ବଜାରକୁ ଆସିଲା ନୂଆ ଟୁଥପେଷ୍ଟ ଫ୍ଲେବର, ଯାହାର ସ୍ୱାଦ KFC ଫ୍ରାଏଡ ଚିକେନ ପରି

ସାଧାରଣ ଭାବେ ଆପଣମାନେ ବିଭିନ୍ନ ପ୍ରକାରର ଟୁଥପେଷ୍ଟ ବ୍ୟବହାର ନିଶ୍ଚୟ କରିଥିବେ । ଏଥି ସହ ବିଭିନ୍ନ ପ୍ରକାରର ଫ୍ଲେବର ମଧ୍ୟ ବ୍ୟବହାର କରିଥିବେ । ଆଉ ଏହାରି ମଧ୍ୟରେ ବଜାରକୁ ଆସିଛି ଏକ ନୂଆ ପ୍ରକାରର ଟୁଥପେଷ୍ଟ । ଯେଉଁଥିରେ ଦାନ୍ତ ଘଷିଲେ ଆପଣମାନେ ଫ୍ରାଏଡ ଚିକେନର ସ୍ବାଦ ପାଇପାରିବେ । ଫ୍ରାଏଡ୍ ଚିକେନ୍ ଆଉ କେବଳ ଏକ ଖାଦ୍ୟ ନୁହେଁ । ଏହା ଏକ ଟୁଥପେଷ୍ଟ ମଧ୍ୟ ହୋଇଗଲାଣି । ଆମେରିକୀୟ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଚେନ୍ କେଏଫସି ଏକ ସ୍ୱତନ୍ତ୍ର ଟୁଥପେଷ୍ଟ ଲଞ୍ଚ କରିଛି । ଯାହାକୁ ଲୋକମାନେ ଏତେ ପସନ୍ଦ କରିଛନ୍ତି ଯେ ଏହାର ସମସ୍ତ ପ୍ରଡକ୍ଟ ମାତ୍ର ୪୮ ଘଣ୍ଟାରେ ବିକ୍ରି ହୋଇଛି ।

କମ୍ପାନୀ ଦାବି କରିଛି ଯେ, ଏହାକୁ କିଛି ଜଡ଼ିବୁଟି ଏବଂ ମସଲା ସାହାଯ୍ୟରେ ତିଆରି କରାଯାଇଛି । ଲୋକମାନେ ଏହାର ଟେଷ୍ଟକୁ ବେଶ୍ ପସନ୍ଦ କରୁଛନ୍ତି । କାରଣ ଏହାକୁ ବଜାରରେ ଲଞ୍ଚ କରିବାର ମାତ୍ର ୨ ଦିନ ମଧ୍ୟରେ ସମସ୍ତ ପ୍ରଡକ୍ଟ ବିକ୍ରି ହୋଇଯାଇଛି । KFCର ଓରିଜିନାଲ ହଟ ଚିକେନ ରେସିପୀର ଏକ ଗ୍ରେଭି ଭରା ପିସ ପରି ଏହି ଟୁଥପେଷ୍ଟ ଆପଣଙ୍କ ଦାନ୍ତକୁ ସ୍ବାଦରେ ଭରିଦେବ ଓ ମୁହଁକୁ ତାଜା କରାଇବ ବୋଲି KFC ପକ୍ଷରୁ କୁହାଯାଇଛି ।

ଟୁଥପେଷ୍ଟ ନିର୍ମାତା ଅଷ୍ଟ୍ରେଲିୟ ଓରାଲ କେୟାର କମ୍ପାନୀ ହିସ୍ମାଇଲ ସହ ବୁଝାମଣା କରି କେଏଫସି ସୀମିତ ସମୟ ପାଇଁ ଏହି ଉତ୍ପାଦକୁ ଲଞ୍ଚ କରିଛି । ହିସ୍ମାଇଲର ମାର୍କେଟିଂ ପ୍ରବନ୍ଧକ କହିଛନ୍ତି, ଆମେ ଏହାକୁ ଆଗକୁ ବଢାଇବାକୁ ଚାହିଁବୁ । KFCର ପ୍ରସିଦ୍ଧ ସ୍ବାଦକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ନେଇ ଏହାଠାରୁ ଭଲ ତରିକା ଆଉ କ’ଣ ହୋଇପାରେ? ଏହା ଏପରି ସ୍ବାଦଯୁକ୍ତ ହୋଇଛି ଯେ ଆଙ୍ଗୁଠିକୁ ଚାଟିବା ପାଇଁ ଇଚ୍ଛା ହୋଇଥାଏ । ଏଥି ସହ ଏହାକୁ ୧୧ଟି ଖାସ୍ ମସଲାର ମିଶ୍ରଣରେ ତିଆରି କରାଯାଇଛି ବୋଲି କୁହାଯାଇଛି । ଏହି ଟୁଥପେଷ୍ଟ ହିସ୍ମାଇଲ ଓ୍ବେବସାଇଟରେ ୧୩ ଡଲାର ବା ୧୧୧୩ ଟଙ୍କାରେ ଉପଲବ୍ଧ । ଯଦି ଆପଣ KFC ଫ୍ଲେବର ଟୁଥପେଷ୍ଟର ମଜ୍ଜା ନେବାକୁ ଚାହୁଁଛନ୍ତି, ତେବେ ଏହାକୁ ତୁରନ୍ତ କିଣିନିଅନ୍ତୁ ।