ମା’ କାମ ସାରି ଘରକୁ ଫେରିଲା ବେଳକୁ ପୁଅ ଆଉ ନାହିଁ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କେନ୍ଦୁପଦର ସାହିରେ ଘଟିଛି ଅଘଟଣ । ପନ୍ଦର ବର୍ଷର ପୁଅ ଅଭିଜିତ ବଗର୍ତ୍ତୀକୁ ନିଜ ବାପା ପ୍ରମୋଦ ବଗର୍ତ୍ତୀ ମାଡ ମାରି ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତ ଅଭିଜିତର ମା କାମ କରି ଘରକୁ ଫେରିବା ସମୟରେ ଘର ଭିତର ପଟୁ କବାଟ ଦିଆ ଯାଇଥିଲା । ପୁଅ ଅଭିଜିତକୁ ମାଆ କେତେଥର ଡାକିଲେ । ହେଲେ ଭିତରୁ କିଛି ଜବାବ ମିଳିଲା ନାହିଁ । ଏହାପରେ ପାଖରେ ରହୁଥିବା ନିଜ ବାପା ମା’ଙ୍କୁ ଡାକି କବାଟ ଖୋଲିଥିଲେ । ଯାହା ଦେଖିଲେ ଆଖିକୁ ବିଶ୍ବାସ କରି ପାରିଲେନି । ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା ।

ପାରିପାର୍ଶ୍ୱିକ ସ୍ଥିତି ପରଖିବା ସହ ପରିବାର ଲୋକଙ୍କ ଠାରୁ ବାପା ମାରିଥିବା ଖବର ଶୁଣି ପ୍ରମୋଦଙ୍କୁ ଥାନାକୁ ନେଇଥିଲା । ତାଙ୍କୁ ଅଟକ ରଖି ଘଟଣାର ସତ୍ୟା ସତ୍ୟ ତଦନ୍ତ ଜାରି ରଖିଛି । ପୂର୍ବରୁ ବାପା ଓ ପୁଅ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଉଥିବା ନେଇ ମୃତ ଅଭିଜିତ ର ମା’ ଥାନାରେ ଏତଲା ଦେଇଥିଲେ । ଆଗକୁ ଏହିପରି କୌଣସି ଭୁଲ ନକରିବାକୁ ଥାନାରେ ଜଣାଇ ଥିଲେ ବାପା ପ୍ରମୋଦ । ଏମିତିକି ମଦ ପିଇ ସ୍ତ୍ରୀ ପିଲାଙ୍କୁ ମାଡ଼ ମାରିବନି ବୋଲି କହିଥିଲେ ।

କିନ୍ତୁ ଆଜି ଏହି ଘଟଣା ପରେ ସମସ୍ତ ସନ୍ଦେହ ପ୍ରମୋଦଙ୍କ ଉପରକୁ ଯାଇଛି । ଗାଁ ଲୋକେ ଏବଂ ମୃତ ଅଭିଜିତର ଅଜା ପୁଅକୁ ବାପା ମାରି ଦେଇଥିବା ନେଇ ସନ୍ଦେହ କରୁଛନ୍ତି । ତେବେ ପୋଷ୍ଟମର୍ଟମ ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି କହିଛନ୍ତି ଟାଉନ୍ ଥାନା ଅଧିକାରୀ ସ୍ଵରୂପ କିଷାନ । ସେପଟେ ପୁଅକୁ ଯିଏ ମାରିଛି ପୋଲିସ ସଠିକ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେଉ ବୋଲି ଦାବି କରିଛନ୍ତି ଅଭିଜିତର ମାଆ।

 

Also Read:ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ବୃଦ୍ଧ ମୃତ, ମିଳିପାରି ନାହିଁ ବୃଦ୍ଧଙ୍କ ପରିଚୟ