ଟଙ୍କା ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ସାଙ୍ଗ ସାଜିଲା ଶତ୍ରୁ । ବନ୍ଧୁତ୍ବରେ ଲାଗିଲା କଳଙ୍କର ଛିଟା । ପଇସା ପାଇଁ ଭୁଲିଗଲା ବର୍ଷ ବର୍ଷର ସମ୍ପର୍କ । ଠେଙ୍ଗାରେ ପିଟି ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ। କୁହାଯାଏ ବନ୍ଧୁତ୍ବ ଠାରୁ ବଡ଼ ସମ୍ପର୍କ ଏ ଦୁନିଆରେ ନାହିଁ । ସାଙ୍ଗ ନିଜ ସାଙ୍ଗ ପାଇଁ ଜୀବନ ଦେଇ ଦିଏ । କିନ୍ତୁ ଆଜି ଯେଉଁ ଦୁଃଖଦ ଖବର ଆସିଛି । ସେ କଥା ଜାଣିଲେ ସାଙ୍ଗ ଉପରୁ ହିଁ ଆପଣଙ୍କର ଭରସା ଉଠିଯିବ । ଟଙ୍କା କେଇଟା ପାଇଁ ଜଣେ ସାଙ୍ଗ ନିଜ ସାଙ୍ଗର ଜୀବନ ନେବାକୁ ପଛାଇନି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା । ଟଙ୍କା ନେଣଦେଣକୁ ନେଇ ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ସାଙ୍ଗ ।
ସୂଚନା ମୁତାବକ ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁର ପିଣ୍ଟୁ ସାହୁ ଓ ବନ୍ଦେ ପଦର ଗାଁର ସୁଶୀଲ ସାହୁ ଦୁଇଜଣ ଭଲ ସାଙ୍ଗ ଥିଲେ । ଗତକାଲି ରାତିରେ ସୁଶୀଲ ତାଙ୍କ କାକା ପୁଅ ଭାଇ ପ୍ରକାଶ ସହିତ ପୁତୁଲାମହୁଲ ଗାଁକୁ ଆସିଥିବା ବେଳେ ସାଙ୍ଗ ପିଣ୍ଟୁ ସହିତ ଭେଟ ହୋଇଥିଲା । ସେଠାରେ ସୁଶୀଲ ଓ ପିଣ୍ଟୁଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ଆରମ୍ଭ ହୋଇଥିଲା ବଚସା । ବଚସା ଏତେ ବଢ଼ିଲା ଯେ ପିଣ୍ଟୁ ରାଗିଯାଇ ପ୍ରଥମେ ପ୍ରକାଶଙ୍କୁ ଠେଙ୍ଗାରେ ପିଟିଥିଲା । ତେଣୁ ପ୍ରକାଶ ସେଠାରୁ ଦୌଡ଼ି ପଳାଇଥିଲା । କିନ୍ତୁ ପିଣ୍ଟୁର ରାଗ ଶାନ୍ତ ହୋଇନଥିଲା । ସେ ଅଧିକ ରାଗିଯାଇ ସୁଶୀଲକୁ ଠେଙ୍ଗାରେ ପିଟିବା ଦ୍ୱାରା ଘଟଣାସ୍ଥଳରେ ସୁଶୀଲର ମୃତ୍ୟୁ ଘଟିଥିଲା।
ସାଙ୍ଗର ମୃତ୍ୟୁଦେଖି ପିଣ୍ଟୁ ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ବିଳମ୍ବିତ ରାତ୍ରିରେ ଖପ୍ରାଖୋଲ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ମୃତଦେହକୁ ଖପ୍ରାଖୋଲ ଡାକ୍ତରଖାନାକୁ ଆଣି ଜଗି ରହିଥିଲା ପୋଲିସ । ସେପଟେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଜାରୀଙ୍କ ନିର୍ଦେଶରେ ଏକ ଟିମ ଗଠନ କରି ଅଭିଯୁକ୍ତ ପିଣ୍ଟୁ ସାହୁକୁ ଗିରଫ କରିଛି ଖପ୍ରାଖୋଲ ପୋଲିସ ।
ଅନ୍ୟ ପକ୍ଷରେ ସାଙ୍ଗରେ ଥିବା ମୃତକଙ୍କ କାକାପୁଅ ଭାଇ ପ୍ରକାଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିବାର ତରଫରୁ ଅଭିଯୁକ୍ତକୁ କଠିନରୁ କଠିନ ଦଣ୍ଡ ଦେବା ପାଇଁ ସୁଶୀଲଙ୍କ ପରିବାର ଦାବି କରିଛନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଅକୁ ହରାଇ ପୁରା ପରିବାର ଭାଙ୍ଗିପଡ଼ିଛି ।
Also Read: କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ