ଶବ୍ଦଠାରୁ ଦ୍ୱିଗୁଣ ସ୍ପିଡ୍ରେ ଉଡ଼ିବ ଏହି ବିମାନ, ପ୍ରଥମେ ବ୍ୟବହାର କରିବେ ଆମେରିକାର ରାଷ୍ଟ୍ରପତି
କାଲିଫର୍ଣ୍ଣିଆର ‘ଏକ୍ସଜୋସୋସିକ୍’ ନାମକ ଷ୍ଟାର୍ଟ ଅପ୍ କମ୍ପାନୀ, ଆମେରିକାର ଏୟାରଫୋର୍ସ ସହ ମିଶି ଏକ ସୁପରସୋନିକ ପ୍ଲେନ୍ ନିର୍ମାଣ କରିବାକୁ ଯାଉଛି। ଏହାକୁ ଆମେରିକା ଏୟାରଫୋର୍ସରେ ସାମିଲ କରାଯିବ। ଏହି ଷ୍ଟାର୍ଟ ଅପ୍ କମ୍ପାନୀ ନିଜ ଲୋ-ବୁମ୍ ସୁପରସୋନିକ ଜେଟ୍ ସାହାଯ୍ୟରେ ଆମେରିକାର ମିଲଟାରୀକୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛି।
ଏବେ ଏହି ଷ୍ଟାର୍ଟଅପ୍କୁ ଆମେରିକାର ରାଷ୍ଟ୍ରପତି ଓ କାର୍ଯ୍ୟକାରୀ ଏୟାରଲିଫ୍ଟ ନିର୍ଦ୍ଦେଶାଳୟରୁ ଆଉ ଏକ କଣ୍ଟ୍ରାକ୍ଟ ମିଳିଛି। ଏବେ ଏହାକୁ ଆମେରିକା ରାଷ୍ଟ୍ରପତି ଓ କାର୍ଯ୍ୟକାରୀ ଶାଖାର ବିଶିଷ୍ଟ ଅତିଥିମାନେ ବ୍ୟବହାର କରିବେ ବୋଲି ଜଣାଯାଇଛି।

ତେବେ ଏହି ଖାସ୍ ବିମାନ ସମ୍ପର୍କରେ ନିର୍ମାତା କମ୍ପାନୀ କହିଛି ଯେ, ବିମାନରେ ଯେଉଁ ଟେକ୍ନିକ୍ ବ୍ୟବହାର କରାଯାଇଛି ତାହା ଆଜି ପର୍ଯ୍ୟନ୍ତ ଆଉ କୌଣସି ପ୍ଲେନ୍ରେ ବ୍ୟବହାର କରାଯାଇନାହିଁ। ଏହି ୩୧ ସିଟ୍ ଯୁକ୍ତ ଲଗ୍ଜ୍ୟୁରୀ ପ୍ଲେନ୍ରେ ଲକ୍ଜ୍ୟୁରୀ ଲେଦର, କାମ କରିବା ଓ ବିଶ୍ରାମ କରିବା ପାଇଁ ପ୍ରାଇଭେଟ୍ ସୁଇଟ୍ସ ମଧ୍ୟ ରହିଛି।
ଏଥିରେ ଗୋଟିଏ ପ୍ରାଇଭେଟ ସୁଇଟ୍ରେ ୩ ଯାତ୍ରୀଙ୍କ ପାଇଁ ଗୋଟିଏ ମିଟିଂ ରୁମ୍, ଭିଡିଓ ଟେଲି କନ୍ଫରେନ୍ସିଂ ଓ ଗଣମାଧ୍ୟମକୁ ସୂଚନା ଦେବାକୁ ସ୍ୱତନ୍ତ୍ର ସୁବିଧା ରହିଛି। ଏହା ବ୍ୟତୀତ ଅନ୍ୟ ପ୍ରାଇଭେଟ୍ ସୁଇଟରେ ୮ଟି ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ ଅଛି। ଅନ୍ୟପଟେ ମେନ୍ କ୍ୟାବିନ୍ରେ ୨୦ଟି ବିଜନେସ୍ କ୍ଲାସ୍ ସିଟ୍ ରହିଛି। ଏହି ପ୍ଲେନ୍ ଶବ୍ଦଠାରୁ ଦୁଇଗୁଣ ଅଧିକ ସ୍ପିଡ୍ରେ ଅର୍ଥାତ୍ ପ୍ରାୟ ୨୨୨୨ କିଲୋମିଟର ପ୍ରତି ଘଣ୍ଟା ବେଗରେ ଖୁବ୍ କମ୍ ଶବ୍ଦ ସହ ଉଡ଼ିବା କ୍ଷମତା ରଖୁଛି।