୨୪ ଘଣ୍ଟା ଖୋଲା ରହୁଛି ବୃଦ୍ଧଙ୍କ ଆଖି! ଚାହିଁକି ବି ବନ୍ଦ କରିପାରୁ ନାହାନ୍ତି; ଶୋଇବା ପାଇଁ ରାତିରେ ବାନ୍ଧିବାକୁ ପଡ଼ୁଛି ପଟି

ମଣିଷ ସବୁବେଳେ ସୁନ୍ଦର ଦେଖା ଯିବାକୁ ଚାହେଁ। ଏହି ଇଚ୍ଛା ବେଳେବେଳେ ଏତେ ମାତ୍ରାରେ ବଢ଼ିଯାଇ ଥାଏ ଯେ ସେ ନିଜ ଶରୀର ବିଷୟରେ ମଧ୍ୟ ଭାବି ନ ଥାଏ। ଏମିତି ହିଁ ବ୍ରିଟିଶର ଜଣେ ବୃଦ୍ଧ ନିଜ ବୟସଠାରୁ ଛୋଟ ଦେଖାଯିବା ପାଇଁ କସମେଟିକ୍ ଟ୍ରିଟ୍‌ମେଣ୍ଟର ସାହାରା ନେଇଥିଲେ। ହେଲେ ଭାଗ୍ୟ ତାଙ୍କୁ ସାଥ୍‌ ଦେଇ ନ ଥିଲା, କାହିଁକି ନା, ତାଙ୍କର ଏହି ସର୍ଜରୀ ବିଫଳ ରହିଥିଲା। ଯାହାଫଳରେ ବୃଦ୍ଧ ଜଣକ ଚାହିଁ ମଧ୍ୟ ବର୍ତ୍ତମାନ ତାଙ୍କ ଆଖି ବନ୍ଦ କରିପାରୁ ନାହାନ୍ତି। ଏପରି କି, ଶୋଇବା ସମୟରେ ବି ତାଙ୍କୁ ଆଖି ଉପରେ ଟେପ୍‌ ଲଗାଇବାକୁ ପଡ଼ୁଛି।

ଇଂଲଣ୍ଡରେ ରହୁଥିବା ୭୯ ବର୍ଷୀୟ ବୃଦ୍ଧ ବ୍ୟକ୍ତି ୨୦୧୯ ମସିହାରେ ନିଜର କସମେଟିକ୍ ସର୍ଜରୀ କରାଇଥିଲେ। ତାଙ୍କର ଦୁଇ ସନ୍ତାନର ମା’ ଅର୍ଥାତ୍‌ ତାଙ୍କ ପତ୍ନୀ ବୃଦ୍ଧ ପେଟ୍‌ ବ୍ରଡହର୍ଷ୍ଟଙ୍କୁ ଏହା କହି ଛାଡ଼ି ଚାଲି ଯାଇଥିଲେ ଯେ ସେ ଦେଖିବାକୁ ସୁନ୍ଦର ନୁହଁନ୍ତି। ଏମିତିରେ ସେ ଏକ ଡେଣ୍ଟାଲ ପ୍ରଣାଳୀ ଦ୍ୱାରା ନିଜ ଗାଲ ଦୁଇଟିକୁ ଲିଫ୍ଟ କରାଇଥିଲେ। ଏହା ବ୍ୟତୀତ ନିଜ ଚେହେରାର ଚର୍ମ କୁଞ୍ଚନକୁ ମଧ୍ୟ କମାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ବହୁ ପଇସା ଖର୍ଚ୍ଚ କରି ପ୍ଲାଷ୍ଟିକ୍ ସର୍ଜରୀ କରାଇଥିଲେ।

ଅନେକ ପ୍ଲାଷ୍ଟିକ୍ ସର୍ଜରୀ କରାଇଛନ୍ତି

ପେଟ୍‌ ବ୍ରଡହର୍ଷ୍ଟ ଯୁବା ତଥା ଭଲ ଦେଖାଯିବା ପାଇଁ ପାଖାପାଖି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅନେକ ଅସ୍ତ୍ରୋପଚାର କରାଇଥିଲେ। ନେକ୍‌ ଲିଫ୍ଟ, ଅଣ୍ଡର ଆଇ ବ୍ଲେଫେରୋପ୍ଲାଷ୍ଟୀ ଓ ରାଇନୋପ୍ଲାଷ୍ଟୀ ଭଳି ସର୍ଜରୀ ପରେ ସେ ୯ ଘଣ୍ଟା ହସ୍ପିଟାଲରେ ରହିଥିଲେ। ଏହାପରେ ଘରକୁ ଫେରିଥିଲେ। ହେଲେ ତାଙ୍କୁ ତୁରନ୍ତ ହିଁ ଅନୁଭବ ହୋଇଥିଲା ଯେ କିଛି ଭୁଲ୍ ହୋଇଛି। ଅସ୍ତ୍ରୋପଚାରର ଗୋଟିଏ ଦିନ ପରେ ତାଙ୍କ ମୁହଁ ଫୁଲି ଯାଇଥିଲା ଏବଂ ସେ ଆଖି ବନ୍ଦ କରି ପାରୁ ନ ଥିଲେ। ରାତିରେ ଶୋଇବା ତାଙ୍କ ପାଇଁ ବହୁ କଷ୍ଟସାଧ୍ୟ ଥିଲା। ଯେତେବେଳେ ସେ ଏହା ବିଷୟରେ ଡାକ୍ତରଙ୍କୁ ପଚାରିଥିଲେ, ତ ଡାକ୍ତର ତାଙ୍କୁ କହିଥିଲେ ଯେ କିଛି ଦିନ ପରେ ସବୁ ଠିକ୍‌ ହୋଇଯିବ।

ସ୍ୱପ୍ନ ପାଲଟିଗଲା ଆଖିପତା ବନ୍ଦ କରିବା

ଅନ୍ୟ ଡାକ୍ତରମାନଙ୍କୁ ଯେତେବେଳେ ପେଟ୍‌ ନିଜ ସମସ୍ୟା ବିଷୟରେ କହିଲେ, ତ ସେମାନେ କରେକ୍ଟିଭ୍‌ ଅସ୍ତ୍ରୋପଚାର କରାଇବାକୁ କହିଥିଲେ। ଏହାପରେ ପେଟ୍‌ ପୁଣି ଡାକ୍ତରଖାନାରେ ୪ ଘଣ୍ଟା ବିତାଇ ନିଜର କରେକ୍ଟିଭ୍‌ ଅସ୍ତ୍ରୋପଚାର କରାଇଥିଲେ, ଯେପରି ତାଙ୍କ ଆଖି ବନ୍ଦ ହୋଇ ପାରିବ। ଯଦିଓ ଏହି ଘଟଣାକୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ ଆଖିପତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଉ ନାହିଁ। ଏହି କାରଣରୁ ତାଙ୍କୁ ଦେଖିବାରେ ଅସୁବିଧା ହେଉଛି ଏବଂ ଶୋଇବା ସମୟରେ ସେ ଆଖିରେ ଗରମ ତଉଲିଆ ରଖୁଛନ୍ତି। ତାଙ୍କ ମୁହଁରେ କୌଣସି ବି ପ୍ରକାର ଏକ୍ସପ୍ରେସନ ଆସୁନାହିଁ। ସେ ନିଜ ସମସ୍ୟାକୁ ହ୍ରାସ କରିବା ପାଇଁ ତୁର୍କୀରେ ମଧ୍ୟ ଚିକିତ୍ସା ଆରମ୍ଭ କରିଛନ୍ତି, ଯେଉଁଥିରେ ତାଙ୍କୁ କିଛି ମାତ୍ରାରେ ଆରାମ ମିଳୁଛି। କିନ୍ତୁ ତାଙ୍କ ଆଖି ଏବେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହେଉ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.