ଏସ୍ସିବିରେ ଚାଞ୍ଚଲ୍ୟକର ଘଟଣା ! ଜୀବିତ ପିଲା ବଦଳରେ ମଲା ପିଲା ଦେଇଥିବା ଅଭିଯୋଗ

କଟକ: କଟକ ଏସ୍ସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜନ୍ମିତ ସନ୍ତାନ ଏସ୍ଏନ୍ସିୟୁରେ ଚିକିତ୍ସାଧୀନବେଳେ ବଦଳ ହୋଇଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ନବଜାତ କନ୍ୟାକୁ କର୍ମଚାରୀମାନେ ବଦଳ କରି ଏକ ମୃତ ଶିଶୁ ଅଭିଭାବକଙ୍କୁ ଧରାଇ ଦେଇଥିବା ନେଇ ହୋଇଛି ଅଭିଯୋଗ । ଏହି ଘଟଣାରେ ଏସ୍ଏନ୍ସିୟୁ କର୍ମଚାରୀଙ୍କ ଭୂମିକାକୁ ନେଇ ପ୍ରସୂତିଙ୍କ ସମ୍ପର୍କୀୟମାନେ ସନ୍ଦେହ ପ୍ରକଟ କରିଛନ୍ତି । ଘଟଣାଟି ଏବେ ଏସ୍ସିବିରେ ସୃଷ୍ଟି କରିଛି ଚାଞ୍ଚଲ୍ୟ ।
ଅନ୍ୟପକ୍ଷରେ ପିଲାକୁ ହରାଇଥିବା ପ୍ରସୂତି ଗାଇନିଙ୍ଗ ୱାର୍ଡରେ ମାନସିକ ସ୍ଥିତି ହରାଇ ବସିଥିବା ଦର୍ଶାଇ ଏହି ଘଟଣାରେ ପ୍ରସୂତିଙ୍କ ପରିବାର ଲୋକେ ଏସ୍ସିବି ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରି ଘଟଣାର ସତ୍ୟତା ଉନ୍ମୋଚନ ପାଇଁ ଦାବି କରିଛନ୍ତି । ଜୀବିତ ପିଲା ବଦଳରେ ମଲା ପିଲା ଦେବା ଅଭିଯୋଗକୁ ନେଇ ମେଡିକାଲରେ ଏକ ପ୍ରକାରର ହଟଚମଟ ସୃଷ୍ଟି ହୋଇଛି । ଏପଟେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଲୁସି ଦାସ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏବଂ ଶିଶୁ ରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ତଳଚୁଆ ସାହି ଅଞ୍ଚଳର ରତନା ବେହେରାଙ୍କ ପତ୍ନୀ ଚନ୍ଦ୍ରମା ଗତ ୧୦ ତାରିଖରେ ଏସ୍ସିବି ଲେବର ରୁମ୍ ରେ ଭର୍ତ୍ତି ହୋଇଥିଲେ । ତା ପରଦିନ ଅର୍ଥାତ୍ ୧୧ ତାରିଖ ସକାଳ ୯ଟାରେ ଏକ କନ୍ୟା ଜନ୍ମ ନେଇଥିଲେ ଚନ୍ଦ୍ରମା । ଜନ୍ମ ପରେ ଅସୁସ୍ଥ ନବଜାତ କନ୍ୟାକୁ ଏସ୍ଏନ୍ସିୟୁକୁ ନିଆଯାଇଥିଲା । ମାତ୍ର ୨୪ ଘଣ୍ଟା ପରେ ନବଜାତକ ମରିଯାଇଛି ବୋଲି ନସିଂ ଦିଦି କହିଥିବା ନେଇ ରତନା କହିଛନ୍ତି ।
ତାଙ୍କ ଅଭିଯୋଗ ମୁତାବକ, ସନ୍ଧ୍ୟା ବେଳେ ପିଲା ଠିକ୍ ଥିବାବେଳେ ହଠାତ୍ ରାତି ୧୨ଟା ପରେ ଏସ୍ଏନ୍ସିୟୁ ଡକାଇ ପିଲା ମରିଯାଇଛି ବୋଲି କର୍ମଚାରୀମାନେ କହି ସମ୍ପର୍କୀୟଙ୍କ ହାତରେ ଜବରଦସ୍ତ ମଲା ପିଲା ଧରାଇ ବିଦା କରିଦେଇଥିଲେ । ମଲା ପିଲାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ମଲା ପିଲା ଆମର ନୁହେଁ ବୋଲି ଯେତେ କହିଥିଲେ ବି ସେମାନେ ଶୁଣିନଥିଲେ । ପୋଲିସ୍ର ଧମକ ଦେଇ ବାହାରି ଯିବାକୁ ଚାପ ପକାଇଥିଲେ ।
ଯାହାଫଳରେ କିଛି ଉପାୟ ନପାଇ ମଲା ପିଲାକୁ ନେଇ ଏସ୍ସିବିରୁ ବାହାରି ଗୋପାଳପୁର ନିକଟରେ କାଠଯୋଡ଼ି ବାଲି ଖୋଳି ପୋତୁଥିବାବେଳେ ଲୁଗାରେ ଗୁଡ଼ାଇ ପିଲାକୁ ପୋତି ଦେବା ସମୟରେ ଦୂରରେ ରହି ଆମକୁ ଦୁଇ ଜଣ ଅଜଣା ବ୍ୟକ୍ତି ଦେଖୁଥିଲେ ବୋଲି ରତନା ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ପୋତା ଯାଇଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିବାରୁ ଗୁଡ଼ା ହୋଇଥିବା ଲୁଗା ଭିତରୁ ପିଲାର ମୃତଦେହ ନଥିବା ଓ ଲୁଗାଟି ବାହାରେ ପଡ଼ିଥିବାର ପରିବାର ଲୋକେ ଦେଖିବାକୁ ପାଇଥିବା ସେ କହିଛନ୍ତି । ଏହାକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ହେବାରୁ ସେମାନେ ଅଧ୍ୟକ୍ଷଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ।
ତେବେ କୋଳରେ ନିଜ ପିଲାକୁ ନପାଇ ମାଆ ଚନ୍ଦ୍ରମା ମନସ୍ତାପରେ ଅଛନ୍ତି । ଚନ୍ଦ୍ରମାଙ୍କୁ ଡିସଚାର୍ଜ କରିବାକୁ ଡାକ୍ତର କହିଥିଲେ ହେଁ ପିଲା ଫେରି ନପାଇବା ଯାଏ ୱାର୍ଡ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ଚନ୍ଦ୍ରିକା କହିଛନ୍ତି । ଏ ସମ୍ପର୍କରେ ଅଧ୍ୟକ୍ଷ ପ୍ରଫେସର ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ମୃତ ପିଲାକୁ ପୋତି ସାରି ଏବେ ଅଭିଯୋଗ କଲେ କ’ଣ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି । ଘଟଣା ଦିନ ଜଣାଇଥିଲେ ହୁଏତ ଡିଏନ୍ଏ ଟେଷ୍ଟ ଆଦି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ପିଲାର ପ୍ରକୃତ ପରିଚୟ ଜଣାପଡ଼ିଥାନ୍ତା । ତଥାପି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ଅଧ୍ୟକ୍ଷ ପ୍ରଫେସର ଡା. ଦାସ କହିଛନ୍ତି ।