ଭାରତର ଏଭଳି ଗାଁ ଯେଉଁଠାରେ ଜୋତା ପିନ୍ଧନ୍ତି ନାହିଁ ଲୋକେ, ଡାକ୍ତରଖାନା ଯିବା ମନା

ଏହି ଗାଁରେ ଭିନ୍ନ ପ୍ରକାରର ନିୟମ ରହିଛି । ଏହି ଗାଁରେ ରହୁଥିବା ଅଧିବାସୀମାନେ ଡାକ୍ତରଖାନା ଯାଆନ୍ତି ନାହିଁ । ଭଗବାନ ହିଁ ତାଙ୍କର ସମସ୍ତ ସମସ୍ୟା ଦୂର କରିବେ ବୋଲି ସେମାନେ ବିଶ୍ୱାସ କରିଥାନ୍ତି ।

(କେନ୍ୟୁଜ ବ୍ୟୁରୋ): ଭାରତ ବିବିଧ ସଂସ୍କୃତିର ଦେଶ ଭାବେ ବିଶ୍ୱରେ ପରିଚିତ । ଭାରତରେ ଅନେକ ଗାଁ ଅଛି ଯେଉଁଠାରେ ଭିନ୍ନ ଭିନ୍ନ ନିୟମ ରହିଛି । ଗାଁ ମାନଙ୍କରେ ରହୁଥିବା ଲୋକମାନେ ସାଧାରଣତଃ ନିଜ ପରମ୍ପରାକୁ ଅଧିକ ମାନିଥାନ୍ତି । ତେବେ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଜୋତା ନପିନ୍ଧିବାର ନିୟମ ରହିଛି । ଏପରିକି ଅନ୍ୟ ସ୍ଥାନରୁ ଆସୁଥିବା ଲୋକମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ରହିଛି ।

ଆନ୍ଧ୍ରପ୍ରଦେଶର ବେମନା ଇନ୍ଦଲୁ ନାମକ ଗାଁରେ ଏପରି ପ୍ରଥା ରହି ଆସିଛି । ତିରୁପତିରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୨୫ ପରିବାର ରୁହନ୍ତି । ଏହି ଗାଁରେ ୮୦ ଜଣ ଲୋକ ରହୁଥିବା ଜଣା ପଡ଼ିଛି । ଗାଁ ଟି ଛୋଟ ହୋଇଥିଲେ ମଧ୍ୟ ଏଠାକାର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ । ଗାଁରେ ରହୁଥିବା ଅନେକ ପରିବାର ଅଶିକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବେ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଗାଁରେ ରହୁଥିବା ସମସ୍ତ ଅଧିବାସୀ ନିଜ ସରପଞ୍ଚଙ୍କ କଥା ମାନିଥାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ପେଲେଓ୍ଵକରି ସମ୍ପ୍ରଦାୟ ସହିତ ଜଡ଼ିତ ଲୋକେ ବସବାସ କରିବା ସହ ସେମାନେ ନିଜର ପରିଚୟ ଦୋରାବାରଲୁ ରୂପରେ କରିଥାନ୍ତି । ଆନ୍ଧ୍ରପ୍ରଦେଶରେ ଏହି ଅଧିବାସୀମାନଙ୍କୁ ପଛୁଆ ବର୍ଗର ଅଧିବାସୀ ଭାବେ ସ୍ଥାନିତ କରାଯାଇଛି । ତେବେ ଏହି ଗାଁରେ ଭିନ୍ନ ପ୍ରକାରର ନିୟମ ରହିଛି । ଏହି ଗାଁରେ ରହୁଥିବା ଅଧିବାସୀମାନେ ଡାକ୍ତରଖାନା ଯାଆନ୍ତି ନାହିଁ । ଭଗବାନ ହିଁ ତାଙ୍କର ସମସ୍ତ ସମସ୍ୟା ଦୂର କରିବେ ବୋଲି ସେମାନେ ବିଶ୍ୱାସ କରିଥାନ୍ତି । ଲୋକମାନେ ତିରୁପତି ଭଗବାନ ଭେଙ୍କେଟେଶ୍ୱରଙ୍କ ପୂଜା କରନ୍ତି ନାହିଁ । କାରଣ ଗାଁରେ ଏକ ମନ୍ଦିର ରହିଛି, ଯେଉଁଠାରେ ଗାଁର ସମସ୍ତ ଲୋକ ପୂଜା କରିଥାନ୍ତି । ଯେତେବେଳେ କେହି ରୋଗରେ ପିଡ଼ିତ ହୋଇଥାନ୍ତି, ମନ୍ଦିର ନିକଟରେ ଥିବା ଏକ ନିମ୍ବ ଗଛର ପରିକ୍ରମା କରିଥାନ୍ତି । ମନ୍ଦିର ପରିକ୍ରମା କରୁଥିଲେ ମଧ୍ୟ ଡାକ୍ତରଖାନା ଯିବା ଉଚିତ ମନେ କରନ୍ତି ନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାକାର ନିୟମ ଏତେ କଠୋର ହୋଇଥାଏ ଯେ, ଯଦି କେହି ଅନ୍ୟ ସ୍ଥାନରୁ ଆସିଥାନ୍ତି ସେମାନେ ମଧ୍ୟ ଜୋତା ବାହାର କରି ଏହି ଗାଁରେ ପ୍ରବେଶ କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.