କଟକ: ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ପାଖେଇ ଆସୁଛି ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଦଶହରା ବା ବିଜୟା ଦଶମୀ । ଗାଁଠୁ ନେଇ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କର ହେବ ମହାପୂଜା । ଏହି ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯିବ । କାହିଁକିନା ଅସତ୍ୟ ଉପରେ ସତ୍ୟର ବିଜୟର ଉତ୍ସବ ରାବଣ ପୋଡ଼ି । ରାବଣର ଅହଙ୍କାରରେ ଲାଗିଲା ନିଆଁ । କାହିଁ କେଉଁ କାଳରୁ ଚାଲି ଆସିଛି ଏହି ପରମ୍ପରା ।
ତେବେ ଚଳିତ ବର୍ଷ ବି ଆସିଗଲାଣି ପାର୍ବଣ ଋତୁ । ଚାରିଆଡେ ଜମିଲାଣି ପୂଜାର ମାହୋଲ । ଦୁର୍ଗାପୂଜାକୁ ନେଇ ଜୋରଦାର ହେଲାଣି ସବୁ ପ୍ରସ୍ତୁତି । ଏହାରି ଭିତରେ ସବୁଠାରୁ ବଡ ଆକର୍ଷଣ ଥାଏ ରାବଣ ପୋଡି । ରାବଣ ପୋଡିକୁ ନେଇ ଲୋକଙ୍କ ଭିତରେ ଉତ୍ସାହ କାହିଁରେ କେତେ । ତେବେ ରାବଣ ପୋଡି ପାଇଁ ଏବେ ତିଆରି ଚାଲିଛି ରାବଣ । ଏଥିପାଇଁ ଲାଗିଛନ୍ତି ୧୦ରୁ ୧୫ ଜଣ କାରିଗର । ଦିନ ରାତି ଏକ୍ କରି ତିଆରି କରିବାରେ ଲାଗିପଡିଛନ୍ତି ଏମାନେ ।
ଆପ ଣଜାଣିକି ଚକିତ ହେବେ ପ୍ରାୟ ୯୦ଫୁଟ୍ ଉଚ୍ଚତା ବିଶିଷ୍ଟ ରାବଣ ତିଆରି ଚାଲିଛି । ଏଥିପାଇଁ ୪୦ରୁ ଅଧିକ କାଠ ଖଣ୍ଡ, ନଡା, କାଗଜ ଆଦିକୁ ବ୍ୟବହାର କରାଯାଉଛି । ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ମହାଜନପୁର ଗାଁର । ଆଉ ଏହି ରାବଣ ପ୍ରସ୍ତୁତିରେ ଲାଗିଥିବା କାରିଗରମାନେ ବି ସବୁ ଏହି ଗାଁ ଏବଂ ଏହାର ଆଖପାଖ ଅଞ୍ଚଳର । ପାଖାପାଖି ୧୦ ଦିନ ହେବ ଏମାନେ ଏହି କାମ ଆରମ୍ଭ କରିଥିବାବେଳେ ଆଉ ୫ଦିନ ଭିତରେ ଏହି କାମକୁ ଶେଷ କରିବାକୁ ଲକ୍ଷ ରଖିଛନ୍ତି ।
ତେବେ ଏହି ରାବଣ ତିଆରି ହେବା ପରେ ଏହାକୁ କଟକ ଷ୍ଟାଡିୟମ ନିକଟକୁ ନିଆଯିବ । ଯାହା ସୂଚନା ମିଳିଛି ରାବଣର ବିଭିନ୍ନ ପାର୍ଟକୁ ଅଲଗା କରାଯାଇ ଟ୍ରକ୍ ଯୋଗେ ଏହାକୁ ସ୍ଥାନାନ୍ତର କରାଯିବ । ଏହାପରେ ଷ୍ଟାଡିୟମ ନିକଟରେ ଯେଉଁଠି ରାବଣ ପୋଡ଼ି ଉତ୍ସବ ପାଳନ ହେବ, ସେଠାରେ ସବୁ ପାର୍ଟକୁ ଖଞ୍ଜା ଯିବ । ଏହାପରେ ରାବଣ ଦେହରେ ଅଗ୍ନୀ ସଂଯୋଗ କରାଯାଇ ଅସତ୍ୟ ଉପରେ ସତ୍ୟର ବିଜୟର ମହାପର୍ବରୁ ଖୁବ୍ ଧୁମଧାମ୍ ରେ ପାଳନ କରାଯିବ ।