ଖୁବ ସ୍ୱତନ୍ତ୍ର ଦେବୀ ମା’ଙ୍କ କାଳୀଶିଳା ମନ୍ଦିର, ଏହି ସ୍ଥାନରେ ଶୁମ୍ଭ-ନିଶୁମ୍ଭଙ୍କୁ ବଧ କରିଥିଲେ ମା’ ଦୁର୍ଗା

ନବରାତ୍ରିକୁ ହିନ୍ଦୁ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ । ନବରାତ୍ରି ହେଉଛି ଶକ୍ତିଙ୍କ ନଅଟି ରୂପକୁ ପୂଜା କରିବାର ସମୟ । ଏହି ସମୟରେ ଦେବୀ ଦୁର୍ଗାଙ୍କ ନଅଟି ଭିନ୍ନ ରୂପର ପୂଜା କରି ଭକ୍ତମାନେ ମାତାଙ୍କ ବିଶେଷ ଆଶୀର୍ବାଦ ପାଇଥାନ୍ତି । ନବରାତ୍ରି ସମୟରେ, ଦେଶବ୍ୟାପୀ ପ୍ରସିଦ୍ଧ ଦେବୀ ମନ୍ଦିର, ଶକ୍ତିପୀଠ ଏବଂ ସିଦ୍ଧପୀଠଗୁଡ଼ିକୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ଖୁବ ଭିଡ଼ ଜମେ ।

ଦେବୀ ଦୁର୍ଗାଙ୍କର ୫୧ଟି ଶକ୍ତିପୀଠ ଅଛି । କୁହାଯାଏ ଶକ୍ତିପୀଠ ଦର୍ଶନ କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ । ତେବେ ଆସନ୍ତୁ ଆଜି ଏପରି ଏକ ଶକ୍ତିପୀଠ ବିଷୟରେ ଯାହା ଉତ୍ତରାଖଣ୍ଡରେ ଅବସ୍ଥିତ । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଅବସ୍ଥିତ କାଳୀଶିଳା ମନ୍ଦିର ହେଉଛି ଏକ ଶକ୍ତିପୀଠ ଯାହା ଚମତ୍କାର ଏବଂ ଦିବ୍ୟ ଶକ୍ତିରେ ପରିପୂର୍ଣ୍ଣ । ଧାର୍ମିକ ବିଶେଷଜ୍ଞଙ୍କ ମତରେ, କାଳୀଶିଳା ଶକ୍ତିପୀଠର ମାହାତ୍ମ୍ୟ ଅତୁଳନୀୟ ଅର୍ଥାତ ଏହି ସ୍ଥାନର ଶକ୍ତିକୁ କାହା ସହ ତୁଳନା କରାଯାଇପାରିବ ନାହିଁ ।

ସ୍କନ୍ଦ ପୁରାଣର କେଦାରଖଣ୍ଡରେ ମଧ୍ୟ କାଳିଶିଳା ମନ୍ଦିର ବିଷୟରେ ଉଲ୍ଲେଖ ଅଛି । ରୁଦ୍ରପ୍ରୟାଗ ଜିଲ୍ଲାର ଉଖିମଠ ଅଞ୍ଚଳରେ, କାଲିମଠ ମନ୍ଦିରରୁ ପ୍ରାୟ ୮ କିଲୋମିଟର ଉଚ୍ଚରେ, କାଳୀଶିଳା ନାମରେ ପରିଚିତ ଏକ ଦିବ୍ୟ ପଥର ଅଛି । ବିଶ୍ୱାସ ଅନୁସାରେ, ଏହି ପଥରରେ ଦେବୀ କାଳୀଙ୍କ ପାଦଚିହ୍ନ ଏବେ ବି ରହିଛି ।

ଏହି ମନ୍ଦିର ସହ ଜଡ଼ିତ ମାନ୍ୟତା:

ଧାର୍ମିକ ବିଶ୍ୱାସ ଅନୁସାରେ, ଦେବୀ ଦୁର୍ଗା କାଳୀଶିଳାରେ ଶୁମ୍ଭ ଏବଂ ନିଶୁମ୍ଭର ବଧ କରିବା ପାଇଁ ୧୨ ବର୍ଷର ବାଳିକାର ରୂପ ଧାରଣ କରିଥିଲେ । ଏହି ଦୁଇ ରାକ୍ଷସଙ୍କୁ ବଧ କରିବା ପରେ ମାତା କାଳୀ ଏହି ସ୍ଥାନରେ ଅଦୃଶ୍ୟ ହୋଇଗଲେ । କୁହାଯାଏ ଯେ କାଳୀଶିଳାରେ ୬୪ଟି ଦେବୀ ଯନ୍ତ୍ର ଅଛି ଏବଂ ଏହି ଯନ୍ତ୍ରଗୁଡ଼ିକରୁ ଦେବୀ ଦୁର୍ଗା ତାଙ୍କର ଶକ୍ତି ପାଇଥିଲେ । ଧାର୍ମିକ ବିଶ୍ୱାସ ଅନୁସାରେ, ୬୪ ଜଣ ଯୋଗିନୀ ଏବେ ବି ଏହି ସ୍ଥାନରେ ବୁଲୁଛନ୍ତି ।

କାଳୀଶିଳା ମନ୍ଦିରକୁ ଦେବୀ ମାତାଙ୍କ ସବୁଠାରୁ ଶକ୍ତିଶାଳୀ ମନ୍ଦିର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଏହି ମନ୍ଦିର ଭାରତର ପ୍ରମୁଖ ସିଦ୍ଧ ଏବଂ ଶକ୍ତିପୀଠ ମଧ୍ୟରୁ ଗୋଟିଏ । ନବରାତ୍ରି ଏବଂ ଚାରିଧାମ ଯାତ୍ରା ସମୟରେ ଦେବୀ ମା’ଙ୍କ ଦର୍ଶନ ପାଇଁ କାଳୀଶିଳା ମନ୍ଦିରରେ ଭକ୍ତମାନଙ୍କର ଖୁବ ଭିଡ଼ ଜମେ ।

Also read: ଶନିଙ୍କୁ ଭକ୍ତି ନା ଭୟ ? ଗୋଟିଏ ଦିନରେ ଜଳି ଗଲା କୋଟି କୋଟି ଟଙ୍କାର ରାଶି ତେଲ