ବିରଳ କଇଁଛ ଅଲିଭ ରିଡ଼ଲେଙ୍କ ପରେ ଏବେ ଡଲଫିନଙ୍କ ଏନ୍ତୁଡ଼ିଶାଳ ପାଲଟିଛି ଗହୀରମଥା

ବିରଳ କଇଁଛ ଅଲିଭ ରିଡ଼ଲେଙ୍କ ବାଟ ହୁଡେ଼ଇ ପାରେନି ଅଥଳ ସମୁଦ୍ର । ଦିଗ ହଜାଇ ପାରେନି ମହାସାଗର । ଆଶ୍ଚର୍ଯ୍ୟର କଥା ହେଉଛି ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ରର ନୀଳ ଜଳରାଶିକୁ ଅତିକ୍ରମ କରି କେମିତି କେଜାଣି ନିଜ ଏନ୍ତୁଡିଶାଳ ଖୋଜି ପାଆନ୍ତି ଅଲିଭ ରିଡ଼ଲେ କଇଁଛ ? ଏହା ପୁଣି ଥରେ ପ୍ରମାଣିତ କରିଛି ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ତଥା ବିଶ୍ଵର ସର୍ବବୃହତ୍ ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ସ୍ଥଳ ଗହୀରମଥା । ଗହୀରମଥାର ମୋହ ଛାଡି ପାରି ନାହାନ୍ତି ମା କଇଁଛ । ୪ ବର୍ଷ ତଳେ ଏଠାକୁ ଆସିଥିଲେ ଅଣ୍ଡାଦାନ କରିବା ପାଇଁ ।
ପୁଣି ଚଳିତ ବର୍ଷ ଆସିଛନ୍ତି । ଏହା ପ୍ରମାଣିତ କରୁଛି ଚଳିତ ବର୍ଷ ଚିହ୍ନଟ କରାଯାଇଥିବା ୧୦ଟି ଅଲିଭ ରିଡ଼ଲେଙ୍କ ଡେଣାରେ ଲାଗିଥିବା ୨୦୨୧ ମସିହାର ଧାତବ ଟ୍ୟାଗରୁ । ଜୁ ଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ କଇଁଛମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ୨୦୨୧ ମାର୍ଚ୍ଚରେ କଇଁଛ ଙ୍କ ଡେଣାରେ ଲଗା ଯାଇଥିଲା ଧାତବ ଟ୍ୟାଗ । ସେହି କଇଁଛ ୪ ବର୍ଷ ପରେ ଅଣ୍ଡା ଦେବାକୁ ଆସିଛନ୍ତି ଗହୀରମଥା। ପରିବେଶବିତ୍ ଙ୍କ ମତରେ ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଚାଲି ଯାଆନ୍ତି । ପରେ ବଡ଼ ହୋଇ ପୁଣି ସେହି ସ୍ଥାନକୁ ଅଣ୍ଡାଦେବାକୁ ଆସିଥାନ୍ତି ।
ଏହା ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଘଟଣା । ଜଳବାୟୁ ପରିବର୍ତ୍ତନ ଯୋଗୁ ନାଶୀ-୧ ବେଳାଭୂମି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ନାଶୀ-୨ ସଂକୁଚିତ ହୋଇ ଯାଉଥିଲା ଯାହା ଅଲିଭ ରିଡ଼ଲେ କଇଁଛମାନଙ୍କ ଅଣ୍ଡାଦାନ ପାଇଁ ବେଳାଭୂମି ପର୍ଯ୍ୟାପ୍ତ ହେଉନଥିଲା । ପ୍ରକୃତି ଏବେ ଗହୀରମଥାକୁ ଦେଇଛି ବଡ଼ ଉପହାର । ସୃଷ୍ଟି ହୋଇଛି ନୂଆ ସମ୍ଭାବନା । ୩୩ ବର୍ଷ ପରେ ଏକୁକୂଳାନାଶୀ ବେଳାଭୂମି ୪ କିମି ବ୍ୟାପି ବୃଦ୍ଧି ପାଇଛି । ଏହି ବେଳାଭୂମିରେ ଚଳିତବର୍ଷ ୨ ଲକ୍ଷ ୯୫ ହଜାର କଇଁଛ ସମୂହ ଅଣ୍ଡାଦାନ କରିଛନ୍ତି ଏବଂ ନାଶୀ-୨ରେ ୩ ଲକ୍ଷ ୧୧ ହଜାର କଇଁଛ ସମୁହ ଅଣ୍ଡାଦାନ କରିଛନ୍ତି । ଗତ ପାଞ୍ଚବର୍ଷ ରିପୋର୍ଟକୁ ଦେଖିଲେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୬ ଲକ୍ଷ ୬ ହଜାର କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
୫ ବର୍ଷର ଅଲିଭ ରିଡ଼ଲେ କଇଁଛଙ୍କ ସମୁହ ଅଣ୍ଡାଦାନ ରିପୋର୍ଟ:
୨୦୨୧ – ୩ ଲକ୍ଷ ୪୯ ହଜାର ୬୪୯
୨୦୨୨ – ୫ ଲକ୍ଷ ୧ ହଜାର ୧୫୭
୨୦୨୩ – ୫ ଲକ୍ଷ ୧୨ ହଜାର ୧୭୫
୨୦୨୪ – ୩ ଲକ୍ଷ ୧ ହଜାର ୧୫୯
୨୦୨୫ – ୬ ଲକ୍ଷ ୬ ହଜାର
ସେହିପରି ଗହୀରମଥା ଓ ଭିତରକନିକା ରେ ୨୦୧୫ ମସିହାରୁ ଡଲଫିନ ଗଣନା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଓଡ଼ିଶାରେ ୭୧୦ ଡଲଫିନ ଗଣନା କରାଯାଇଥିବା ବେଳେ କେବଳ ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୫୦୫ଟି ଡଲଫିନ ଗଣନା କରାଯାଇଛି ତେଣୁ ଅଲିଭ ରିଡ଼ଲେ କଇଁଛମାନଙ୍କ ଏନ୍ତୁଡିଶାଳ ଗହୀରମଥା ଏବେ ଡଲଫିନମାନଙ୍କର ଏନ୍ତୁଡିଶାଳ ପାଲଟିଛି । ଯାହା ଗହୀରମଥା ପାଇଁ ନୂଆ ସମ୍ଭାବନା ଆଣିଦେଇଛି ।
୩ ବର୍ଷର ଡଲଫିନ ଗଣନା ରିପୋର୍ଟ:
୨୦୨୩ – ୫୪୦ ଡଲଫିନ
୨୦୨୪ – ୫୦୨ ଡଲଫିନ
୨୦୨୫ – ୫୦୫ ଡଲଫିନ ଗଣନା କରାଯାଇଛି ।
ଅନ୍ତୁଡିଶାଳ ଗହୀରମଥା କୁ ସୁରକ୍ଷିତ ମନେକରି ନିଜର ବଂଶ ବୃଦ୍ଧି କରିବା ପାଇଁ ଅଲିଭ ରିଡ଼ଲେ କଇଁଛ ମାନେ ଆସିଥାନ୍ତି ମାତ୍ର ମାଛ ମାଫିଆଙ୍କ ଟ୍ରଲର ମାଡ଼ରେ ଅନେକ କଇଁଛ ମୃତ୍ୟୁବରଣ କରିଥାନ୍ତି । ବନ ବିଭାଗ ସଜାଗ ହୋଇ ସୁରକ୍ଷାକୁ କଡାକଡି କଲେ କଇଁଛଙ୍କ ମୃତ୍ୟୁକୁ ଏଡାଯାଇ ପାରନ୍ତା ।
Also read: ଅସୁରକ୍ଷିତ ଅଲିଭ ରିଡ଼ଲେ, ଏନ୍ତୁଡ଼ିଶାଳ ଗହୀରମଥା ପାଲଟିଛି ମଶାଣି ଭୂଇଁ