ଆଜି ବି ଲୋକଙ୍କ ଦେହ ଥରାଇ ଦିଏ ୨୦ ବର୍ଷ ତଳେ ଆସିଥିବା ସୁନାମି, ହୋଇଥିଲା ଭୟଙ୍କର ତାଣ୍ଡବ
ଆଜି ବି ସେଦିନର ସେହି ଲୋମଟାଙ୍କୁରା ଘଟଣା ମନେ ପଡ଼ିଲେ ଦେହ ଥରି ଉଠେ । ଖ୍ରୀଷ୍ଟମାସ ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଥିଲା । ଖୁସି ମିଜାଜରେ ସବୁ ନୂଆ ବର୍ଷକୁ ଅପେକ୍ଷା କରିଥିଲେ । କିନ୍ତୁ ହଠାତ ଘୋଟି ଆସିଥିଲା କଳା ବାଦଲ । ୨୦୦୪ ଡିସେମ୍ବର ୨୬ । ସକାଳ ପ୍ରାୟ ୬ ଟା ବାଜିଥାଏ । ସମସ୍ତେ ସମୁଦ୍ରର ଗତିବିଧି ଦେଖୁଥାନ୍ତି । ପୁରା ଦ୍ୱୀପ କମ୍ପୁଥିଲା। ଆଉ ପାଖାପାଖି ୩୫ ମିଟର ଉଚ୍ଚର ଜୁଆର ମାଡ଼ି ଆସୁଥାଏ । ପ୍ରକୃତିର ଏମିତି ତାଣ୍ଡବ ପୂର୍ବରୁ କେହି ବି ଦେଖି ନଥିଲେ । ଏନେଇ କାହାକୁ କୌଣସି ଚେତାବନୀ ମିଳି ନଥିଲା । ବଡ଼ ବଡ଼ ଢେଉ ଅଞ୍ଚଳବାସୀଙ୍କ ଆଡ଼କୁ ମାଡ଼ି ଆସୁଥାଏ । କେହି କିଛି ବୁଝିବାକୁ ସମୟ ନଥାଏ । ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । ଅନେକ ଲୋକ ପାହାଡ଼ ଆଡ଼କୁ ଦୌଡ଼ୁଥାନ୍ତି । ମାତ୍ର କେଇ ମିନିଟ ଭିତରେ ସବୁ କିଛି ହୋଇଗଲା ଧୂଳିସାତ । ୨୦ ବର୍ଷ ତଳେ ଏମିତି କିଛି ହୋଇଥିଲା ଯାହାକୁ ମନେ ପକାଇଲେ ଆଜି ବି ମନରେ ଛନକା ପଶେ । ଦକ୍ଷିଣ ଭାରତ ତଥା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଯେଉଁ ଅଘଟଣ ଘଟିଥିଲା ତାକୁ ଆଜି ବି ଲୋକେ ଭୁଲି ନାହାନ୍ତି ।
ଆମେ ସେହି ୨୦ ବର୍ଷ ତଳେ ଆସିଥିବା ସୁନାମି କଥା କହୁଛୁ । ୨୦ ବର୍ଷ ପୂର୍ବେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଘଟିଥିବା ଭୟଙ୍କର ସୁନାମିର ସ୍ମୃତି ଲୋକମାନଙ୍କ ମନରେ ଏବେ ବି ସତେଜ ଅଛି । ଏହି ସୁନାମିରେ ୪୦୦ରୁ ଅଧିକ ଲୋକେ ପ୍ରାଣ ହରାଇଥିବାବେଳେ ୩୦୦୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ । ଆଣ୍ଡାମାନ -ନିକୋବରର କ୍ୟାମ୍ପବେଲ ବେ ଏବଂ କାର ନିକୋବରରେ ହୋଇଥିଲା ବିନାଶ । ଯାହାର ଦୃଶ୍ୟ ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି । ସେଠାକାର ଭଙ୍ଗା ସ୍କୁଲ, ଚର୍ଚ୍ଚ ଏବଂ ସରକାରୀ ଅନୁଷ୍ଠାନକୁ ଦେଖିଲେ ଲୋକେ ଆଜି ବି ଭୟ କରନ୍ତି ।
ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୫୩୫ କିଲୋମିଟର ଦୂରରେ ଥିବା ନିକୋବର ଜିଲ୍ଲାରେ ହୋଇଥିବା ସୁନାମି ଘଟାଇଥିଲା ସର୍ବାଧିକ ବିନାଶ । ୨୦ ବର୍ଷ ପୂର୍ବେ କାର ନିକୋବରର ତମାଲୁ ଗାଁରେ ହୋଇଥିବା ଏହି ବିନାଶର ଦୃଶ୍ୟ ଆଜି ବି ସେଦିନର କଥାକୁ ମନେ ପକାଏ । ପ୍ରତିବର୍ଷ ନିକୋବର ଆଦିବାସୀ ଗୋଷ୍ଠୀ ଏଠାରେ ଏକ ଘରେ ଏକତ୍ରିତ ହୁଅନ୍ତି ଏବଂ ସୁନାମିରେ ହଜିଯାଇଥିବା ପରିବାର, ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ମନେ ପକାନ୍ତି । ପରେ ପଦଯାତ୍ରା ପାଇଁ ବାହାରନ୍ତି ।
ସରକାରୀ ଆକଳନ ଅନୁଯାୟୀ ପୋର୍ଟ ବ୍ଲେୟାର ଠାରୁ ୨୭୪ କିଲୋମିଟର ଦୂରରେ ଥିବା କାର ନିକୋବରରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁନାମି ଯୋଗୁଁ ୫୮୩ ଜଣ ନିଖୋଜ ହୋଇଥିଲେ । ଏହା ବ୍ୟତୀତ ଟେରେସା ଦ୍ୱୀପରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୬ ଜଣ ନିଖୋଜ ଥିଲେ । ଚୌଡାରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଥିଲେ । ସେପଟେ କ୍ୟାମ୍ପବେଲ ବେ ରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨୦ ଜଣ ନିଖୋଜ ହୋଇଥିଲେ । ଏହା ବ୍ୟତୀତ ନିକୋବାଲ ଜିଲ୍ଲାର କଚଲ ଦ୍ୱୀପରେ ସର୍ବାଧିକ ୧,୬୩୫ ଜଣ ନିଖୋଜ ହୋଇଥିଲେ । କିନ୍ତୁ ଏଠାରେ ଜଣେ ମୃତ୍ୟୁବରଣ କରିଥିଲେ । ତେବେ ସେଦିନର ସେହି ଘଟଣା ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି ।