କଠିନ ପରିଶ୍ରମର ଫଳ ମିଠା: ୟୁପିଏସସି ରେଜଲ୍ଟରେ ଓଡ଼ିଶାକୁ ଗର୍ବିତ କରିଛନ୍ତି ଫାୟାର ଫାଇଟରଙ୍କ ପୁଅ

କଟକ: ଏ ଖୁସିର ସୀମା ନାହିଁ । ଏ ଖୁସି ଅପେକ୍ଷାର । ଏ ଖୁସି ଅକ୍ଲାନ୍ତ ପରିଶ୍ରମ ପରେ ମିଳିଥିବା ସଫଳତାର । ଏ ଖୁସି ଗୋଟେ ବାପା ମାଆ ଦେଖିଥିବା ସ୍ୱପ୍ନର । କଥାରେ ଅଛି କଠିନ ପରିଶ୍ରମର ଫଳ ସବୁବେଳେ ମିଠା । ନିଜର ଦୃଢ ଆତ୍ମବିଶ୍ୱାସ ପାଇଁ ଆଜି ନିଜର ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହୋଇଛନ୍ତି କଟକର ଅଭିଜିତ ମଲ୍ଲିକ । ଯାହାଙ୍କର କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତାର ସ୍ୱାଦ ଚଖାଇଛି । ତେବେ ଏହି ସଫଳତା ସହଜରେ ମିଳିନଥିଲା । ସେଥିପାଇଁ କରିବାକୁ ପଡିଥିଲା ଅନବରତ କଠିନ ପରିଶ୍ରମ । ଯାହାକୁ କରିଥିଲେ ଅଭିଜିତ । ଆଉ ତାଙ୍କର ସେହି କଠିନ ପରିଶ୍ରମ ପାଇଁ ଆଜି ସେ ସମସ୍ତଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି । ନିଜ ଭବିଷ୍ୟତରକୁ ନେଇ ଦେଖିଥିଲେ ସୁନେଲି ସ୍ୱପ୍ନକୁ ସାକାର କରିବା ପାଇଁ ବାଟ ପାଇଛନ୍ତି ।

ଖବର ଥାଉକି, ଗତକାଲି ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ-୨୦୨୪ । ଆଇଏଏସ, ଆଇଏଫଏସ, ଆଇପିଏସ ଓ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ-A ଓ ଗ୍ରୁପ B ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୧୧୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ତେବେ କଟକ ଫାୟାର ଷ୍ଟେସନରେ କାର୍ଯ୍ୟରତ ଫାୟାର ଫାଇଟର ଅନାମ ମଲ୍ଲିକଙ୍କ ପୁଅ ଅଭିଜିତ ମଲ୍ଲିକ ୟୁପିଏସସି ପରୀକ୍ଷାରେ ୯୭୯ତମ ସ୍ଥାନରେ ରହି ଉତ୍ତିର୍ଣ୍ଣ ହୋଇଛନ୍ତି ।

୨୩ ବର୍ଷର ଅଭିଜିତ ନିଜର ପ୍ରଥମ ଉଦ୍ୟମରେ ୟୁପିଏସସି ଭଳି ଏକ ବଡ଼ ପରୀକ୍ଷାରେ ସଫଳତା ପାଇ ବେଶ ଖୁସି । ପୁଅର ସଫଳତାରେ ପରିବାରରେ ଖୁସିର ଖେଳିଯାଇଛି ଖୁସିର ମାହୋଲ ।ଅଭିଜିତ୍ ନିଜ ପାଠପଢାରେ କେବେବି ଅବହେଳା କରୁନଥିବାବେଳେ ୟୁପିଏସ ପରୀକ୍ଷାରେ ଏହି ସଫଳତା ପାଇବା ପଛରେ କେବଳ ତାଙ୍କର କଠିନ ପରିଶ୍ରମ ବୋଲି କହିଛନ୍ତି ବାପା ମାଆ । ଏହାସହ କହିଛନ୍ତି ପୁଅରେ ସଫଳତାରେ ସେମାନେ ବହୁତ ଗର୍ବିତ ।

ଏପଟେ ଦିନକୁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ଅଭିଜିତ୍ ଭୋର ୩ଟାର ଉଠି ନିଜ ପଢାରେ ଲାଗିଯାଆନ୍ତି । ସୋସିଆଲ୍ ମିଡିଆ ଠାରୁ ବହୁତ ଦୁରରେ ରହୁଥିବା ଅଭିଜିତ୍ ତାଙ୍କ ସଫଳତାର ଶ୍ରେୟ ତାଙ୍କ ବାପା,ମାଆ ଏବଂ ଭଗବତ ଗୀତାକୁ ଦେଇଛନ୍ତି । ଏହାସହ କହିଛନ୍ତି ସଫଳତାର ମୁଖ୍ୟ ଚାବିକାଠି କଠିନ ପରିଶ୍ରମ । କେତେବେଳେ ହାର୍ଡ ୱାର୍କ ଏବଂ କେତେବେଳେ ସ୍ମାର୍ଟ ୱାର୍କ କରିବା କଥା ତାହା ସେ ଜାଣିଥିଲେ । ସେହି ହିସାବରେ ସେ ପାଠ ପଡୁଥିଲେ ବୋଲି କହିଛନ୍ତି । ଏହାସହ ସୋସିଆଲ୍ ମିଡିଆର ସଠିକ୍ ବ୍ୟବହାର କଲେ ସେଥିରୁ ଅନେକ କିଛି ଶିକ୍ଷା ମିଳିପାରିବ ବୋଲି ସେ ଯୁବପୀଢିରୁ କହିଛନ୍ତି ।

ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଯେତେ ପ୍ରତିବନ୍ଧକ ଆସିଲେ ବି ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ । ଯାହାର ଏକ ବଡ ଉଦାହରଣ ଆଜିର ଏହି ଘଟଣା । ବାପା ଫାୟାର ଫାଇଟର, ମାଆ ଗୃହିଣୀ । ନିଜ ପୁଅ ପାଇଁ ଏମାନେ ଦିନ ରାତି ଏକ କରି କଠିନ ପରିଶ୍ରମ କରିବା ସହ ଅନେକ ସ୍ୱପ୍ନ ଦେଖିଛନ୍ତି । ଆଉ ଏହି ସ୍ୱପ୍ନକୁ ପୂରଣ କରିଛନ୍ତି ଅଭିଜିତ୍ । ବାପା ମାଆଙ୍କ ପରିଶ୍ରମର ମୂଲ୍ୟ ରଖିଛନ୍ତି ।

ଆହୁରି ପଢନ୍ତୁ: UPSC କମ୍ବାଇଣ୍ଡ ଜିଓ ସାଇଣ୍ଟିଷ୍ଟ ୨୦୨୩ ପରୀକ୍ଷାରେ ଚାଷୀ ପୁଅର କମାଲ୍: ସର୍ବଭାରତୀୟ ସ୍ତରରେ ରହିଲେ ୧୦ନମ୍ବର…