ଗାଁର ଗୌରବ ସୁନାଝିଅ ସୌମ୍ୟାଶ୍ରୀ, ବରଡିହ ଗାଁର ଝିଅ ନାସାର ବୈଜ୍ଞାନିକ ହେବା ପାଇଁ ହୋଇଛି ମନୋନୀତ
ଟାଙ୍ଗୀ: ଘରେ ଲାଗିଛି ଭିଡ । କିଏ ମିଠା ଖୁଆଇ ଦେଉଛି ତ କିଏ ଝିଅକୁ ଆଲିଙ୍ଗନ କରିଦେଉଛି । ଖୁସିରେ ସମସ୍ତେ ଭାବବିହ୍ୱଳ ହୋଇପଡିଛନ୍ତି । କିନ୍ତୁ ଏ ଖୁସି କାହିଁକି ଜାଣିଛନ୍ତି । କାରଣ ଆଜି ଗାଁ ଝିଅ ଆମେରିକା ସ୍ଥିତ ବିଶ୍ୱର ବୃହତମ ଗବେଷଣା କେନ୍ଦ୍ର ନାସାର ବୈଜ୍ଞାନିକ ହେବାକୁ ଯାଉଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ଛୋଟିଆ ଗାଁ ହରିକୁଣ୍ଡ ବରଢିହର ଏକ ମଧ୍ୟବିତ୍ତ ପରିବାରର ଝିଅ ସୌମ୍ୟାଶ୍ରୀ । ଏକ ସାଧାରଣ ପରିବାରର ଝିଅ ଆଜି ଗାଁ ପାଇଁ ଆଣିଛି ଗୌରବ ।
ଏହି ଖବର ଗାଁରେ ପହଞ୍ଚିଲା ପରେ ଚାରିଆଡ଼େ ଖେଳି ଯାଇଛି ଖୁସିର ଲହରୀ । ସୌମ୍ୟାଶ୍ରୀଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ । ବାପା ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକରୁ ଅବସର ଗ୍ରହଣ କରିସାରିଛନ୍ତି । ମା’ ଜଣେ ଗୃହିଣୀ । ପରିବାରର ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଝିଅ ପାଠ ପଢ଼ାରେ କିଛି ବି କରି ନାହାନ୍ତି ଅବହେଳା । ଯେଉଁଥି ପାଇଁ ଆଜି ଭଗବାନ ଦେଇଛନ୍ତି କର୍ମ ଅନୁଯାୟୀ ଉଚିତ୍ ଫଳ । ସୌମ୍ୟାଶ୍ରୀଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ପରିବାରର ଆର୍ଥିକ ଅନଟନ ।
ସ୍ଵଳ୍ପ ଆୟରେ ମଧ୍ୟ ଝିଅକୁ ମଣିଷ କରିବାରେ ତିଳେ ମାତ୍ର ଅବହେଳା କରିନାହାନ୍ତି ପାରିବାର । ଝିଅର ଏହି ସଫଳତା ପାଇଁ ଖୁବ ଗର୍ବିତ ଅନୁଭବ କରିଛନ୍ତି ବାପା ମା’ । ତେବେ ଛୋଟିଆ ଗାଁ ହରିକୁଣ୍ଡ ବରଢିହରୁ ନାସାର ବୈଜ୍ଞାନିକ ହେବାର ଲମ୍ବା ଯାତ୍ରା କେମିତି ଥିଲା । ତାହା ଜାଣିବା ପାଇଁ ସୌମ୍ୟାଶ୍ରୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଟାଙ୍ଗି ପ୍ରତିନିଧି ମନୋଜ କୁମାର ନାଇଡ଼ୁ । ସାଧାରଣ ପରିବାରର ଝିଅ ସୌମ୍ୟାଶ୍ରୀଙ୍କ ଜୀବନ ଯାତ୍ରା ଏତେ ସହଜ ନିଥିଲା ।
ମ୍ୟାଟ୍ରିକ ପରେ ଭଲ ନାମୀ ଦାମୀ କଲେଜରେ ପଡ଼ିବାର ସୁଯୋଗ ମିଳିଲେ ସୁଦ୍ଧା ପରିବାରର ସ୍ଵଳ୍ପ ଆୟରେ ପୁଅ ଝିଅ ଉଭୟଙ୍କୁ ପଢ଼ାଇବାରେ ସକ୍ଷମ ହୋଇନଥିଲେ ପରିବାର । ସ୍ଥାନୀୟ କଲେଜରୁ ନିଜର ଜୀବନ ଯାତ୍ରା ଆରମ୍ଭ କରିଥିଲେ ସୌମ୍ୟାଶ୍ରୀ । ଶେଷରେ ପାଟନା ଆଇଆଇଟିରେ ଅଧ୍ୟୟନ କରୁଥିବା ବେଳେ ଆମେରିକା ସ୍ଥିତ ଗବେଷଣା କେନ୍ଦ୍ର ନାସାରେ କାମ କରିବା ପାଇଁ ମନ ବଳାଇଥିଲେ । ଶେଷରେ ସେଥିରେ ସେ କୃତକାର୍ଯ୍ୟ ମଧ୍ୟ ହୋଇଛନ୍ତି । ସେ ନାସାର ଗୋଡ଼ାର୍ଡ ସ୍ପେସ ଫ୍ଲାଇଟ୍ ସେଣ୍ଟର୍ ରେ ନିଯୁକ୍ତି ପାଇଛନ୍ତି ।
ତେବେ ଆଜିର ସମାଜରେ ପୁଅ ଝିଅ ମଧ୍ୟରେ ଫରକ ଦେଖୁଥିବା ବାପ ମା’ ଙ୍କୁ ସୌମ୍ୟାଶ୍ରୀଙ୍କ ଭଳି ଝିଅ ମାନଙ୍କର ସଫଳତା ଏକ ଶକ୍ତ ଧକ୍କା ଦେବ ନିଶ୍ଚିତ । ଆମେ ଆଶା କରୁଛୁ ଏଭଳି କନ୍ୟା ରତ୍ନଙ୍କ ଖବର ପ୍ରସାରଣ ପରେ ସମସ୍ତ ବାପ ମାଆ ନିଜ କନ୍ୟା ରତ୍ନଙ୍କୁ ନେଇ ଗର୍ବ ଅନୁଭବ କରିବା ଉଚିତ । କଥାରେ ଅଛି ପରିଶ୍ରମର ଫଳ ନିଶ୍ଚୟ ମିଳିଥାଏ । ଆପଣ କର୍ମ କରିଚାଲନ୍ତୁ ଦେଖିବେ ଫଳ ଆପଣ ନିଶ୍ଚୟ ପାଇବେ । ଦୃଢ଼ ଇଚ୍ଛା ଶକ୍ତି ହିଁ ମଣିଷର ସବୁଠାରୁ ବଡ ସମ୍ପତି । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ସୌମ୍ୟାଶ୍ରୀ ।