ପାଞ୍ଚ ଶହ ବର୍ଷର ପରମ୍ପରା, ଏଠାରେ ଶିବ ମନ୍ଦିର ଦାୟିତ୍ୱରେ ଅଛନ୍ତି ଏକ ମୁସଲମାନ ପରିବାର

ରାମ ରହିମ ସମସ୍ତେ ଏକ । ଯଦି ଈଶ୍ୱର ଏକ ତେବେ ମନୁଷ୍ୟ କାହିଁକି ଭିନ୍ନ । କାହିଁକି ବାଣ୍ଟି ହୋଇଛି ଜାତି ଓ ସମ୍ପ୍ରଦାୟରେ ? ଏ ଉତ୍ତର କାହା ପାଖରେ ନାହିଁ । କାରଣ ମଣିଷ ମୂଳ ତତ୍ତ୍ୱ ବୁଝିବାକୁ କେବେବି ଉଦ୍ୟମ କରି ନାହିଁ । ଯାହାଫଳରେ ଆଜି ସବୁଠି ଅଶାନ୍ତି, ଅସନ୍ତୋଷ ଜାତି ଓ ଧର୍ମ ନାମରେ । ହେଲେ ଏମିତି କିଛି ଜାଗା ଅଛି, ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏସବୁକୁ ମାନନ୍ତି ନାହିଁ । ଭାଇଚାରାର ନିଦର୍ଶନ ଦେଖାଇ ସେମାନେ ନିଜ ଧର୍ମ ପାଳିବା ସହ ସମସ୍ତ ଧର୍ମକୁ ସମ୍ମାନ ଦିଅନ୍ତି । ଏମିତି ଆସାମର ଗୋଟିଏ ମୁସଲମାନ ପରିବାର ୫୦୦ ବର୍ଷ ଧରି ଏକ ଶିବ ମନ୍ଦିରର ରକ୍ଷଣା ବେକ୍ଷଣ କରୁଛନ୍ତି । ଆସାମ ଗୌହାଟିର ରଙ୍ଗମହଲ ଗାଁରେ ରହୁଥିବା ଏହି ପରିବାରର କିଭଳି ଭାବେ ଏହି ଶିବ ମନ୍ଦିରର ଦାୟିତ୍ୱ ନେଲେ ତାର ସୂଚନା କାହା ପାଖରେ ନାହିଁ । ତେବେ ଏବେ ମଧ୍ୟ ଏହି ପରିବାର ତାଙ୍କ ପରମ୍ପରା ବଜାୟ ରଖିଛନ୍ତି ଏବଂ ଏହି ଶିବ ମନ୍ଦିରକୁ ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତ ଆସି ପୂଜା କରିଥାନ୍ତି । ସଂପୃକ୍ତ ମୁସଲମାନ ପରିବାରର ମୁଖିଆ ମାଟିବର ରେହମାନ କୁହନ୍ତି ‘‘ମୁଁ ଏହି ଶିବଲିଙ୍ଗଙ୍କୁ ମୋର ଅଜା ବୋଲି ମାନେ ।
ଏଠାରେ ମୁସଲମାନ ‘ଦୁଆ’ ମାଗନ୍ତି ଓ ହିନ୍ଦୁମାନେ ପୂଜା କରିଥାନ୍ତି । ତେବେ ସମସ୍ତଙ୍କ ମାନସିକ ପୂରଣ ହୋଇଥାଏ ବୋଲି ରେହମାନ କହିଛନ୍ତି ।

muslim 2
ସେହିପରି ଆଲିଗଡ଼ରେ କିଛି ମୁସଲମାନ ଭାଇମାନେ ଗତ ଚାରି ପାଞ୍ଚ ବର୍ଷ ଧରି ଶିବରାତ୍ରୀ ଅବସରରେ ସ୍ୱତନ୍ତ୍ର କ୍ୟାମ୍ପ କରୁଛନ୍ତି । ଏଥିରେ ସେମାନେ ଶିବ ଭକ୍ତମାନଙ୍କୁ କାଉଡ଼ି ଓ ଖାଦ୍ୟ ବାଣ୍ଟିଥାନ୍ତି । ଏହି କ୍ୟାମ୍ପ କରୁଥିବା ମୁସଲମାନ ଭାଇମାନେ କହିଛନ୍ତି, ଆମର ଏଠାରେ ଖୁବ୍‌ ଭଲ ଭାଇଚାରା ରହିଛି । ହିନ୍ଦୁ ଭାଇମାନେ ରମଜାନ୍‌ ସମୟରେ ଉପବାସ ରଖନ୍ତି ।