ବାପାଙ୍କ ଏକାଦଶାହରେ ବଡ ପୁଅର ଅକାଳ ବିୟୋଗ, ଏମିତି ଦୁଃଖକୁ କେମିତି ସହିବ ଏ ପରିବାର
ଚାଲିଥିଲା ବାପାଙ୍କ ଏକାଦଶାହ, ବଡପୁଅର ଅକାଳ ମୃତ୍ୟୁ । ବାପାଙ୍କ ମୃତ୍ୟୁକୁ ପୁରିଥିଲା ୧୧ ଦିନ ।ଏତିକି ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ବଡପୁଅ ।ପରିବାର ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବଡ଼ପୁଅର ମୃତ୍ୟୁ ହୋଇ ସାରିଥିଲା ।
ଆନନ୍ଦପୁର (କେନ୍ୟୁଜ): ଚାଲିଥିଲା ବାପାଙ୍କ ଏକାଦଶାହ। ନୀତି ଅନୁସାରେ ସବୁ କର୍ମ କରୁଥିଲେ ବଡପୁଅ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଦୁଃଖ ଉପରେ ଲଦି ହୋଇପଡିଲା ଆଉ ଏକ ଦୁଃଖ। ବାପାଙ୍କ ଏକାଦଶାହ କର୍ମ ସାରିବା ପରେ ଆଖି ବୁଜିଦେଲେ ବଡ ପୁଅ। ଏଭଳି ଏକ ହ୍ରୁଦୟ ବିଦାରକ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ସଢା ଗାଁରେ ।
କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ପରିବେଶ। ଗୋଟିଏ ଦୁଃଖ ମନରୁ ନଲିଭୁଣୁ ଚାଲି ଆସିଲା ଆଉ ଏକ ଦୁଃଖ ସତରେ ମୃତ୍ୟୁ ଯେ କାହା ପାଇଁ କେତେବେଳେ କେଉଁ ରୂପରେ ଆସେ ତାହା କଳ୍ପନା କରିବା ମୁସ୍କିଲ। ମୃତ୍ୟୁର ଏଭଳି ଅକଳ୍ପନୀୟ ରୂପ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ହତବାକ କରିଦେଇଛି।
ସଢା ଗାଁର ମୃତକ ର୍ସ୍ୱଗତ ନାରାୟଣ ନାୟକଙ୍କ ବଡପୁଅ ଅଭିମନ୍ୟୁ ନାୟକ । ବାପା ନାରାୟଣଙ୍କ ମୃତ୍ୟୁକୁ ପୁରିଥିଲା ୧୧ ଦିନ । ରୀତିନୀତି ଅନୁଯାୟୀ କର୍ମ ଚାଲିଥିଲା । ବ୍ରାହ୍ମଣ ଭୋଜନ ପରେ ଗାଁ ଲୋକେ ଖାଇଥାନ୍ତେ । ଏତିକି ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ବଡପୁଅ ଅଭିମନ୍ୟୁ। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ବାଟରେ ହିଁ ଆଖିବୁଜିଦେଇଥିଲେ ଅଭିମନ୍ୟୁ। ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଅଭିମନ୍ୟୁଙ୍କ ମୃତ୍ୟୁ ଘୋଷଣା କଲେ ଡାକ୍ତର।
ସୂଚନା ଥାଉକି, ୧୧ ଦିନ ପୂର୍ବରୁ ଅଭିମନ୍ୟୁଙ୍କ ବାପା ନାରାୟଣ ନାୟକଙ୍କର ମୃତ୍ୟୁ ହୋଇଥିବାରୁ ସେ ବାପାଙ୍କର ସବୁ କର୍ମ କରିଥିଲେ। ମୃତ ଅଭିମନ୍ୟୁଙ୍କ ପତ୍ନୀ ଏବଂ ଗୋଟିଏ ଝିଅ ଓ ପୁଅଟିଏ ଅଛନ୍ତି। ଏପଟେ ବଡ ପୁଅଟିର .ଦେହ ମଧ୍ଯ ଅସୁସ୍ଥ। ସେ ଦିର୍ଘଦିନ ହେବ ଥାଲାସେମିଆ ରୋଗରେ ପୀଡିତ। ତେଣୁ ତାଙ୍କୁ ପ୍ରତି ମାସରେ ରକ୍ତ ଦିଆଯାଉଥିବା ପରିବାର ପକ୍ଷରୁ କୁହାଯାଇଛି। ନାରାୟଣଙ୍କର ଏପରି ଅକାଳ ମୃତ୍ୟୁରେ ପରିବାର ସହିତ ଗାଁରେ ଶୋକର ଛାୟା ଖେଳିଯାଇଛି।
କଥାରେ ଅଛି ଦୁଃଖ ଯେତେବେଳେ ଆସେ ତା’ର ସାଙ୍ଗ ସାଥି ନେଇକି ଆସେ। ଯାହା ଏହି ଘଟଣା ସ୍ପଷ୍ଟ କରିଛି । ଭଗବାନ ବି ବେଳେବେଳେ ଏମିତି ଦୁଃଖ ଦିଅନ୍ତି ଯାହାକୁ ସହିବା କଷ୍ଟକର ହୋଇପଡେ। ତେବେ ଅଭିମନ୍ୟୁଙ୍କ ଯିବାପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଅସମହାୟ ହୋଇପଡିଥିବାବେଳେ, ସରକାର କିଛି ସାହାର୍ଯ୍ଯ କରିବାକୁ ଅନୁରୋଧ କରିଛନ୍ତି।