ଭାରି ସୁଆଦିଆ ମମତା ନାନୀଙ୍କ ବଡ଼ି, ଭିନ୍ନକ୍ଷମ ହୋଇ ବି ସେ ସକ୍ଷମ

ଆନନ୍ଦପୁର: ମମତା ନାନୀ ଡାକରେ ହିଁ ଏକ ଭିନ୍ନ ଛବି ଆସିଯାଏ ସ୍ଥାନୀୟ ଲୋକଙ୍କ ମନରେ । ସେ ଜଣେ ଭିନ୍ନକ୍ଷମ ମହିଳା ସତ ହେଲେ ସମୟ କେବେ ତାଙ୍କୁ ସେମିତି କିଛି ଭାବିବାକୁ ସମୟ ଦେଇନି । ଭିନ୍ନକ୍ଷମ ହୋଇ ବି ସେ ସକ୍ଷମ । ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବାକୁ ଦେଖାଇଛନ୍ତି ବାଟ । ଆସନ୍ତୁ ଦେଖିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସଫଳତାର କାହାଣୀ ।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁର ଦିବ୍ୟାଙ୍ଗ ମହିଳା ସଂଘମିତ୍ରା ପଣ୍ଡା । ଆଖ ପାଖ ଅଞ୍ଚଳରେ ସେ ମମତା ନାନୀ ଭାବେ ବେଶ ପରିଚିତ । ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ନିଜର ଗୋଟିଏ ଗୋଡ଼ ହରାଇଛନ୍ତି ସେ । ସ୍ବାମୀ ଦିଗମ୍ବର ମିଶ୍ର ସ୍ଥାନିୟ ଜଗନ୍ନାଥ ମନ୍ଦିରର ପୂଜା କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବା କଷ୍ଟକର ବ୍ୟାପାର ହୋଇପଡେ । ଫଳରେ ପରିବାରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ନିଜ ଉଦ୍ୟମରେ ମମତା ନାନୀ ଆରମ୍ଭ କରନ୍ତି ବଡ଼ି ବେପାର ।

ନିଜ ଘର ପାଖରେ ଆରମ୍ଭ କଲେ ବଡ଼ି ବେପାର । କାରଣ ଆଜିକାଲି ସଭିଙ୍କ ଘରେ ବିରି ବଡ଼ିର ଢେର ଆଦର ରହିଛି । ବିଶେଷ ଭାବେ ଶୀତ ଏବଂ ଗ୍ରୀଷ୍ମ ଦିନରେ ବଡିର ଚାହିଦା ବେଶି । ବଡ଼ି ବିକ୍ରି ପାଇଁ ମମତାଙ୍କୁ ବଜାରକୁ ଯିବାକୁ ପଡେନାହିଁ । କାରଣ ସ୍ଥାନିୟ ଅଞ୍ଚଳରେ ତାଙ୍କ ବଡ଼ିର ଢେର ଆଦର ରହିଛି । ସେଥିପାଇଁ ଲୋକେ ତାଙ୍କ ଘରକୁ ଯାଇ ବଢି କିଣି ନେଇଆସନ୍ତି । ଖାଲି ସେତିକି ନୁହେଁ ନଡିଆ କଞ୍ଚିରୁ ଖଇଞ୍ଚି ତିଆରୀ କରି ବିକ୍ରିବଟା କରୁଛନ୍ତି ସେ । ନିଜର ଦୃଢ ଇଚ୍ଛାଶକ୍ତି ବଳରେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରେରଣା ଯୋଗାଉଛନ୍ତି ।

ତାଙ୍କର ଲକ୍ଷ୍ୟ ପ୍ରତ୍ୟେକ ମହିଳା ନିଜ ଗୋଡରେ ଠିଆ ହୋଇପାରିବ ଏବଂ ନିଜ ପରିବାର ପ୍ରତିପୋଷଣ କରିପାରିବ । ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ରହିଲେ ଜଣେ ମହିଳା ନିଜ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇ ପାରିବ ବୋଲି ମମତା କହିଛନ୍ତି । ମମତାଙ୍କ ଇଚ୍ଛାଶକ୍ତି ଓ କାର୍ଯ୍ୟରେ ପରିବାର ଲୋକେ ବେଶ ଗର୍ବ ଅନୁଭବ କରୁଛନ୍ତି । ଦିବ୍ୟାଙ୍ଗ ମମତା ନିଜକୁ ଅବଳା ଦୁର୍ବଳା ମନେ ନକରି ସ୍ଥାନୀୟ ଅଞ୍ଚଳର ଅନ୍ୟ ମହିଳା ମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ପାଲଟିଛନ୍ତି ।

Also read: ପୋଷା କୁକୁରକୁ ଧରି ଚଳନ୍ତା ଟ୍ରେନରେ ଚଢୁଥିଲେ ଯୁବକ, ଘଟିଲା ଅଘଟଣ