କେନ୍ଦୁଝର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରୁଛି ଅଟେଇ ଜଙ୍ଗଲ ସଫାରି

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କେନ୍ଦୁଝର ଜିଲ୍ଲା । ଏଠାକାର ପ୍ରସିଦ୍ଧ ଘଟଗାଁ ମା’ ତାରିଣୀ ମନ୍ଦିର ପରେ ଏବେ ଅନ୍ୟ ଏକ ନାଁ ଯୋଡି ହେବାକୁ ଯାଉଛି ଅଟେଇ ଜଙ୍ଗଲ ସଫାରି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା କରିବା ପାଇଁ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ଏହି ଅଟେଇ ଜଙ୍ଗଲ ସଫାରୀ । ଏହା ଘଟଗାଁ ମା’ ତାରିଣୀ ମନ୍ଦିର ନିକଟରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ । ଶିମିଳିପାଳ ଏବଂ ସାତକୋଶିଆ ଜଙ୍ଗଲ ମଝିରେ ଏହି ଅଟେଇ ଜଙ୍ଗଲ ରହିଥିବାରୁ ବନ୍ୟଜନ୍ତୁମାନେ ଏହାକୁ ନିଜର ବାସସ୍ଥାନ କରିଛନ୍ତି ।

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପୀଠ ଏକ ଆକର୍ଷଣୀୟ ସ୍ଥାନ । ରାତି ପାହିଲେ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ଘଟଗାଁକୁ । ତେଣୁ ମନ୍ଦିର ପର୍ଯ୍ୟଟକମାନଙ୍କୁ ଆଧ୍ୟାତ୍ମିକ ଯାତ୍ରା ସହିତ ପ୍ରକୃତି ସହ ଯୋଡିବା ପାଇଁ ଏହି ଜଙ୍ଗଲ ସଫାରି ବେଶ ସହାୟକ ହୋଇପାରିବ । ଏହି ଜଙ୍ଗଲରେ ବିଭିନ୍ନ ବିରଳ ପ୍ରଜାତିର ବନ୍ୟପ୍ରାଣୀ ଦେଖିବା ସହ ସ୍ୱତନ୍ତ୍ର ଜଙ୍ଗଲ ସଫାରୀର ଅନୁଭୂତି ସାଉଣ୍ଟିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛି ବନ ବିଭାଗ । ତେବେ ଘଟଗାଁ ପୀଠ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଏହି ଅଟେଇ ଜଙ୍ଗଲ ସଫାରୀ ।

ଅଟେଇ ଜଙ୍ଗଲ ସଫାରୀ ବୁଲିବା ପାଇଁ ଟିକେଟ ବୁକିଂ କାଉଣ୍ଟର ତାରିଣୀ ମନ୍ଦିର ପରିସରରେ ରହିଥିବା ବେଳେ ସେଠାରୁ ଟିକେଟ ଵୁକିଂ କରିବା ପରେ ଜଙ୍ଗଲ ସଫାରୀ ଗାଡ଼ିରେ ମୂର୍ଗାପାହଡ଼ି ନିକଟରେ ପ୍ରବେଶ କରି ପର୍ଯ୍ୟନ୍ତ ୪୦ କିଲୋମିଟର ଯାଏ ଜଙ୍ଗଲ ବୁଲିବେ ପର୍ଯ୍ୟଟକ । ପାଖାପାଖି ତିନି ଘଣ୍ଟାର ହେବ ଏହି ଜଙ୍ଗଲ ଯାତ୍ରା । ଟିକେଟ ମୂଲ୍ୟ ନନ୍ ଏ.ସି ଗାଡ଼ି ପାଇଁ ୨୦୦ ଟଙ୍କା ଏବଂ ଏ.ସି ଗାଡ଼ି ପାଇଁ ୨୫୦ ଟଙ୍କା ରଖାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ଗାଡ଼ି କାର୍ଯ୍ୟରତ ରହିବେ, ଗୋଟିଏ ଏ.ସି ଏବଂ ଦୁଇଟି ନନ୍ ଏ.ସି ଗାଡ଼ି ।

ତେବେ ସଫାରୀ ଗାଡ଼ିରେ ବସି ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ । ସଫାରୀ ବୁଲିବା ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯେମିତିକି ସଫାରୀ ସମୟରେ ଗାଡ଼ିରେ ପର୍ଯ୍ୟଟକଙ୍କ ସହିତ ବନ ବିଭାଗ କର୍ମଚାରୀ ମୁତୟନ ରହିବେ । ତିନି ଘଣ୍ଟାର ସଫାରୀ ଯାତ୍ରା ମଧ୍ୟରେ ପର୍ଯ୍ୟଟକଙ୍କୁ ସ୍ନାକ୍ସ ଓ ଟିଫିନ୍ ର ବ୍ୟବସ୍ଥା ରହିଛି ।ତେବେ କେନ୍ଦୁଝର ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଅଟେଇ ଜଙ୍ଗଲ ସଫାରୀରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ସହ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଦେଖି ଖୁବ୍ ଉତ୍ସାହିତ ହେଉଛନ୍ତି ପର୍ଯ୍ୟଟକ ।

ତେବେ କେନ୍ଦୁଝର ଜିଲ୍ଲାରେ ପ୍ରଥମ ଜଙ୍ଗଲ ସଫାରୀ ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଛି । ଏହି ଅଟେଇ ଜଙ୍ଗଲ ସଫାରୀକୁ ଉପଭୋଗ କରିବା ପାଇଁ ଏବଂ ଜଙ୍ଗଲରେ ବିଭିନ୍ନ ବନ୍ୟଜନ୍ତୁ, ୱାଚ୍ ଟାୱାର, ଭ୍ୟୁ ପଏଣ୍ଟ ଏବଂ ଦରଗଡଶିଳା ଡ୍ୟାମ୍ ଆଦି ଦେଖି ପର୍ଯ୍ୟଟକମାନେ ବେଶ ଖୁସି ଅନୁଭବ କରୁଛନ୍ତି । କେନ୍ଦୁଝର ବନଖଣ୍ଡର ଘଞ୍ଚ ଜଙ୍ଗଲ ଓ ବିଭିନ୍ନ ବିରଳ ବୃକ୍ଷଲତାରେ ପରିପୂର୍ଣ ଅଟେଇ ଜଙ୍ଗଲ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ ।