ପ୍ରଥମେ ଲୁଟି ନେଲେ ୨୦ ହଜାର ଟଙ୍କା, ପୁଣିଥରେ ଉଦ୍ୟମ ବିଫଳ ହେବାରୁ ଚଳାଇଦେଲେ ଗୁଳି

ଲୁଟ୍ ରେ ସଫଳ ନହେବାରୁ ତୁମୁଳକାଣ୍ଡ ଘଟାଇଲେ ଦୁର୍ବୃତ୍ତ । ପ୍ରଥମେ ୨୦ ହଜାର ଟଙ୍କା ଲୁଟ୍ କଲେ । ପରେ ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ଲୁଟିବା ପାଇଁ ପୁଣି ଆସିଲେ । କିନ୍ତୁ ଦ୍ବିତୀୟ ଥର ଲୁଟ୍ ଉଦ୍ୟମ ବିଫଳ ହେବାରୁ ରାଗି ଗଲେ ଲୁଟେରା । ରାଗରେ ହାତରେ ଧରିଥିବା ବନ୍ଧୁକରୁ ଫାଇରିଙ୍ଗ କରି ଦେଲେ । ଆଉ ଗୁଳି ବାଜିଲା ଧୀରେନ୍ଦ୍ରଙ୍କ ଜଙ୍ଘରେ । ରକ୍ତ ବହି ଚାଲିଲା । ଗୁରୁତର ଆହତ ହେଲେ ଧୀରେନ୍ଦ୍ର ।

ରାସ୍ତା ଉପରେ ଲୁଟ୍ ତରାଜର ଆଉ ଏକ ଘଟଣା । ଟଙ୍କା ପାଇଁ ମଣିଷ ଜୀବନ ନେବାକୁ ପଛାଉ ନାହାନ୍ତି ଏଭଳି ଅପରାଧୀ । ଟଙ୍କା ଓ ସୁନା ଲୋଭରେ ହରାଇ ବସୁଛନ୍ତି ହିତାହିତ ଜ୍ଞାନ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କଲେଜ ପଛପଟ ଇଟାଭାଟି ଅଞ୍ଚଳରେ ଘଟିଛି ଏହି ଗୁଳିକାଣ୍ଡ । ଧୀରେନ୍ଦ୍ର ଭୋଇ ଲୁଟର ଶିକାର ହୋଇଛନ୍ତି । ଆଉ ତାଙ୍କ ଗୋଡରେ ଗୁଳି ବାଜିଛି । ଗୁରୁବାର ରାତି ପ୍ରାୟ ସାଢ଼େ ୭ଟା ବେଳେ ୪ ଜଣ ଦୁବୃର୍ତ୍ତ ଧୀରେନ୍ଦ୍ରଙ୍କୁ  ଟାର୍ଗେଟ୍ କରିଥିଲେ । ତାଙ୍କ ଠାରୁ ପ୍ରଥମେ ୨୦ ହଜାର ଟଙ୍କା ଲୁଟ୍ କରି ନେଇଥିଲେ । କିନ୍ତୁ ଟଙ୍କା ଲୁଟିବା ପରେ ବି ମନ ବୁଝିଲାନି । ପୁଣି ଥରେ ଫେରି ଧୀରେନ୍ଦ୍ରଙ୍କ ଠାରୁ ତାଙ୍କ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଲୁଟିବା ପାଇଁ ଆସିଥିଲେ । ହେଲେ ଧୀରେନ୍ଦ୍ର ବିରୋଧ କରିବା ଯୋଗୁଁ ଲୁଟ୍ ଉଦ୍ୟମରେ ବିଫଳ ହେଲେ । ଏଥିରେ ରାଗି ଯାଇ ୪ଜଣଙ୍କ ଭିତରୁ ଜଣେ ଦୁବୃର୍ତ୍ତ ଧୀରେନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ ।

ସୂଚନା ଅନୁସାରେ ଧୀରେନ୍ଦ୍ର ଭୋଇ ଓ ସଞ୍ଜୟ ସେଠ୍ ଏକ ବାଇକରେ ଯାଉଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କ ବାଇକ୍ ଆଗରେ ଗାଡ଼ି ଠିଆ କରି ସେମାନଙ୍କୁ ଅଟକାଇ ଥିଲେ । ପରେ ଲୁଟ ଉଦ୍ୟମ ବିଫଳ ହେବାରୁ ଗୁଳିକାଣ୍ଡ କରିଥିଲେ । ଆକ୍ରମଣ କରି ତୁରନ୍ତ ଫେରାର ମାରିଥିଲେ ଲୁଟେରା । ଏପଟେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଧୀରେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ପଠା ଯାଇଥିଲା । ପରେ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ପଠାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଘଟଣା ସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

ଅପରାଧୀଙ୍କ ଏଭଳି କାରନାମ ଶୁଣିଲେ ଭୟ ଲାଗୁଛି । ଦିନ ହେଉ କି ରାତି । ଘର ହେଉ କି ବଜାର । ଅପରାଧୀମାନେ କାୟା ବିସ୍ତାର କରିଛନ୍ତି ସବୁଆଡ଼େ । ଖାଲି ସମୟକୁ ଅପେକ୍ଷା କରି ବସୁଛନ୍ତି । ଆଉ ସୁଯୋଗ ମିଳିଲେ ଲୋକଙ୍କ ଠାରୁ ଲୁଟ୍ କରୁଛନ୍ତି । ଏମିତିକି ଆକ୍ରମଣ କରି ଲହୁଲୁହାଣ କରି ଦେଉଛନ୍ତି । ତେଣୁ ଅପରାଧୀଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହିଁ ଏମାନେ ସାବାଡ୍ ହେବେ । ନଚେତ ନିରୀହ ଜନସାଧାରଣ ଭୟରେ ଘରୁ ବାହାରିବା ବି ମୁସ୍କିଲ ହୋଇଯିବ ।

Also Read:ତାଲା ଭାଙ୍ଗି କଳକନା ବୁଲାଇଲେ ଦୁବୃର୍ତ୍ତ, ୫୦ ଲକ୍ଷର ସୁନାଗହଣା ଲୁଟ୍