ପେରୁ ମରୁଭୂମିରୁ ମିଳିଲା ୧୨୧ ଫୁଟ ଲମ୍ବାର ‘ବିଲେଇ’ ! ଏ ପର୍ଯ୍ୟନ୍ତ ମିଳିସାରିଲାଣି ୩୦୦ ରେଖାଚିତ୍ର

ପେରୁର ନାଜକା ମରୁଭୂମିରେ ୧୨୧ ଫୁଟ ଲମ୍ବାର ଏକ ବିଲେଇ ରେଖାଚିତ୍ର ଦେଖିବାକୁ ମିଳିଛି। ଏହାକୁ ରହସ୍ୟମୟ ମରୁଭୂମି ମଧ୍ୟ କୁହାଯାଇଥାଏ। ସନ୍ଧାନକାରୀ ଟିମରେ ସାମିଲ ଥିବା ପ୍ରତ୍ନତତ୍ତ୍ୱବିଦଙ୍କ କହିବା ହେଲା, ଏହି ରେଖାଚିତ୍ର ପାଖାପାଖି ୨୨୦୦ ବର୍ଷର ପୁରୁଣା। ନାଜକା ଲାଇନ୍ସ ପେରୁରେ ଶହ ଶହ ବର୍ଷ ଧରି ରହିଛି। ଏହାକୁ ନାଜକା ସଂସ୍କୃତିର ଅଙ୍ଗ ବୋଲି କୁହାଯାଉଛି। ଏହାପୂର୍ବରୁ ବି ଅନେକ ଥର ଏଠାରେ ବିଶାଳ ବିଲେଇର ରେଖାଚିତ୍ର ମିଳିସାରିଛି।
ନୂଆ ରେଖାଚିତ୍ର ଅଲାସ୍କାରୁ ଆର୍ଜେଣ୍ଟିନା ଆଡ଼କୁ ଯିବାକୁ ଥିବା ରାସ୍ତାପାର୍ଶ୍ୱ ପାହାଡ଼ରେ ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଅଲଗା ଅଲଗା ଆକୃତିର ରେଖାଚିତ୍ର ମିଳିସାରିଛି। ସେଥିମଧ୍ୟରେ ପଶୁ ଏବଂ ଗ୍ରହର ଆକୃତି ସାମିଲ ରହିଛି। ଜଣେ ପ୍ରତ୍ନତତ୍ତ୍ୱିବିଦଙ୍କ କହିବା ହେଲା, ଯେତେବେଳେ ପର୍ଯ୍ୟଟକଙ୍କ ପାଇଁ ଜାଗା ସବୁ ସଫା କରାଯାଉଥିଲା, ସେତେବେଳେ ବିଲେଇର ଏହି ରେଖାଚିତ୍ର ମିଳିଥିଲା।
ସେ କହିଥିଲେ, ୨୨୦୦ ବର୍ଷ ତଳେ ବି ଲୋକେ ବିନା କୌଣସି ଆଧୁନିକ ଟେକ୍ନୋଲୋଜି ସାହାରାରେ ଏହାକୁ ନିର୍ମାଣ କରିଥିଲେ, ଯାହାକି ଆଶ୍ଚର୍ଯ୍ୟଜନକ। ଆମେ ଏହି ରେଖାଚିତ୍ର drone ସାହାଯ୍ୟରେ ନେଇଛୁ।
ତେବେ ପେରୁର ସଂସ୍କୃତି ମନ୍ତ୍ରାଳୟ ଅନୁସାରେ, ଏହି ବିଲେଇ ରେଖାଚିତ୍ର ପାଖାପାଖି ଧ୍ବଂସ ହେବାକୁ ବସିଲାଣି। ଏହା ଝାପ୍ସା ଭାବେ ଦେଖାଯାଉଥିଲା। ରେଖାଚିତ୍ରଟି ୧୨ରୁ ୧୫ ଇଞ୍ଚ ମୋଟା। ବିଲେଇର ଆକୃତି ପରାକାସ କାଳର ଶେଷ ଆଡ଼କୁ ବନାଯାଇଥିଲା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।