ମଉସାଙ୍କୁ ୮୫ ବର୍ଷ ହାତରେ ରହିଛି ୬୦ ବର୍ଷର ରେଡିଓ, ବୟସର ଅପରାହ୍ନରେ ରେଡିଓ ପ୍ରେମରେ ଦାସ ମଲ୍ଲିକ
ଆଜିର ଡିଜିଟାଲ ଯୁଗରେ ମନୋରଞ୍ଜନର ଅନେକ ମାଧ୍ୟମ ରହିଛି । ଟିଭି ମୋବାଇଲ ମାଧ୍ୟମରେ ଆଜିର ଲୋକମାନେ ଅନେକ କିଛି ଜାଣିପାରୁଛନ୍ତି । କିନ୍ତୁ ଦିନ ଥିଲା ଯେତେବେଳେ ନା ଥିଲା ଟିଭି ନା ଥିଲା ମୋବାଇଲ । ସେ ସମୟରେ ଖବର ତଥା ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ରେଡିଓ । ସେତେବେଳେ ରେଡିଓ ମାଧ୍ୟମରେ ହିଁ ସମସ୍ତ ଖବର ପ୍ରସାରଣ କରାଯାଉଥିଲା । ଆଉ ଖୁବ କମ୍ ଲୋକଙ୍କ ପାଖରେ ଦେଖିବାକୁ ମିଳୁଥିଲା ଏହି ରେଡିଓ । ସେଥିମଧ୍ୟରୁ ଜଣେ ହେଉଛନ୍ତି ଦାସ ମଉସା । କାକଟପୁର ନିକଟ ଦହିଖିଆ ଗ୍ରାମର ଦାସ ମଲ୍ଲିକ, ଜଣେ ରେଡିଓ ସଉକ ମଣିଷ ।
ଦାସ ମଉସାଙ୍କୁ ଯେତେବେଳେ ୨୨ ବର୍ଷ ହୋଇଥିଲା ସେହି ସମୟରେ ସେ ୫୦ ଟଙ୍କା ଦେଇ କିଣିଥିଲେ ଗୋଟିଏ ଦୁଇ ବେଟ୍ରି ବାଲା ରେଡିଓ । ସେହିଦିନୁ ମଉସା ଯୁଆଡେ ଯାଆନ୍ତି ଯାହା କରନ୍ତି ତାଙ୍କ ସହିତ ସବୁବେଳେ ଥାଏ ଏହି ରେଡିଓ । ଦାସ ମଉସାଙ୍କ ବୟସ ୮୫ ବର୍ଷ ହୋଇଥିବା ବେଳେ ରେଡିଓର ବୟସ ୬୦ ଛୁଇଁଲାଣି । ବୟସର ଅପରାହ୍ନରେ ପହଞ୍ଚି ଯାଇଥିଲେ ସୁଧା ଆଜି ବି ସେ ରେଡିଓକୁ ଛାଡି ପାରିନାହାନ୍ତି । ଦେହରୁ ବଳ ସରିଆସିଲାଣି । ଚାଲିବା ପାଇଁ ନିଜକୁ ବାଡିର ସାହାରା ନେବାକୁ ପଡିଲାଣି । ହେଲେ ସେହି ୬୦ ବର୍ଷର ବନ୍ଧୁକୁ ଛାଡ଼ିପାରି ନାହାନ୍ତି ଦାସ ମଉସା ।
ରେଡିଓ ତାଙ୍କ ଜୀବନ ବୋଲି କୁହନ୍ତି ଏହି ବୃଦ୍ଧ ମଣିଷ ଜଣକ । ଆଜିର ୟୁଜ ଆଣ୍ଡ ଥ୍ରୋ ଯୁଗରେ ମଣିଷ ପ୍ରତିଟି ସମୟରେ କିଛି ନୂଆ ପାଇବା ଆଶାରେ ନିଜର ପୁରୁଣା ସମୟକୁ ଭୁଲିବାରେ ଲାଗିଛି । ହେଲେ ଦାସ ମାଉସା ଆଧୁନିକତା ପଛରେ ନ ଦୌଡ଼ି ଆଜି ବି ନିଜର ସେହି ୬୦ ବର୍ଷର ପୁରୁଣା ରେଡିଓଟିକୁ ପ୍ରତି ମୁହୂର୍ତ୍ତରେ ନିଜ ସହିତ ଧରି ବୁଲନ୍ତି । ଯାହାର ଦୃଶ୍ୟ ତାଙ୍କର ରେଡିଓ ପ୍ରତି ଥିବା ପ୍ରେମକୁ ପ୍ରମାଣିତ କରୁଛି । ଏହି ରେଡିଓ ଜମାନାକୁ ଆଜିର ମଣିଷ କାହିଁ କେତେ ପଛରେ ଛାଡି ଆଜି ଡିଜିଟାଲ ଯୁଗରେ ପହଞ୍ଚିଲାଣି ।
ଆଙ୍ଗୁଠି ଅଗରେ ମନୋରଞ୍ଜନ ଠାରୁ ଆରମ୍ଭ କରି ଦୁନିଆର ପ୍ରତିଟି କୋଣରେ ପହଞ୍ଚି ଯାଇପାରୁଛି । ସତେ ଯେମିତି ରେଡିଓ ଆଜିକାଲିର ଯୁବପିଢିଙ୍କ ପାଇଁ ଏକ ଇତିହାସ ପାଲଟିଗଲାଣି । କିନ୍ତୁ ଦାସ ମଉସାଙ୍କ ହାତ ଏବେବି ରେଡିଓର ବ୍ରାଣ୍ଡ ଚେଞ୍ଜ କରି ନୂଆ ଠିକଣା ଖୋଜିଚାଲିଛି । ଆଉ ସେହି ଠିକଣା ମିଳିଗଲେ ଦାସ ମଉସାଙ୍କୁ ସେ ପରସି ଦେଉଛି କେତେ ଗୀତ ଆଉ ମନୋରଞ୍ଜନର ଖୋରାକ । ମଉସା କୁହନ୍ତି ଏ ରେଡିଓ ହେଉଛି ମୋର ୬୦ ବର୍ଷର ବନ୍ଧୁ । ୬୦ ବର୍ଷ ଭିତରେ ସେ କେବେ ବି ମୋ ହାତ ଛାଡିନି, ମୁଁ ମଧ୍ୟ ତାକୁ ଘଡିଏ ଛାଡି ରହିପାରିବି ନାହିଁ ।
ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ଆଜି ବି ରେଡିଓକୁ ହାତରେ ଧରି ଶୁଣନ୍ତି ସେ । କେଉଁଠି ତାସ ଖେଳ ହେଉଥିଲେ ସେଠି ରେଡିଓ ଧରି ପହଞ୍ଚି ଯାନ୍ତି ଦାସ ମଉସା । ସେହିଭଳି ଯାହା ବି କରନ୍ତି ଯେଉଁଠିକୁ ବି ଯାଆନ୍ତି ତାଙ୍କ ସହ ଏହି ୬୦ ବର୍ଷର ବନ୍ଧୁକୁ ସାଙ୍ଗରେ ନେଇଯାନ୍ତି ଏହି ବୃଦ୍ଧ ଜଣକ । ଆଜିକାଲି ଘରେ ଘରେ ଟିଭି ଆଉ ମୋବାଇଲର ଜମାନା । ଆଜିର ସମୟରେ କେଉଁଠି ରେଡିଓ ଖଣ୍ଡେ ଦେଖିବାକୁ ମିଳୁନଥିବା ବେଳେ ଆଜି ବି ଦାସ ମଉସାଙ୍କ ହାତରେ ଏହି ରେଡିଓ ଶୋଭା ପାଉଛି ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତେ ଖୋଜନ୍ତି ଦାସ ମଉସାଙ୍କୁ । ବନ୍ୟା ବାତ୍ୟା ସମୟରେ ସମସ୍ତ ଯୋଗାଯୋଗ ବିଛିର୍ଣ୍ଣ ହୋଇଯିବା ପରେ ସୂଚନାର ଏକ ମାତ୍ର ମାଧ୍ୟମ ହୋଇଥାଏ ରେଡିଓ । ତେଣୁ ଏହି ସମୟରେ ଲୋକମାନଙ୍କ ଭିଡ ଜମେ ଦାସ ମଉସାଙ୍କ ପାଖରେ । ବଳ ଥିବା ବେଳେ ମଉସା କାମ ଧନ୍ଦା କରି ଯାହା ରୋଜଗାର କରନ୍ତି ସେଥିରୁ ନିଜର ପରିବାର ଭଳି ରେଡିଓର ରକ୍ଷଣା ବେକ୍ଷଣା କରୁଥିଲେ କିନ୍ତୁ ଏବେ ଆଉ ଦେହରେ ବଳ ନାହିଁ ।
ଏବେ ମଉସା ମାସକୁ ୧୦୦୦ ଟଙ୍କା ଭତ୍ତା ପାଉଛନ୍ତି ସେଥିରୁ ହଳେ ବେଟ୍ରିକୁ ୭୦ ଟଙ୍କା ଦେଇ ରେଡିଓରେ ପକାନ୍ତି ଯାହା ମାସେ ପର୍ଯ୍ୟନ୍ତ ବାଜିଥାଏ । ଜୀବନରେ ଅନେକ କିଛି ହରେଇଛନ୍ତି ଦାସ ମଉସା କିନ୍ତୁ ସେହି ୬୦ ବର୍ଷର ସାଥିକୁ ନିଜ ଜୀବନର ଏକ ଅଂଶ ଭାବେ ଆଜି ବି ସାଇତି ରଖିଛନ୍ତି ମଉସା । ଆଉ ସେ ଏହା ସହିତ ଜୀବନର ଶେଷ ପର୍ଯ୍ୟନ୍ତ ସାଥୀ ହୋଇ ରହିଥିବେ ।