ଅସହାୟଙ୍କ ପାଇଁ କାନ୍ଦି ଉଠେ ଯାହାର ହୃଦୟ, ଏମିତି ଜଣେ ରିୟଲ ହିରୋ ଶଙ୍ଖପୁର ଗାଁର ନରେନ୍ଦ୍ର

ଅନୁଗୋଳ: ଦିନ ଥିଲା ହାତରେ ବନ୍ଧୁକ ଧରି ଶତ୍ରୁଙ୍କଠାରୁ ଦେଶର ସୀମାକୁ ସୁରକ୍ଷା ଦେଉଥିଲେ । ହେଲେ ସୈନ୍ୟ ବାହିନୀରୁ ଅବସର ନେବା ପରେ ଏବେ ସମାଜ ସେବାରେ ନିଜକୁ କରିଛନ୍ତି ଉତ୍ସର୍ଗ । ଏବେ ଅଞ୍ଚଳବାସୀ ତାଙ୍କୁ ରିୟଲ ହିରୋର ଆଖ୍ୟା ଦେଇଛନ୍ତି ।

ସେ ହେଉଛନ୍ତି ଅନୁଗୋଳ ବ୍ଲକ ଶଙ୍ଖପୁର ଗାଁର ନରେନ୍ଦ୍ର କୁମାର ଦେହୁରୀ । ବୟସ ୪୮ବର୍ଷ । ଗରିବ ଲୋକମାନଙ୍କୁ ସେ ମାଗଣାରେ ଅଟୋରେ ଡାକ୍ତରଖାନାକୁ ନେଉଥିବାବେଳେ ନିଜ ଖର୍ଚ୍ଚରେ ବନ୍ତଳା ଛକରେ ସର୍ବସାଧାରଣଙ୍କ ପାଇଁ ନିର୍ମାଣ କରିଛନ୍ତି ଏକ ଶୌଚାଳୟ । ଯାହାକୁ ସେ ଗତ ୧୯ ତାରିଖ ଦିନ ଉଦଘାଟନ କରିଛନ୍ତି ।

୧୯୯୫ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ନରେନ୍ଦ୍ର ମଣିପୁର, ପଞ୍ଜାବ, ରାଜସ୍ଥାନ ସୀମାରେ ରହି ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ତୁଲାଇଥିଲେ । ୨୪ ବର୍ଷ ଦେଶ ସେବାରେ ନିୟୋଜିତ ହେବା ପରେ ୨୦୧୯ରେ ହାବିଲଦାର ପଦରୁ ଅବସର ନେଇଥିଲେ । ଏହାପରେ ସେ ଲୋକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରିଆସୁଛନ୍ତି । ବିପଦ ସମୟରେ ଅଞ୍ଚଳବାସୀଙ୍କୁ ସାହାଯ୍ୟ କରିବାର ମନୋବୃତ୍ତ ପାଇଁ ସମସ୍ତଙ୍କ ପାଖରେ ସେ ଅତି ଆପଣାର ଭାବେ ପରିଚିତ ।

ଗରିବ ଲୋକଙ୍କୁ ମାଗଣାରେ ଡାକ୍ତରଖାନାକୁ ନେବା ପାଇଁ ସେ ଏକ ବ୍ୟାଟେରି ଚାଳିତ ଅଟୋ କିଣିଛନ୍ତି । ଦୁଇ ବର୍ଷରୁ ଅଧିକ ସମୟ ହେଲା ସେହି ଅଟୋରେ ଗରିବ ଲୋକଙ୍କୁ ଡାକ୍ତରଖାନାକୁ ନେବା ଆଣିବା କରୁଛନ୍ତି । ଦିନ ହେଉ କି ରାତି, ଯେତେବେଳେ ଡାକରା ଆସେ ସେ ସିଧା ପହଞ୍ଚିଯାଆନ୍ତି ରୋଗୀଙ୍କ ପାଖରେ ବନ୍ତଳା ଛକ ଏକ ଜନଗହଳିପୂର୍ଣ ସ୍ଥାନ ।

ଏହି ଛକକୁ ଅନୁଗୁଳ ବ୍ଲକ୍‌ର ୧୫ରୁ ଅଧିକ ପଞ୍ଚାୟତ ଲୋକ ବିଭିନ୍ନ କାର୍ଯ୍ୟରେ ଏଠାକୁ ଯାତାୟାତ କରିଥାନ୍ତି । ବନ୍ତଳା ଛକରେ ଶୌଚାଳୟ ନଥିବାରୁ ମହିଳାଙ୍କଠୁ ପୁରୁଷ, ସମସ୍ତେ ହଟହଟା ହେଉଥିଲେ । ବାଧ୍ୟବାଧକତାରେ ମହିଳାମାନଙ୍କୁ ରାସ୍ତା କଡ଼ରେ ପରିସ୍ରା କରିବାକୁ ପଡୁଥିଲା । ଛକରେ ଏକ ଶୌଚାଳୟ ନିର୍ମାଣ ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଅନେକ ଥର ଦାବି କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା ।

ଏହି ସମସ୍ୟାର ସମାଧାନ ପାଇଁ ନରେନ୍ଦ୍ର ବନ୍ତଳା ଛକରେ ନିଜ ଜାଗାରେ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ କରିଛନ୍ତି । ସେବା ପରାୟଣ ନରେନ୍ଦ୍ର ବାସ୍ତବ ଜୀବନରେ ହିରୋ ଆଖ୍ୟା ଦେଇଛନ୍ତି ଅଞ୍ଚଳବାସୀ ।

ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ନିଜ କଥା ବୁଝିବାକୁ ବି ସମୟ ନାହିଁ । କିନ୍ତୁ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଅସହାୟ ମଣିଷଙ୍କ ଦୁଃଖ ବୁଝନ୍ତି । ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା ବି କରନ୍ତି । ଯେମିତିକି ଶଙ୍ଖପୁର ଗାଁର ନରେନ୍ଦ୍ର ।