ରାତାରାତି ଚମକିଲା ଶ୍ରମିକଙ୍କ ଭାଗ୍ୟ! ୩ ମାସ ଧରି ଖୋଳୁଥିଲେ ମାଟି…୬୦ ଲକ୍ଷରୁ ଅଧିକ ମୂଲ୍ୟର ମିଳିଗଲା ହୀରା

ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାରେ ରହିଛି ହୀରା ଖଣି, ଏହା କେବଳ ଦେଶ ନୁହେଁ, ସାରା ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଆଜି ପର୍ଯ୍ୟନ୍ତ ଅନେକ ଲୋକ କଠିନ ପରିଶ୍ରମ କରି ମୂଲ୍ୟବାନ ହୀରା ପାଇଛନ୍ତି। ଏହି କ୍ରମରେ ଆସନ୍ତୁ ଜାଣିବା ଶ୍ରମିକ ପ୍ରତାପ ସିଂ ଯାଦବଙ୍କ କାହାଣୀ…ଯିଏ ଏଠାରୁ ପାଖାପାଖି ୬୦ ଲକ୍ଷ ଟଙ୍କା ମୂଲ୍ୟର ହୀରା ପାଇଛନ୍ତି।

ରାଜ୍ୟର ପନ୍ନାର ରତ୍ନଗର୍ଭା ମାଟି କେବେ କାହାକୁ ରାଜା କରି ଦେବ, ତାହା ବିଷୟରେ କେହି କହି ପାରିବେ ନାହିଁ। ଏବେ ଏହି ଦୁର୍ଲ୍ଲଭ ମାଟି ପୁଣି ଜଣେ ଶ୍ରମିକଙ୍କ ଭାଗ୍ୟ ଖୋଲି ଦେଇଛି। ଶ୍ରମିକଙ୍କ ଭାଗ୍ୟକୁ ହୀରା ଭଳି ଚମକାଇ ଦେଇଛି ଏହି ରତ୍ନଗର୍ଭା ମାଟି। ଶ୍ରମିକ ଜଣକ ଏଠାରୁ ମୂଲ୍ୟବାନ ହୀରା ପାଇ ରାତାରାତି ଲକ୍ଷପତି ହୋଇ ଯାଇଛନ୍ତି। ୩ ମାସର କଡ଼ା ପରିଶ୍ରମ ପରେ ଶ୍ରମିକଙ୍କୁ ଜେମ୍‌ କ୍ୱାଲିଟିର ଏକ ବଡ଼ ହୀରା ମିଳିଛି, ଯାହାର ଦାମ୍‌ ଲକ୍ଷାଧିକ ଟଙ୍କା ବୋଲି କୁହାଯାଉଛି।

କୁଅାଁ ନିବାସୀ ପ୍ରତାପ ସିଂ ଯାଦବ ଦାରିଦ୍ର୍ୟ ହେତୁ ଦୁଃଖରେ ଦିନ କାଟୁଥିଲେ। ଗତ ଫେବୃୟାରୀ ମାସରେ ସେ ସରକାରୀ ହୀରା କାର୍ଯ୍ୟାଳୟରେ ଆବେଦନ କରିଥିଲେ ଏବଂ 10×10ର ଏକ ହୀରା ଖାଦାନର ପଟ୍ଟା ସ୍ୱୀକୃତ କରାଇଥିଲେ। ଏହା ପରେ ସେହି ଖାଦାନରେ ସେ ଦିନ ରାତି କଠିନ ପରିଶ୍ରମ କରିଥିଲେ, ଯାହାର ଫଳ ସ୍ୱରୂପ ଆଜି ତାଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ଗରିବ ଖଟିଖିଆ ଲୋକ ଆଜି ଲକ୍ଷପତି ହୋଇଛି।

diamond
photo: NDTV

ପ୍ରତାପଙ୍କୁ ଖାଦାନରୁ ମିଳିଥିବା ଏହି ହୀରାର ଓଜନ ରହିଛି ୧୧.୮୮ କ୍ୟାରେଟ୍‌, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୬୦ରୁ ୭୦ ଲକ୍ଷ ବୋଲି କୁହାଯାଉଛି। ଶ୍ରମିକ ଏହି ହୀରାକୁ ହୀରା କାର୍ଯ୍ୟାଳୟରେ ଜମା କରାଇଛନ୍ତି। ପ୍ରତାପଙ୍କ କହିବା ହେଲା, ବର୍ତ୍ତମାନ ହୀରାର ନିଲାମୀ ହେବ। ଏହାପରେ ଏଥିରୁ ମିଳିବାକୁ ଥିବା ଟଙ୍କାରେ ସେ ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଦେବେ ଏବଂ ପିଲାମାନଙ୍କର ଭରଣପୋଷଣ ତଥା ପାଠପଢ଼ାରେ ପଇସା ଖର୍ଚ୍ଚ କରିବେ।

ହୀରା କାର୍ଯ୍ୟାଳୟର ଜଣେ ଅଧିକାରୀ ରବି ପଟେଲଙ୍କ କହିବା ହେଲା, ଏହା ଜେମ୍ସ କ୍ୱାଲିଟିର ହୀରା, ଏହାକୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଏହାର ଆନୁମାନିକ ମୂଲ୍ୟ ମଧ୍ୟ ବହୁତ ଅଧିକ ରହିଥାଏ। ଏବେ ଆଗାମୀ ନିଲାମୀରେ ଏହି ହୀରାକୁ ନିଲାମ କରାଯିବ। ନିଲାମୀ ପରେ ୧୨ ପ୍ରତିଶତ ରୟାଲ୍ଟି କଟାଯାଇ ଶେଷ ପଇସା ହୀରା ପାଇଥିବା ବ୍ୟକ୍ତିଙ୍କୁ ହିଁ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.