ଡିଜ୍‌ନୀ ୱାର୍ଲ୍ଡ ବୁଲିବାର ସଉକ, ହେଲେ ପାଖରେ ନ ଥିଲା ପଇସା; ଏବେ ନିଜ ଶରୀରରୁ ରକ୍ତ ବିକ୍ରି କରିବାରେ ଲାଗିଛନ୍ତି ଏହି ଯୁବତୀ!

ନିଜ ଦେଶ ହେଉ କି ସାରା ବିଶ୍ୱ, ଭ୍ରମଣ କରିବାକୁ କିଏ ବା ପସନ୍ଦ ନ କରେ। କିନ୍ତୁ ଯେତେବେଳେ ଆମ ପାଖରେ ପଇସା ନ ଥାଏ, ତ ଆମେ ମନ ମାରି ବସି ଯାଇଥାଉ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ, ଯିଏ ନିଜ ଭ୍ରମଣର ସଉକକୁ ପୂରା କରିବା ପାଇଁ ଅଦ୍ଭୁତ ପଦକ୍ଷେପ ନେଇଛନ୍ତି, ଯାହା ବିଷୟରେ କେହି କେବେ କଳ୍ପନା ସୁଦ୍ଧା କରି ପାରିବେ ନାହିଁ।

ଏକ ରିପୋର୍ଟ ମୁତାବକ, ପେନ୍‌ସିଲଭାନିଆରେ ରହୁଥିବା ଲିଜ୍ ଗ୍ରାମଲିଚ୍ ନାମ୍ନୀ ଯୁବତୀ ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି। ଏହା ତାଙ୍କର ଏକ ସଉକ କହିଲେ ଭୁଲ୍‌ ହେବ ନାହିଁ। ତେବେ ନିଜର ଏହି ସଉକକୁ ପୂରଣ କରିବା ପାଇଁ ସେ ନିଜ ଶରୀରରୁ ରକ୍ତ ବିକିବା ଆରମ୍ଭ କରିଥିଲେ। ୨୮ ବର୍ଷୀୟା ଗ୍ରାମଲିଚ୍‌ଙ୍କୁ ପିଲାଦିନରୁ ହିଁ ଡିଜନୀ ୱାର୍ଲ୍ଡ ବୁଲିବାର ସଉକ ଥିଲା। କିନ୍ତୁ ପିଲାଦିନେ ତାଙ୍କ ପାଖରେ ଟଙ୍କା ନ ଥିଲା। ଯେତେବେଳେ ସେ ବଡ଼ ହୋଇଥିଲେ, ତ ସେଠାକୁ ଯିବା ପାଇଁ ଏକ ଅଜବ ଯୋଗାଡ଼ ବାହାର କରିଥିଲେ।

ଯୁବତୀ ଜଣକ ଖର୍ଚ୍ଚ ବହନ କରିବା ପାଇଁ ନିଜ ଶରୀରରୁ ରକ୍ତ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ପ୍ରତି ସପ୍ତାହରେ ଦୁଇଥର ନିଜର ପ୍ଲାଜମା ଡୋନେଟ୍‌ କରୁଛନ୍ତି, ଯେପରି ତାଙ୍କ ସଉକ ମଝିରେ ପଇସା ବାଧକ ନ ସାଜିବ। ଡିଜ୍‌ନୀ ୱାର୍ଲ୍ଡ ଟ୍ରିପ୍‌ କରିବାକୁ ଏହି ଯୁବତୀଙ୍କ ମୁଣ୍ଡରେ ଏକ ପ୍ରକାର ଭୂତ ସବାର ହୋଇଯାଏ। ସେ ପାଗଳ ପ୍ରାୟ ହୋଇ ଉଠନ୍ତି। ସେଠାକୁ ଯିବାକୁ ବହୁତ କ୍ରେଜି ଥାଆନ୍ତି ଗ୍ରାମଲିଚ୍। ସେ ୨୦୨୦ରେ ୧୫ ଥର ଆର୍‌ଲ୍ୟାଣ୍ଡୋ ଏବଂ ଫ୍ଲୋରିଡା ଭ୍ରମଣ କରି ସାରିଛନ୍ତି।

ପେନ୍‌ସିଲଭାନିଆରୁ ଫ୍ଲୋରିଡା ଯିବା ପାଇଁ ପ୍ରତି ମାସରେ ଯୁବତୀଙ୍କୁ ବହୁତ ଟଙ୍କାର ଆବଶ୍ୟକ ପଡ଼ୁଥିଲା। ତେଣୁ ସେ ନିଜ ରକ୍ତ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ କହିବା ଅନୁଯାୟୀ, ସେ ସପ୍ତାହରେ ଦୁଇଥର ପ୍ଲାଜମା ବିକ୍ରି କରି ୫୬ରୁ ୯୪ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ନିଅନ୍ତି।