ଜଗା ପାଇଁ ସମର୍ପିତ ପୂର୍ଣ୍ଣଚନ୍ଦ୍ର ସାର୍’ଙ୍କ ଜୀବନ: ତାଙ୍କ ଅନୁଭୂତି ଶୁଣିଲେ ଯେକେହିବି ଚକିତ ହେବ

ଗୁଣୁପୁର : କୋଟି ଓଡ଼ିଆଙ୍କ ମଉଡମଣି ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ତାଙ୍କୁ ପାଇବା ପାଇଁ ଭକ୍ତ ସବୁବେଳେ ବ୍ୟାକୁଳ । ଭକ୍ତଙ୍କ ଭାବ ପାଇବା ପାଇଁ ଭଗବାନ ବି ବ୍ୟାକୁଳିତ । ଜଗନ୍ନାଥଙ୍କ ଅନେକ ଅଲୌକିକ ଘଟଣା ଦେଖିବାକୁ ମିଳେ । ସେଥି ମଧ୍ୟରୁ ପୂର୍ଣ୍ଣ ମାଷ୍ଟ୍ରେଙ୍କ ଘଟଣା ଅନ୍ୟତମ । ରାୟଗଡା ଜିଲ୍ଲା ଗୁଣୁପୁରର ଜଗନ୍ନାଥଙ୍କ ଏମିତି ଜଣେ ନିଆରା ଭକ୍ତ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ବୃତ୍ତିରେ ଜଣେ ଜଣେ ସରକାରୀ ଶିକ୍ଷକ । ନିଜ ଘରେ ସେ ଏକ ସଂଗ୍ରହାଳୟ କରି ଜଗନ୍ନାଥ ସଂସ୍କୃତିର କରୁଛନ୍ତି ପ୍ରଚାର ପ୍ରସାର ।
ଗୁଣୁପୁରର ଶ୍ରୀନଗର ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ଦୀର୍ଘ ୧୨ ବର୍ଷ ପୂର୍ବେ ସେ ମାରାତ୍ମକ ପକ୍ଷାଘାତ ରୋଗରେ ପୀଡିତ ହୋଇ ବଡ଼ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏପରିକି ବଞ୍ଚିବାର ଆଶା ସେ ଛାଡ଼ି ଦେଇଥିଲେ । ଶେଷରେ ପୂର୍ଣ୍ଣ ମାଷ୍ଟ୍ରେଙ୍କ ଅନୁରୋଧ କ୍ରମେ ପରିବାର ଲୋକେ ତାଙ୍କୁ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ବହୁ କଷ୍ଟରେ ନେଇଥିଲେ ।
ସେଠାରେ ବାଇଶି ପାହାଚ ସ୍ପର୍ଶ ମାତ୍ରକେ ଅଲୌକିକ ଭାବେ ତାଙ୍କ ଶରୀରର ସମସ୍ତ ଅଚଳ ଅଙ୍ଗପ୍ରତ୍ୟଙ୍ଗ ସଚଳ ହୋଇ ଯାଇଥିଲା । ଗର୍ଭ ଗୃହରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆନନ୍ଦାଶ୍ରୁ ବୋହିବା ପରେ କେହି ଜଣେ ଆସି ତାଙ୍କ ହାତ ଧରି ଉଠାଇବା ପରେ ସେ ପୂର୍ବବତ ଚାଲି ପାରିଥିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ସେହି ଦିନଠାରୁ ଜଗା ପ୍ରେମରେ ବାନ୍ଧି ହୋଇ ପଡିଛନ୍ତି ପୂର୍ଣ୍ଣଚନ୍ଦ୍ର । ଏପରିକି ନିଜ ଚାକିରି ସମୟ ନପୁରୁଣୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । କେବଳ ଜଗନ୍ନାଥଙ୍କ ପାଇଁ ତାଙ୍କ ଜୀବନ ସମର୍ପିତ ।
ନିଜ ହାତରେ କୁନି ଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତି ତିଆରି କରି ଏକ ମନ୍ଦିର ସଦୃଶ କରିଛନ୍ତି । ପୁରୀ ମନ୍ଦିରରେ ପ୍ରଚଳିତ ସମସ୍ତ ନୀତିକାନ୍ତି କରନ୍ତି ବୋଲି କହିଛନ୍ତି ପୂର୍ଣ୍ଣ ମାଷ୍ଟ୍ରେ ।ଏପରିକି ନିଜ ହାତରେ ଏକ ସୁନ୍ଦର କୁନି ରଥ ତିଆରି କରି ରଥ ଯାତ୍ରା ବି ପାଳନ କରନ୍ତି । ଏଠାରେ ପ୍ରଭୁଙ୍କ ସୁନାବେଶ, ଅଧରପଣା, ରସଗୋଲା ଭୋଗ ଆଦି ନୀତି ହେଉଥିବା ସେ ପ୍ରକାଶ କରିଛନ୍ତି ।
ଏବେ ନିଜସ୍ଵ ଉଦ୍ୟମରେ ସେ ତାଙ୍କ ନିଜ ଘରେ ଜଗା ପାଇଁ ଏକ ସଂଗ୍ରହାଳୟ କରିଛନ୍ତି । ଏଠାରେ ମହାପ୍ରଭୁଙ୍କ ୬୦ପଉଟି ଭୋଗ, ବିଭିନ୍ନ ବେଶ, ମହାପ୍ରଭୁଙ୍କ ବିଭିନ୍ନ ବସ୍ତ୍ର ଆଭୂଷଣ, ନୀତିକାନ୍ତିର ଦୈନିକ ଭୋଗ, ବିଭିନ୍ନ ତୀର୍ଥ ଜଳ, ପୁରୁଣା ତାଳପତ୍ର ପୋଥି, ବିଭିନ୍ନ ପ୍ରକାର ଶଙ୍ଖ, ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍କିତ ଓ ତଥ୍ୟ ସମ୍ବଳିତ ପୁସ୍ତକ ପ୍ରଭୃତି ସଂଗ୍ରହ କରି ରଖିଛନ୍ତି । ଏଥିସହିତ ପୁରୁଣା ମୁଦ୍ରା, ଟଙ୍କା, ଚାବି ପ୍ରଭୃତି ସାମଗ୍ରୀ ସଂଗ୍ରହାଳୟର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଛି ।
ପ୍ରତିନିତ୍ୟ ଏହି ସଂଗ୍ରହାଳୟ କୁ ଅନେକ ସ୍ଥାନୀୟ ଲୋକେ ଦେଖିବାକୁ ଆସିଥାନ୍ତି । ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଏହି ସଂଗ୍ରହାଳୟଟି ଉଭୟ ପୁରାତନ ଇତିହାସ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅନେକ ଅଜଣା ତଥ୍ୟ ପ୍ରଦାନ ରେ ସହାୟକ ହୋଇ ପାରିଛି । ଏହା ବ୍ୟତୀତ ଗୁଣୁପୁର ଅଞ୍ଚଳରେ କୌଣସି ସଂଗ୍ରହାଳୟ ନ ଥିବାରୁ ଏଠାକୁ ଆସି ଅନେକ କଥା ଜାଣିବାକୁ ମିଳୁଥିବା ଜଗା ପ୍ରେମୀ ମାନେ କହିଛନ୍ତି ।
ବାସ୍ତବରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ରଙ୍କ ଏଭଳି ନିଆରା ଉଦ୍ୟମ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ, ତାଙ୍କ ଛୋଟିଆ ଉଦ୍ୟମ ଆଗକୁ ଯେ ବିଶାଳ କଳ୍ପବଟ ଆକାର ଧାରଣ କରି ଜଗନ୍ନାଥ ସଂସ୍କୃତିର ବର୍ତ୍ତାବହ ପାଲଟିବ ଏଥିରେ ସନ୍ଦେହ ନାହିଁ ।