ଆଶ୍ଚର୍ଯ୍ୟ ହେଲେ ବି ସତ: କୁମ୍ଭୀର ପିଠିରେ ଶିଶୁର ମୃତଦେହ, ନଦୀ କୂଳକୁ ଯାଇ ପରିବାରକୁ କଲା ହସ୍ତାନ୍ତର

ଏମିତି ଏକ ଘଟଣା, ଯାହା ଅତି ଆଶ୍ଚର୍ଯ୍ୟଜନକ। ଯାହାକୁ ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିବା ଅସମ୍ଭବ। ବୁଡ଼ିଯାଇ ଜୀବନ ହାରିଥିବା ଏକ ଶିଶୁର ଶବକୁ ଏକ ବିଶାଳ କୁମ୍ଭୀର ନିଜ ପିଠିରେ ବୋହି ଆଣୁଥିବାର ଭିଡିଓ କଏଦ ହୋଇଛି କ୍ୟାମେରାରେ। ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦାଙ୍କ ଦ୍ୱାରା ଏହି ଘଟଣାର କ୍ଲିପ୍‌ ଟି ସେୟାର କରାଯାଇଛି। ଯାହା ଜଣାପଡିଛି ପାଣିରେ ଗାଧୋଉଥିବାବେଳେ ପିଲାଟି ବୁଡିଯାଇଥିଲା। ତେବେ ଖବର ପାଇ ଉଦ୍ଧାରକାରୀ ଦଳ ପହଁଚି ଡଙ୍ଗାରେ ଯିବାକୁ ବାହାରୁଥିବାବେଳେ, ଏକ କୁମ୍ଭୀର ନିଜ ପିଠି ଉପରେ ଏକ ଶିଶୁର ମୃତଦେହ ନେଇ ପହଁରି ଆସୁଥିଲା। ସେହି ସମୟରେ ଉଦ୍ଧାରକାରୀ ଦଳର ଜଣେ କର୍ମଚାରୀ କୁମ୍ଭୀର ପିଠି ଉପରୁ ଛୋଟ ଶିଶୁର ଶବକୁ ଟେକି ଆଣି ଡଙ୍ଗାରେ ରଖିଥିବାର ଭାଇରାଲ ଭିଡିଓଟିରେ ଦେଖାଯାଇଛି ।

ଏହି କ୍ଲିପ୍ ଟିକୁ ସେୟାର କରି ସୁଶାନ୍ତ ନନ୍ଦା କ୍ୟାପସନରେ ଲେଖିଛନ୍ତି, ଅଜବ କିନ୍ତୁ ସତ… ଏକ ବିଶାଳ କୁମ୍ଭୀର ନିଜ ପିଠିରେ ବୁଡ଼ିଯାଇଥିବା ଏକ ଶିଶୁର ମୃତ ଶରୀର ଧରି ଆସିବା ସହିତ , ଉଦ୍ଧାରକାରୀ ଦଳର ସୁରକ୍ଷିତ ହସ୍ତାନ୍ତର କରିଥିଲା। ଏହି ଇଣ୍ଡୋନେସିଆ ନଦୀଟି କୁମ୍ଭୀରରେ ପରିପୂର୍ଣ୍ଣ। ଯାହାଦ୍ବାରା ପରିବାର ଲୋକେ ଶିଶୁଟିକୁ ଖୋଜି ପାଇବାରେ ବିଫଳ ହୋଇଥିଲେ। ସୂଚନା ଥାଉକି, ଭିଡିଓଟି ସେୟାର ହେବା ପରଠାରୁ ଏହାକୁ ଟ୍ୱିଟରରେ ଏକ ଲକ୍ଷ ୩୧ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। କୁମ୍ଭୀରର ଅସାଧାରଣ ଆଚରଣ ଦେଖି ଭ୍ଯୁୟୋର୍ସମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

ଭିଡିଓ ଦେଖିବା ପରେ ଜଣେ ଉପଭୋକ୍ତା କମେଣ୍ଟ ବକ୍ସରେ ଲେଖିଛନ୍ତି ଯେ ଅବିଶ୍ୱସନୀୟ, ଦେଖାଯାଉଛି ଯେ ଜଣେ ଡ୍ରାଇଭର ଯେମିତି ଶିଶୁଟିକୁ ଆଣି ହସ୍ତାନ୍ତର କରୁଛନ୍ତି। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ୱାଓ! କିଏ ଏଭଳି କଳ୍ପନା କରିନଥିବେ। ତଥାପି, ପିଲା ଏବଂ ପରିବାର ପାଇଁ ଏହା ଦୁଃଖଦାୟକ।” ଜଣେ ତୃତୀୟ ଉପଭୋକ୍ତା ଲେଖିଛନ୍ତି, “ପ୍ରଭୁଙ୍କ ଚମତ୍କାର, କିମ୍ବା ପ୍ରଭୁ ନିଜେ ଏହି ରୂପରେ ଆସି ଶିଶୁଟିକୁ ଉଦ୍ଧାର କରିଛନ୍ତି।” ଜଣେ ଚତୁର୍ଥ ବ୍ୟବହାରକାରୀ ଲେଖିଛନ୍ତି, “ଶିଶୁଟିର ଶରୀରରକୁ କୁମ୍ଭୀରଟି ନଦୀରୁ ବାହାର କରିଥିବାବେଳେ,ଯାହାକୁ ଉଦ୍ଧାରକାରୀ ଦଳ ମଧ୍ୟ ପାଇପାରିନଥିଲେ।”

ତେବେ ଗୋଟେ ହିଂସ୍ର ଜନ୍ତୁ କିପରି ଏପରି ମାନବିକ ଆଚରଣ କରିପାରେ। କିପରି ନିଜର ହିତାହିତ ଜ୍ଞାନ ଉପଯୋଗ କରି ଏଭଳି ସହାନୁଭୂତି ଦେଖାଇପାରେ ତହା ସମସ୍ତଙ୍କୁ ଚକିତ କରିଛି । ତେବେ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.