ଭାରତର ଏହି ସବୁ ସହରରେ ୯ ବର୍ଷ ଯାଏ କମି ଯାଉଛି ଆୟୁଷ , ଏହା ବିଶ୍ୱ ହାରାହାରି ଆୟୁଷର ୪ ଗୁଣା ଅଧିକ
ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ବଢ଼ିବା ସହ ପ୍ରତି ବର୍ଷ ଏଥିପାଇଁ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଦକ୍ଷିଣ ଏସିଆ ଦେଶ,ଖାସ କରି ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ଲୋକଙ୍କ ଜୀବନ, ଏଚଆଇଭି, ଏଡ୍ସ, ସିଗାରେଟ-ମଦ ପିଇବା ଏପରି କି ଆତଙ୍କବାଦୀଙ୍କ ଠାରୁ ବି ଅଧିକ ପ୍ରଭାବିତ ।
ୟୁନିଭରସିଟି ଅଫ୍ ଶିକାଗୋର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ୨୦୨୨ ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ଜୀବନ ଧାରଣ ହାର ୨.୨ ବର୍ଷ କମିଯାଇଛି । ହେଲେ ଭାରତରେ ଏହି ଜୀବନ ଧାରଣ ହାର ଏହା ଠାରୁ ପ୍ରାୟ ୪ ଗୁଣ ଅଧିକ କମିଯାଇଛି । ବିଶେଷ କରି ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ବିହାରରେ ଜୀବନ ଧାରଣ କ୍ଷମତା ବା ଆୟୁଷ ୯ ବର୍ଷ କମିଯାଇଛି ।
ଖାଲି ସେତିକି ନୁହେଁ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ୧ ଲକ୍ଷ ୨୫ ହଜାର ଶିଶୁଙ୍କ ମୃତ୍ୟୁ ହେଉଛି । ଯଦି ବିକଶିତ ଦେଶ ଏହାକୁ କମାଇବା ପାଇଁ ଚେଷ୍ଟା କରେ, ତେବେ ସବୁଠୁ ପ୍ରଭାବିତ ଦେଶରେ ଆୟୁଷ ପ୍ରାୟ ୭ ବର୍ଷ ବଢ଼ିଯିବ । ଚଳିତ ବର୍ଷ ଦିଲ୍ଲୀର ବାୟୁ ମାନ ଗତ ୫ ବର୍ଷ ତୁଳନାରେ ସବୁଠୁ ଅଧିକ ଖରରାପ ଥିବା ଜଣାଯାଇଛି ।
ଶିଶୁ ପ୍ରଭାବିତ ହେବା ସହ ପ୍ରଜନନ କ୍ଷମତା ବି ହ୍ରାସ ପାଉଛି
ଦିଲ୍ଲୀ ଭଳି ସହରରେ ପ୍ରଦୂଷଣ ଯୋଗୁ ପ୍ରତି ୩ ଜଣ ଶିଶୁଙ୍କ ମଧ୍ୟରେ ଜଣେ ଆସ୍ଥମା ରୋଗରେ ପୀଡିତ । ଏଥିପାଇଁ ଶ୍ୱାସ ନେବାରେ କଷ୍ଟ, ଫୁସଫୁସରେ ଅସୁବିଧା ସହ କ୍ୟାନ୍ସର ମଧ୍ୟ ବଢ଼ୁଛି । ଏବେ ଶିଶୁଙ୍କ ମଧ୍ୟରେ ମଧ୍ୟ ଆସ୍ଥମା ଓ ବ୍ରୋଙ୍କାଇଟିଜ ସମସ୍ୟା ବଢ଼ିବାରେ ଲାଗିଛି ।
କେବଳ ଦକ୍ଷିଣ ଏସିଆରେ ୫୨% ଜୀବନ କମ ହେବାରେ ଲାଗିଛି
ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ୨୦୨୨ ରେ କୁହାଯାଇଛି, ଦୁନିଆରେ ବାୟୁ ପ୍ରଦୂଷଣ ଏକ ମହାମାରୀ ଭାବରେ ବଢ଼ୁଛି । ଏହାର ସବୁଠୁ ବଡ଼ ପ୍ରଭାବ ଦକ୍ଷିଣ ଏସିଆରେ ପଡିଛି । ଏଠାରେ ବିଶ୍ୱର ଏକ ଚତୁର୍ଥାଂଶ ଲୋକେ ରୁହନ୍ତି । ଏକ ରିପୋର୍ଟରେ କୁହାଯାଇଛି, ବିଶ୍ୱରେ ଯେତେ ଲୋକଙ୍କ ଜୀବନ ପ୍ରତ୍ୟାଶା କମିଯାଉଛି,ସେଥିରେ ୫୨ ପ୍ରତିଶତ କେବଳ ଦକ୍ଷିଣ ଏସିଆର ଲୋକ ବୋଲି ଜଣାଯାଇଛି ।
ରିପୋର୍ଟ ଅନୁଯାୟୀ ପିଏମ ୨.୫ ସ୍ତରରେ ଯେତେ ସୁଧାର ଆସିଲେ ଲୋକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ଓ ସେମାନଙ୍କର ଜୀବନ ଦୀର୍ଘାୟୁ ହେବ । ଭାରତରେ ଯଦି ବାୟୁ କ୍ୱାଲିଟିରେ ସୁଧାର ଆସିବ ତେବେ ଲୋକଙ୍କ ଆୟୁ ୫ ବର୍ଷ ବଢ଼ିଯିବ । ସେହିପରି ବାଂଲାଦେଶରେ ୬.୯ ବର୍ଷ, ପାକିସ୍ତାନରେ ୩.୭୫ ବର୍ଷ, ଚୀନରେ ୨.୫ ବର୍ଷ, ନାଇଜେରିଆରେ ୧.୮ ବର୍ଷ,ଇଣ୍ଡୋନେସିଆରେ ୧.୨ ବର୍ଷ,ବ୍ରାଜିଲରେ ୦.୫ ବର୍ଷ ଓ ଆମେରିକାରେ ୦.୨ ବର୍ଷ ଯାଏ ବଢ଼ିଯିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।
୮ ବର୍ଷରେ ବଢ଼ିଥିବା ପ୍ରଦୂଷଣରେ ୪୪ ପ୍ରତିଶତ ଭାରତର
ସାରା ବିଶ୍ୱରେ ୨୦୧୩ ରୁ ଯେତେ ପ୍ରଦୂଷଣ ବଢ଼ିଛି,ସେଥିରେ ୪୪ ପ୍ରତିଶତ ଭାଗ କେବଳ ଭାରତର ରହିଛି । ପ୍ରଦୂଷଣ ଯୋଗୁ ବିଶ୍ୱରେ ୪.୭ ଲକ୍ଷ ନବଜାତଙ୍କ ମୃତ୍ୟୁ ହେଉଥିବା ବେଳେ ଭାରତରେ କେବଳ ୧୦୦ ପ୍ରତିଶତ ଜନସଂଖ୍ୟା ପ୍ରଭାବିତ ହୋଇଛନ୍ତି ।