ପେଶାରେ ଗାଡ଼ି ମେକାନିକ କିନ୍ତୁ ନିଶାରେ ଜଣେ ଶିଳ୍ପୀ କାରିଗର, ସଢ଼େଇ ଖୋଳାରୁ ବିଭିନ୍ନ ଜିନିଷ ତିଆରି କରି ସାଉଁଟୁଛନ୍ତି ପ୍ରଶଂସା

ଉଦଳା: ପେଶାରେ ଗାଡ଼ି ମେକାନିକ ହେଲେ ନିଶା ହେଉଛି ସଢ଼େଇ ଖୋଳାରୁ ବିଭିନ୍ନ ଜିନିଷ ତିଆରି କରିବା । ନିଜର ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ ହୋଇପାରେ । ସେଥିପାଇଁ ସେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ସଢ଼େଇ ଖୋଳାରୁ ସ୍ୱାଧୀନତା ଦିବସ ପାଇଁ ଭାରତ ମାନଚିତ୍ର ଓ ସମ୍ବିଧାନର ବହି ତିଆରି କରିଛନ୍ତି । ପୂର୍ବରୁ ସଢେଇରୁ ଘରକରଣା ପରେ ଡାକୋଟା, ଚନ୍ଦ୍ରଯାନ ୩ ତିଆରି କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସତରେ ନିଜର ଉଦ୍ୟମ ଓ ଇଚ୍ଛାଶକ୍ତି ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି ।

ସବୁବେଳେ ନୂଆ ନୂଆ ଜିନିଷ ତିଆରି କରିବା ମନରେ ଉଙ୍କି ମାରୁଥାଏ । ତେବେ ଏ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୭ ନମ୍ବର ୱାର୍ଡର ବିଜୟ କମିଳା । ସମସ୍ତେ ଆଦରରେ ଡାକନ୍ତି ବିଜୁ । ବିଜୁରୁ ବିଜୟ, ସତରେ ନାମ ଯେମିତି କାମ ସେମିତି । କଳାର ବିନ୍ଧାଣୀ ହେଉଛନ୍ତି ବିଜୟ । ପେଶାରେ ସେ ମଟରସାଇକେଲ ମେକାନିକ କିନ୍ତୁ ନିଶାରେ ଜଣେ ଶିଳ୍ପୀ କାରିଗର । ଏବେ ସଢେଇରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ପୂର୍ବରୁ ବିଜୟ କୋଭିଡ ଲକ ଡାଉନ୍ ସମୟରେ ସଢେଇ ଖୋଳାରେ ବିଭିନ୍ନ ପ୍ରକାର ଘରକରଣା ଜିନିଷ ତିଆରି କରି ଖୁବ ଚର୍ଚ୍ଚାରେ ଆସିଥିଲେ । ସବୁବେଳେ କିଛି ନୂଆ ଜିନିଷ ତିଆରି କରିବା ତାଙ୍କ ମନରେ ଉଙ୍କି ମାରୁଥାଏ । ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ସେ ଦୁଇ ପାଦ ଆଗକୁ ବଢ଼ି କିଛି ମାସ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ତିଆରି କରି ସାରା ରାଜ୍ୟ ପାଇଁ ଆଣିଥିଲେ ଗୌରବ । ଆଉ ଏ ସବୁ କିଛି ସେ ସଢ଼େଇ ଖୋଳାରେ ହିଁ ତିଆରି କରିଥାନ୍ତି । ଏବେ ସଢ଼େଇ ଖୋଳାରେ ଭାରତ ମାନଚିତ୍ର ତିଆରି କରି ହୋଇଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ।

ଭଲ ଗାଡ଼ି ମେକାନିକ ଭାବେ ଅଞ୍ଚଳରେ ବେଶ ପରିଚିତ ବିଜୁ । ତାଙ୍କର କାମ ଯେମିତି ବ୍ୟବହାର ମଧ୍ୟ ସେମିତି । ନିଜର ଉତ୍ତମ ବ୍ୟବହାରରେ ଲୋକମାନଙ୍କୁ ଅତି ଆପଣାର କରିନିଅନ୍ତି । ଗୋଟିଏ ପରେ ଗୋଟିଏ ଭିନ୍ନ ପ୍ରକାର ଜିନିଷ ତିଆରି କରି ଚାଲିଛନ୍ତି ବିଜୁ । ଆଉ ପଛକୁ ଫେରି ଚାହିଁନାହାଁନ୍ତି । ଏବେ ସଢ଼େଇରେ ଭାରତ ମାନଚିତ୍ର ଓ ସମ୍ବିଧାନ ବହି ତିଆରି କରି ବେଶ ଚର୍ଚ୍ଚାରେ ରହିଛନ୍ତି ସେ । ଏହାକୁ ତିଆରି କରିବା ପାଇଁ ତାଙ୍କୁ ୧୫ ଦିନରୁ ଅଧିକ ସମୟ ଲାଗିଥିଲା ।

ବିଭିନ୍ନ ସ୍ଥାନରୁ ସଢେଇ ସଂଗ୍ରହ କରି ତାକୁ କାଟି ଅଠାରେ ଯୋଡ଼ି ତିଆରି କରିଛନ୍ତି ଏ ସବୁ ଜିନିଷ । ତେବେ ପୂର୍ବରୁ ତିଆରି କରିଥିବା ସଢେ଼ଇ ଖୋଳାରେ ବିଭିନ୍ନ ପ୍ରକାର ଘର କରଣା ଜିନିଷ ତିଆରି କରି ସେ ଉଦଳା ମୋହତ୍ସବ ଧୁମୁସା ଓ ବିଭିନ୍ନ ସ୍ଥାନରୁ ପ୍ରଶଂସିତ ମଧ୍ୟ ହୋଇଛନ୍ତି । ଯେତେବେଳେ ସମୟ ପାଆନ୍ତି ସେତେବେଳେ ସେ ଏହି କାମ କରିଥାନ୍ତି । ତେବେ ପରିବାର ଲୋକଙ୍କ ପ୍ରେରଣା ପାଇଁ ଏ ସବୁ ସମ୍ଭବ ବୋଲି ବିଜୟ କହିଛନ୍ତି । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ବିଜୟ ଆଗକୁ ବଢ଼ି ପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.