହେଉଛନ୍ତି ତରଭା ବ୍ଲକ ଅନ୍ତର୍ଗତ ସିଂଘାରୀ ଗାଁର ୯୫ବର୍ଷୀୟା ପୀରା ଚୁହାନ ।

ଯାହା ସୂଚନା ମିଳିଛି, ରାଜ୍ୟରେ ନୂତନ ସରକାର ଆସିଲା ପରେ ୮୦ବର୍ଷରୁ ଉର୍ଦ୍ଧ୍ଵଙ୍କୁ ୩୫ଶହ ଟଙ୍କା ଭତ୍ତା ପ୍ରଦାନ କରିଆସୁଛନ୍ତିି । ହେଲେ ପୀରାଙ୍କୁ ବର୍ତମାନ ମଧ୍ୟ ମାତ୍ର ୧୫ଶହ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି । ଏନେଇ ସ୍ଥାନୀୟ ବ୍ଲକ୍ ପ୍ରଶାସନ ପାଖରେ ବାରମ୍ୱାର ଅଭିଯୋଗ ହୋଇଥିଲେ ମଧ୍ୟ ପୀରାଙ୍କୁ ନୂତନ ସରକାରୀ ନିୟମ ଅନୁଯାୟୀ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଉନାହିଁ । ପୀରାଙ୍କ କେବଳ ଜଣେ ଝିଅ ରହିଥିବାବେଳେ ଝିଅ ଏବଂ ଜ୍ୱାଇଁ ମଧ୍ୟ ଆଜିକୁ ୧୨ବର୍ଷ ହେଲା ଭତ୍ତା ପାଇସାରିଲେଣି ।

ତେବେ ବୟସାଧିକ କାରଣରୁ ପୀରା ଏବେ ନାଁ ଚାଲିବୁଲି ପାରୁଛନ୍ତି ନାଁ ଠିକ୍ ଭାବେ କଥା କହିପାରୁଛନ୍ତି । ତେବେ ମରିବା ପୂର୍ବରୁ ସରକାରଙ୍କ ବର୍ଦ୍ଧିତ ଦରରେ ଭତ୍ତା ପାଇବାକୁ ଆଶା ରଖିଥିବା ପୀରା ଆଜି ଅଭିଯୋଗ କରିବାକୁ ପହଁଚିଥିଲେ । ଫଳରେ ଆଜି କିଛି ସମାଜସେବୀ ପୀରାଙ୍କୁ ଏକ ଖଟିଆରେ ବୋହି ମିଳିତ ଜନ ଶୁଣାଣୀ ଶିବିରକୁ ଆଣିଥିବା ଦେଖିବାକୁ ମିଳିଥିଲା ।

ଆଜିର ମିଳିତ ଜନ ଶୁଣାଣୀ ଶିବିରରେ ଯୋଗଦେଇଥିବା ଅତିରକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧରକାରୀ ଅଶ୍ଵିନୀ ମେହେର ଏବଂ ଜିଲ୍ଲା ଆରକ୍ଷ ଅଧକ୍ଷକ ରାମ ପ୍ରସାଦ ସାହୁଙ୍କ ଆଗରେ ବୃଦ୍ଧା ଜଣକ ନିଜର ଅଭିଯୋଗ ଜଣାଇଥିଲେ । ପ୍ରଶାସନର ଅବହେଳା ଯୋଗୁଁ ସରକାରୀ ସୁବିଧାରୁ ବଞ୍ଚିତ ହେବା ଏବଂ ଏଭଳି ଅବସ୍ଥାରେ ଜଣେ ବୃଦ୍ଧାଙ୍କୁ ଅଭିଯୋଗ କରିବାକୁ ଆସିବା ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁୁଛି ବୋଲି ସମାଜସେବୀ କହିଛନ୍ତି । ତେବେ ଏନେଇ ପ୍ରଶାସନର ପ୍ରତିକ୍ରୀୟା ମିଳିପାରିନାହିଁ ।

ବୟସର ଅପରାହ୍ନରେ ୯୫ ବର୍ଷର ଅସହାୟ ବୃଦ୍ଧା ଖୋଜୁଛନ୍ତି ବଞ୍ଚିବାର ସାହାରା । ଶରୀରର ପଞ୍ଜରା ହାଡ଼ ବି ଗଣି ହେଇଯାଉଛି । ଏଭଳି ଅବସ୍ଥାରେ ନିଜ ସମସ୍ୟାର ସମାଧାନ କରି ଜୀବନ ବଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଯଥାଶୀଘ୍ର ସରାକାରୀ ଏହି ବୃଦ୍ଧାଙ୍କ ଉପରେ ଦୃଷ୍ଟି ପକାଇ ସମସ୍ୟାର ସମାଧାନ କରିବା ନିହାତୀ ଆବଶ୍ୟକ ।

ଆହୁରି ପଢନ୍ତୁ: ରାଜଧାନୀ ମୁଖଶାଳାର ଏହି ନୂଆ ରୂପ ଦେଖିଲେ ପାଦ ଅଟକି ଯିବେ ନିଶ୍ଚୟ