ଆଗରୁ କୋକେଇରେ ଆସିଥିଲେ, ଏଥର ବର ବେଶରେ ଆସି ନାମାଙ୍କନ ଭରିଲେ ପ୍ରାର୍ଥୀ; କହିଲେ ମୁଁ ‘ରାଜନୀତିର ଜ୍ବାଇଁ ’

ଉତ୍ତରପ୍ରଦେଶ ର ସାହାଜାହାନପୁର ଜିଲ୍ଲାରେ ଜଣେ ପ୍ରାର୍ଥୀ ବର ବେଶରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଜିଲ୍ଲାପାଳ ଅଫିସରେ ପହଞ୍ଚି ଥିଲେ । ଯାହାକୁ ଲୋକମାନେ ଏକ ବ୍ୟଙ୍ଗାତ୍ମକ ଢଙ୍ଗରେ ଗ୍ରହଣ କରିଛନ୍ତି ।
ସେଠାକାର ସଂଯୁକ୍ତ ବିକାଶ ପାର୍ଟିର ପ୍ରାର୍ଥୀ ହେଉଛନ୍ତି ବୈଦରାଜ କିଶାନ । ସେ ବରବେଶରେ ଘୋଡା ଉପରେ ସବାର ହୋଇ ବ୍ୟାଣ୍ଡ ବାଜା ଓ ବରଯାତ୍ରୀ ସହ ଆସି ଅଭିନବ ଢଙ୍ଗରେ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଘୋଡା ଉପରୁ ଓହ୍ଲାଇ ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ ଯିବାକୁ ପ୍ରଶାସନିକ ଅଧିକାରୀ ଓ ପୋଲିସ କହିଥିଲେ । ତେଣୁ ବୈଦରାଜ ଚାଲି ଚାଲି ଜିଲ୍ଲାପାଳ ଅଫିସକୁ ଯାଇଥିଲେ ।
ତାଙ୍କର ଏହି ଭଳି ଢଙ୍ଗରେ ନାମାଙ୍କନ ଭରିବା ପଛରେ ଉଦ୍ଦେଶ୍ୟ କଣ ବୋଲି ଗଣମଧ୍ୟମର ପ୍ରତିନିଧି ପ୍ରଶ୍ନ କରିବାରୁ, ବୈଦରାଜ କହିଥିଲେ ‘ମୁଁ ରାଜନୀତିରେ ଜ୍ବାଇଁ, ଆଉ ଆଜି ମୋର ବିବାହ ବାର୍ଷିକୀ ହୋଇଥିବାରୁ ମୁଁ ବରବେଶ ହୋଇ ଆସିଛି ’ ।
ବୈଦରାଜ କିଶନ ପୂର୍ବ ବିଧାନସଭା ନିର୍ବାଚନ ବେଳେ କୋକେଇରେ ଆସି ନାମାଙ୍କନ ଭରିଥିଲେ । ତା ପୂର୍ବରୁ ମଧ୍ୟ ମଇଁଷି ଗାଡ଼ିରେ ବସି ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏମିତି ଅନେକ ଥର ନିର୍ବାଚନରେ ବୈଦରାଜ ନିଜ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି । ହେଲେ ସଫଳ ହୋଇ ନାହାନ୍ତି ।