ସାଇବାବାଙ୍କ ମୂର୍ତ୍ତି ଉପରେ ଚଢିଗଲା ବିଶାଳକାୟା ସାପ । ଖାଲି ଚଢି ଗଲା ତା ନୁହେଁ ଦୀର୍ଘ ସମୟ ଧରି ବାବାଙ୍କ ମୂର୍ତ୍ତି ଉପରେ ଗୋଡେଇ ହୋଇରହିଲା । ଘନ କଳା ସାପକୁ ଦେଖି ଛାନିଆ ହେଲେ ଘର ଲୋକେ । ତେବେ ଏଭଳି ଦୃଶ୍ୟକୁ ମୋବାଇଲେରେ ରେକର୍ଡ କରିଥିଲେ ଘରର ମାଲିକ ।
ତେବେ ସାଇବାବାଙ୍କ ପ୍ରତିମୂର୍ତ୍ତି ଉପରେ ୧୨ ଫୁଟର ବିଶାଳକାୟ ସାପକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଏପରି ଅଭୁତ ଘଟଣା କଙ୍କଡାହାଡ଼ ବ୍ଲକ ଭେଜିଆ ଗାଁର ଶ୍ରୀଧର ସିଂହଙ୍କ ଘରେ ଦେଖିବାକୁ ମିଳିଛି । ଗତକାଲି ଗୁରୁବାର ଥିବାରୁ ଶ୍ରୀଧର ଠାକୁରଙ୍କୁ ପୂଜା କରିବାକୁ ଠାକୁର ଘରକୁ ଯାଇଥିଲେ । କିନ୍ତୁ ଠାକୁର ଘରେ ଥିବା ସାଇବାବାଙ୍କ ପ୍ରତିମୂର୍ତ୍ତିରେ ଏହି ବିଶାଳକାୟ ସାପ ଚଢ଼ିଥିବା ଦେଖି ଭୟ ପାଇଥିଲେ ଶ୍ରୀଧର । ଠାକୁର ଘରେ ଅନ୍ୟ ଦେବାଦେବୀଙ୍କ ଫୋଟୋ ଥିବାବେଳେ ସାପଟି ସାଇବାବାଙ୍କ ପ୍ରତିମୂର୍ତ୍ତି ଉପରେ ଚଢିଯାଇ ଅନେକ ସମୟ ପର୍ଯ୍ୟନ୍ତ ରହିଥିଲା । ଏହା ଦେଖି ଶ୍ରୀଧର ଓ ତାଙ୍କ ପରିବାର ଲୋକ ଭୟଭୀତ ହୋଇଥିଲେ । ତେବେ ଗୁରୁବାର ସାଇବାବାଙ୍କ ବାର ହୋଇଥିବାରୁ ସାପଟି ବାବାଙ୍କ ନିର୍ଦେଶରେ ଆସିଥିବା ବୋଲି ସନ୍ଦେହ କରିଥିଲେ ପରିବାର ଲୋକେ । ଏନେଇ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ଆଖପାଖରେ ଥିବା ଅଞ୍ଚଳରୁ ବହୁ ଲୋକ ଶ୍ରୀଧରଙ୍କ ଘରକୁ ଯାଇ ସାଇବାବାଙ୍କ ପ୍ରତିମୂର୍ତ୍ତିରେ ସାପଥିବା ଦେଖି ପୂଜାର୍ଚ୍ଚନା କରିଥିଲେ । ଯାହାକୁ ନେଇ କଙ୍କଡାହାଡ଼ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ସାପଟି କାହାର କୌଣସି କ୍ଷତି କରିନଥିଲା ସତ । କିନ୍ତୁ ଏ ସାପ କେମିତି ଠାକୁର ଘରକୁ ପଶିଲା ତାକୁ ନେଇ ପରିବାର ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ତେବେ ବର୍ଷା ଦିନ ହୋଇଥିବାରୁ ସାପ ଲୋକଙ୍କ ଘରେ ପଶି ଯାଉଛନ୍ତି । ଅନେକ ସମୟରେ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଥିବା ଖବର ଉପରେ ମଧ୍ୟ ନଜିର ରହିଛି । ତେଣୁ ଆପଣ ଯଦି ଏଭଳି ବିଷାକ୍ତ ସାପଙ୍କ ଠାରୁ ନିଜ ପରିବାର ଲୋକଙ୍କୁ ବଞ୍ଚାଇଵାକୁ ଚାହୁଁଛନ୍ତି ତେବେ ଘର ଆଖପାଖକୁ ସଫା ରଖନ୍ତୁ । ଏଭଳି କଲେ ସାପ ଆପଣଙ୍କ ଘର ଭିତରେ ପଶିବ ନାହିଁ ।