Zoo କିପରଙ୍କୁ ଆକ୍ରମଣ କରି ମାରି ଦେଲା ସିଂହୀ; ପୁଣି ସାଥୀ ସହିତ ପିଞ୍ଜରାରୁ ମାରିଲା ଚମ୍ପଟ୍!

ସୋସିଆଲ ମିଡିଆରେ ଜୀବଜନ୍ତୁମାନଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଇରାନର ଏକ ପ୍ରାଣୀ ଉଦ୍ୟାନରୁ ଯେଉଁ ଅଜବ ମାମଲା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠାରେ ଏକ ସିଂହୀ ଜୁ-କିପରଙ୍କୁ ଆକ୍ରମଣ କରି ତାଙ୍କୁ ଜୀବନରୁ ମାରି ଦେଇଛି ଏବଂ ଧରା ପଡ଼ିବା ପୂର୍ବରୁ ତା’ ସାଥୀ ସହିତ ଫେରାର ହୋଇ ଯାଇଛି। ପ୍ରାଣୀ ଉଦ୍ୟାନ ପକ୍ଷରୁ ଏହି ସୂଚନା ସ୍ଥାନୀୟ ଗଣମାଧ୍ୟମକୁ ମଙ୍ଗଳବାର ଦିଆଯାଇଛି। ଏଠାକାର ଜଣେ କର୍ମଚାରୀ କହିଛନ୍ତି, ‘ସିଂହୀ ବହୁ ବର୍ଷ ଧରି ଏହି ପ୍ରାଣୀ ଉଦ୍ୟାନରେ ରହି ଆସିଛି। ଏବେ ସେ ପିଞ୍ଜରାର କବାଟ ଖୋଲି ବାହାରକୁ ଚାଲି ଯାଇଛି। ଯିବା ପୂର୍ବରୁ ଏଠାରେ କାର୍ଯ୍ୟରତ ୪୦ ବର୍ଷୀୟ ଜଣେ ଗାର୍ଡଙ୍କ ଉପରେ ଆକ୍ରମଣ କରି ତାଙ୍କୁ ମାରି ଦେଇଛି’। କର୍ମଚାରୀ କହିଥିଲେ ଯେ ଗାର୍ଡ ଜଣକ ସିଂହ ଓ ସିଂହୀ ପାଇଁ ଖାଦ୍ୟ ଦେଇ ଭିତରକୁ ଯାଇଥିଲେ। ଏହି ସମୟରେ ସିଂହୀ ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲା।
ସାଥୀ ସହିତ ଧରା ପଡ଼ିଲା ସିଂହୀ
ଘଟଣା ଘଟିଛି ତେହେରାନଠାରୁ ପାଖାପାଖି ୨୦୦ କିଲୋମିଟର ଦୂର ଅର୍ଥାତ୍ ୧୨୫ ମାଇଲ୍ ଦକ୍ଷିଣ-ପଶ୍ଚିମର ମରକଜି ପ୍ରାନ୍ତ ଅରକ ସହରରେ ଥିବା ଏକ ପ୍ରାଣୀ ଉଦ୍ୟାନରେ। କର୍ମଚାରୀଙ୍କ କହିବା ଅନୁସାରେ, ୨ ଜାନୁଆରୀରେ ଉଭୟ ସିଂହ ଓ ସିଂହୀ ପିଞ୍ଜରାରୁ ଖସି ପଳାଇଥିଲେ। ରାଜ୍ୟପାଳ ଅମୀର ହାଦି କହିଛନ୍ତି ଯେ ଘଟଣାର ତୁରନ୍ତ ପରେ ସୁରକ୍ଷା ବାହିନୀ ପ୍ରାଣୀ ଉଦ୍ୟାନକୁ କବ୍ଜା କରି ନେଇଥିଲେ। ସିଂହୀ ଓ ତା’ର ସାଥୀକୁ ଜୀବନ୍ତ ଧରାଯିବାର ପ୍ରୟାସ ସଫଳ ହୋଇଛି।
ସେପଟେ ନିକଟରେ ଚୀନର ବେଜିଂ ଚିଡ଼ିଆଘରର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଠି ଏକ ବଡ଼ ପାଣ୍ଡା ନିଜର ବାଡ଼ ଡେଇଁ ଖସି ପଳାଇଥିଲା। ୬ ବର୍ଷର ମେଙ୍ଗ ଲେନ୍ ନାମକ ପାଣ୍ଡା ବାଡ଼ ଫାଙ୍କରେ ଚିଡ଼ିଆଘର ବୁଲିବାକୁ ଆସୁଥିବା ଦର୍ଶକଙ୍କୁ ଦେଖୁଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଜଣେ କର୍ମଚାରୀ ଲୋକଙ୍କୁ ଦୂରତା ବଜାୟ ରଖିବାକୁ ଅପିଲ କରିଥିଲେ।