୧୫ବର୍ଷର ପୁଅ ଜୀବନ ସହ କରୁଛି ସଂଗ୍ରାମ, ବଞ୍ଚିବା ପାଇଁ ସହାୟତା ଲୋଡା

ଦଶପଲ୍ଲା: ନାତିର ଏ ଅବସ୍ଥା ଦେଖି ନିଜ ମନକୁ ବୁଝାଇ ପାରୁନାହାନ୍ତି ଜେଜେ ବାପା । କଥା ଦି ପଦ କହିଲା ବେଳକୁ ଆଖିରୁ ଲୁହ ବାହାରି ଆସୁଛି । ଯେଉଁ ବୟସରେ ପାଠପଢି ସାଙ୍ଗ ମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳି ବୁଲିବା କଥା ସେହି ବୟସରେ ରୋଗ ଯନ୍ତ୍ରଣାରେ ସେ ଛଟପଟ ହେଉଛି । ଆମେ କହୁଛୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ପଞ୍ଚାୟତର ବୁଲୁ ବାରିକଙ୍କ ୧୫ ବର୍ଷୀୟ ପୁଅ କ୍ଷୀରୋଜ ବାରିକ କଥା । ସତରେ ଅନେକ ପିଲା ଅଛନ୍ତି ଯେଉଁମାନଙ୍କର ପାଠ ପଢ଼ିବା ପାଇଁ ବହୁତ ଇଚ୍ଛା ଥାଏ । କିନ୍ତୁ ଦଇବ ଯେତେବେଳେ ଦାଉ ସାଜେ ସେତେବେଳେ ପାଠ ପଢ଼ିବା ତ ଦୂରର କଥା ଜୀବନ ବଞ୍ଚିବା ବି କଷ୍ଟକର ହୋଇପଡେ ।
ଦେଖନ୍ତୁ, ଖଟ ଉପରେ ବସି ବାପା ଓ ଜେଜେ ବାପାକୁ ଲୁହ ଛଳଛଳ ଆଖିରେ ଚାହିଁ ବସୁଛି କ୍ଷୀରୋଜ । କୋହଭରା କଣ୍ଠରେ କହୁଛି ବାପା ମୁଁ ସ୍କୁଲକୁ ଯିବି ପାଠ ପଢିବି । ହେଲେ ଏତେ ଛୋଟବେଳୁ ଯେ ଏତେ ବଡ ରୋଗ ତାକୁ ଗ୍ରାସ କରିବ କିଏ ବା ଜାଣିଥିଲା । ଯାହା ସୂଚନା ମିଳିଛି, ଗତକିଛି ମାସ ତଳେ କ୍ଷୀରୋଜର ବାନ୍ତି ହେବା ସହ ଜ୍ଵର ଲାଗିରହିଲା ଯେ, ଛାଡ଼ିବାର ନାଁ ଧରିଲା ନାହିଁ ।ପରିବାର ଲୋକେ କ୍ଷୀରୋଜକୁ ତୁରନ୍ତ କଟକ ନେଇ ପରୀକ୍ଷା ନିରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ତାର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି । ଏ କଥା ଶୁଣି ଯେମିତି ପାଦ ତଳୁ ମାଟି ଖସିଗଲା ସମସ୍ତଙ୍କର । ବାସ୍ ସେହି ଦିନଠାରୁ ପରିବାର ଲୋକେ କ୍ଷୀରୋଜର ଚିକିତ୍ସା କରାଇ ଚାଲିଛନ୍ତି । ସପ୍ତାହକୁ ୨ଥର ଲେଖାଏ ପୁଅର ଡାଏଲିସିସ କରାଇବା ପାଇଁ ଭୁବନେଶ୍ୱର ନେଉଛନ୍ତି ପରିବାର ଲୋକେ ।
ଏପଟେ କ୍ଷୀରୋଜର ବାପା ବୁଲୁ ବାରିକ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । ଏବେ ପୁଅର ଚିକିତ୍ସା ପାଇଁ ବାରମ୍ବାର ଭୁବନେଶ୍ୱର ଯିବାକୁ ପଡୁଛି । ଯାହାଫଳରେ କାର୍ଯ୍ୟ ବନ୍ଦ କରିବାକୁ ପଡୁଛି । ଯାହାକୁ ନେଇ ଅର୍ଥର ଅଭାବ ଦେଖାଦେଉଛି । ଏପଟେ ସୂଚନା ମିଳିଛି କି, ଗତ କିଛି ବର୍ଷ ତଳେକ୍ଷୀରୋଜଙ୍କ ମାଆ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ସେହି ଦିନଠାରୁ କ୍ଷୀରୋଜ ଜେଜେବାପା ଓ ବାପାଙ୍କ ପାଖରେ ରହି ଆସୁଥିଲା ।
ନିଜେ ପାଠପଢୁଥିଲା, ଖେଳୁଥିଲା ,ବୁଲୁଥିଲା ସବୁ କିଛି କରୁଥିଲା । କିନ୍ତୁ କଣ ହେଲା କେଜାଣି କ୍ଷୀରୋଜର ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାକୁ ଲାଗିଲା । ତାର ପାଠପଢା ଅଟକି ଗଲା । ବର୍ତ୍ତମାନ ଘେରେ ବସି ରହି କେବେ ସୁସ୍ଥ ହେବ ସେଇ ଦିନକୁ ଅପେକ୍ଷା କରିରହିଛି ସେ । ଏପଟେ ବୁଲୁଙ୍କ ସମ୍ବଳ କହିଲେ ସରକାରଙ୍କ ଦ୍ଵାରା ପ୍ରଦତ୍ତ BSKY କାର୍ଡ, ତାଛଡା ଆଉ କିଛିବି ନାହିଁ ।
ବର୍ତମାନ ପରିସ୍ଥିତିରେ କ୍ଷୀରୋଜ ପାଇଁ ସହାୟତା ନିହାତୀ ଆବଶ୍ୟକ ହୋଇପଡ଼ିଥିବାବେଳେ, ଯଦି ସରକାରୀ ହେଉ କିମ୍ବା ବେସରକାରୀ ସ୍ତରରୁ କିମ୍ବା କେହି ସହୃଦୟ ବ୍ୟକ୍ତି ଏହି ୧୫ ବର୍ଷର ଛୁଆଟିକୁ ସାହାଯ୍ୟର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ରୂପେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ । ଆପଣଙ୍କ ସହାୟତା ହୁଏତ ଏଇ କୁନି ପୁଅଟିକୁ ନୂଆ ଜୀବନ ଦେଇପାରେ । ତେଣୁ ଯୋଗାଯୋଗ କରନ୍ତୁ ନିମ୍ନ ଲିଖିତ ଏହି ଠିକଣାରେ ।
ଯୋଗାଯୋଗ ନମ୍ବର – 9438735054 (ବୁଲୁ ବାରିକ)
ACCOUNT NO – 006201000011455
IFSC CODE – IOBA0ROGB01
MADHYAKHANDA BRANCH