ବାତ୍ୟାର ବସା ଘର ଓଡିଶା, ବିନା ଡାକରାରେ ଅତିଥି ଯେପରି…

ବାତ୍ୟାର ବସା ଘର ଓଡିଶା । ପ୍ରତିବର୍ଷ ପ୍ରାୟ କୌଣସି ନା କୌଣସି ବାତ୍ୟା ଆସି ପହଞ୍ଚିଯାଏ ଓଡିଶାରେ । ବିନା ଡାକରା ଅତିଥି ଯେପରି । ସେହିପରି ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ପୁଣି ଏକ ଭୀଷଣ ବାତ୍ୟା ‘ଦାନା ‘। ଲ୍ୟାଣ୍ଡଫଲ୍ କରିବା ସହ ତାଣ୍ଡବ ରଚିଛି ଦାନା । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବାତ୍ୟା ବିଭୀଷିକା। ସମୁଦ୍ରରେ ବଡ଼ ବଡ଼ ଜୁଆର ଉଠିବା ଫଳରେ ଗାଁରେ ପଶିଛି ସମୁଦ୍ର ପାଣି । ପାଣି ଘେରରେ ରହିଛନ୍ତି ଶହ ଶହ ଲୋକ। ବାତ୍ୟା ଦାନା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ାର ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ଆଉ କେଉଁଠି ରାସ୍ତା ଉପରେ ଟଳିପଡ଼ିଛି ଗଛ। କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଛି। ଫଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି ।

ଗଛ ଡାଳ ପଡି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି। ଚାଷ ବୁଡିଛି, ମୁଣ୍ଡରେ ହାତ ଦେଇ ଚାଷୀ ବସିଛି । ପିଲାଛୁଆଙ୍କୁ ଧରି ଘରବାଡି ଛାଡି ଲୋକେ ବାତ୍ୟା ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି । ଏପରିକି ଝଡ଼ବର୍ଷା ବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବନ୍ୟଜନ୍ତୁ। ଏବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି। ବତ୍ୟାର ତାଣ୍ଡବ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏନଡିଆରଏଫ, ଏସଡିଆରଏଫ, ଓଡ୍ରାଫ ସହ ଅଗ୍ନୀଶମ ଟିମର ସଦସ୍ୟ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ଆସନ୍ତୁ ନଜର ପକାଇବା ଇତିହାସରେ ଓଡିଶାରେ ବିଭୀଷିକା ରଚିଥିବା ସେହି ସବୁ ବାତ୍ୟା ବିଷୟରେ:

୧୯୯୯ ମହାବାତ୍ୟା:

୧୯୯୯ ମସିହା ଅକ୍ଟୋବର ୨୯ । ସକାଳୁ ସକାଳୁ ପବନର ଗତି ବଢ଼ିଥିଲା । ଘୁ ଘୁ ଗର୍ଜନରେ ଆରମ୍ଭ ହେଲା ମହାବାତ୍ୟାର ତାଣ୍ଡବ। କଚ୍ଚା ଘର ସବୁ ମାଟିରେ ମିଶିଗଲା । ସମୁଦ୍ର ପାଣି ଗୋଟେ ପରେ ଗୋଟେ ଗାଁକୁ ଭସାଇ ନେଲା । ଲୋକଙ୍କୁ ରେଡିଓରେ ମିଳିଥିଲା ବାତ୍ୟା ସୂଚନା । କିନ୍ତୁ ବାତ୍ୟା କେତେ ପ୍ରଳୟଙ୍କରି ହେବ ତାହା ଜାଣି ପାରିନଥିଲେ । ସେଦିନର ସେ କରାଳ ରୂପକୁ ଯିଏ ଅନୁଭବ କରିଛି ହୁଏତ ତା ମନରୁ ଆଜିବି ଲିଭିନଥିବ ।  ପ୍ରାଣ ହାରିଥିଲେ ୧୦ ହଜାରରୁ ଅଧିକ ଜୀବନ । କେତେ ଯେ ଗୋରୁ ଗାଈ ମଲେ ତାର ହିସାବ ନାହିଁ । ଆଣ୍ଡାମାନରେ ଅକ୍ଟୋବର ୨୫ରେ ସୃଷ୍ଟି ହୋଇଥିଲା । ୨୯ ତାରିଖରେ ପ୍ରଳୟଙ୍କରୀ ରୂପ ଧାରଣ କରି ଓଡ଼ିଶାରେ ପହଞ୍ଚିଥିଲା ବାତ୍ୟା । ସକାଳ ୧୦ଟା ୩୦ରେ ଏରସମା ଓ ବାଲିକୁଦା ଅଞ୍ଚଳରେ ହିଟ୍‌ କରିଥିଲା। ସେତେବେଳକୁ ପବନର ବେଗଥିଲା ୨୪୦ରୁ ୨୬୦ କିଲୋମିଟର । ପ୍ରାୟ ୩୦ଫୁଟର ଜୁଆର ଆସିଥିଲା ସମୁଦ୍ରରେ। କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ପ୍ରାୟ ୧କୋଟି ୨୫ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ । ୧୮ ଲକ୍ଷ ଚାଳ ଛପର ଘର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିଲା ।

batya

ମହାବାତ୍ୟାର ୧୩ ବର୍ଷ ପରେ ଓଡ଼ିଶା ଆସିଥିଲା ଫାଇଲିନ୍:

ସେହିଭଳି ଅନ୍ୟତମ ସବୁଠାରୁ ବଡ଼ ତୀବ୍ରତା ଦେଖିଲେ ଭାରତର ଆଉ ଏକ ବଡ଼ ବତ୍ୟା ଥିଲ ଫାଇଲିନ୍ । ମହାବାତ୍ୟାର ୧୩ ବର୍ଷ ପରେ ଓଡ଼ିଶା ଆସିଥିଲା ଫାଇଲିନ୍ । ୨୦୧୩ ଅକ୍ଟୋବର ୯ ତାରିଖରେ ସୃଷ୍ଟି ହୋଇଥିଲା ଫାଇଲିନ୍। ଅକ୍ଟୋବର ୧୧ ତାରିଖରେ କ୍ୟାଟାଗୋରୀ ୫ ବାତ୍ୟାରେ ପରିଣତ ହେଲା । ପବନର ବେଗ ୨୧୫ କିଲୋମିଟର ପ୍ରତି ଘଣ୍ଟାରେ ପହଞ୍ଚିଥିଲା । ଅକ୍ଟୋବର ୧୨ ତାରିଖରେ ହିଟ୍ କରିଥିଲା ବ୍ରହ୍ମପୁର ନିକଟ ଗୋପାଳପୁରରେ। ବାତ୍ୟା ଯୋଗୁଁ ୧ କୋଟି ୨୦ ଲକ୍ଷ ଜଣ ପ୍ରଭାବିତ ହୋଇଥିଲେ । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଭାବିତ ହୋଇଥିଲା ୧୮ ଜିଲ୍ଲାର ୧୭୧ ବ୍ଲକ। ୪ ହଜାରରୁ ଅଧିକ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଥିଲା ଫାଇଲିନ୍। ଫାଇଲିନରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ଥିଲା ୨୧। ଅନ୍ୟ ରାଜ୍ୟରେ ମୃତ୍ୟୁ ସଂଖ୍ୟା ସହ ଏହି ବାତ୍ୟାରେ ମୋଟ ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା। ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ପ୍ରଶଂସା କରିଥିଲା ଜାତିସଂଘ। ମହାବାତ୍ୟାରେ ଯେଉଁଠି ୧୦ ହଜାର ଜଣଙ୍କ ଜୀବନ ଯାଇଥିଲା, ଫାଇଲିନରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଇତିହାସରେ ଫାଇଲିନ୍ ଏକ ମାଇଲ ଖୁଣ୍ଟ ହୋଇ ରହିଛି। ୨ ଦିନ ଭିତରେ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବାରୁ ବହୁ ସଂଖ୍ୟାରେ ଜୀବନ ରକ୍ଷା କରାଯାଇଥିଲା।

ଫାଇଲିନର ବର୍ଷକ ପରେ ଆସିଥିଲା ହୁଡହୁଡ୍:

ତେବେ ଫାଇଲିନର ବର୍ଷକ ପରେ ଆସିଥିଲା ହୁଡହୁଡ୍ । ୨୦୧୪ ଅକ୍ଟୋବର ୮ ତାରିଖରେ ସୃଷ୍ଟି ହୋଇଥିଲା । ଅକ୍ଟୋବର ୯ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇଥିଲା ହୁଡହୁଡ । ଅକ୍ଟୋବର ୧୦ ତାରିଖରେ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା। ହୁଡହୁଡର ସର୍ବାଧିକ ତୀବ୍ରତା ଥିଲା ୧୮୫ କିଲୋମିଟର ପ୍ରତି ଘଣ୍ଟା। ଅକ୍ଟୋବର ୧୨ ତାରିଖରେ ବିଶାଖପାଟଣା ନିକଟରେ ମାଡ଼ ହେଲା  ଏହାର ପ୍ରଭାବ ଓଡ଼ିଶା ଉପରେ ପଡିଥିଲା । ଓଡ଼ିଶା ଦେଇ ଗତି କରିବା ସମୟରେ ବାତ୍ୟାପନର ତୀବ୍ରତା ଥିଲା ୯୦ କିଲୋମିଟର ପ୍ରତିଘଣ୍ଟା। ହାଇ ଆଲର୍ଟରେ ଥିଲା ୧୬ଟି ଜିଲ୍ଲା। ଓଡ଼ିଶାରେ ପ୍ରାୟ ୪ ଲକ୍ଷ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ହୁଡହୁଡ ବାତ୍ୟାରେ ଓଡ଼ିଶାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଦେଶରେ ଏହି ବାତ୍ୟାରେ ୧୨୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

୨୦୧୮ରେ ଅକ୍ଟୋବର ମାସରେ ଆସିଥିଲା ତିତିଲି:

୨୦୧୮ରେ ଅକ୍ଟୋବର ମାସରେ ଆସିଥିଲା ତିତିଲି । ଅକ୍ଟୋବର ୮ ତାରିଖରେ ସୃଷ୍ଟି ହୋଇଥିଲା ବାତ୍ୟା । ତୀବ୍ରତା ସର୍ବାଧିକ ୧୫୦ କିଲୋମିଟର ପ୍ରତି ଘଣ୍ଟା ରହିଥିଲା । ଅକ୍ଟୋବର ୧୦ ତାରିଖରେ ଛୁଇଁଥିଲା ଆନ୍ଧ୍ରପ୍ରଦେଶରେ ଉପକୂଳ । ଓଡ଼ିଶାର ୧୭ ଜିଲ୍ଲାର ୧୨୮ ବ୍ଲକ ପ୍ରଭାବିତ ହୋଇଥିଲା। ଅଧିକ ପ୍ରଭାବିତ ହୋଇଥିଲା ଗଞ୍ଜାମ, ଗଜପତି ସହ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲା । ୨ ହଜାର ୭୮୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । ବର୍ଷା ଓ ଭୂସ୍ଖଳନରେ ଓଡ଼ିଶାରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଗଜପତି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିଲା । ଏହି ବାତ୍ୟାରେ ଦେଶରେ ମୃତ୍ୟୁ ସଂଖ୍ୟା ଥିଲା ୭୭ ।

 ଖରା ଦିନିଆ ବାତ୍ୟା ୨୦୧୯ରେ ଆସିଥିଲେ ଫନୀ :

ସେହିଭଳି ଫନୀ ।  ଭାରତର ବାତ୍ୟା ଇତିହାସରେ ଆଉ ଏକ ଭୀଷଣ ବାତ୍ୟା । ଏହି ଖରା ଦିନିଆ ବାତ୍ୟା ୨୦୧୯ରେ ଆସିଥିଲେ । ତୀବ୍ରତା ଥିଲା ୨୧୫ କିଲୋମିଟର ପ୍ରତି ଘଣ୍ଟା। ମୃତ୍ୟୁ ସଂଖ୍ୟା ଥିଲା ୮୯। ଏହି ବାତ୍ୟାରେ ପୁରୀ ସହର ଛାରଖାର ହୋଇଥିଲା। ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଓଡ଼ିଶାରେ ପ୍ରାୟ ୨୪ ହଜାର କୋଟି ଟଙ୍କା କ୍ଷୟକ୍ଷତି ଆକଳନ କରାଯାଇଥିଲା ।

୨୦୧୯ର ନଭେମ୍ୱର ମାସରେ ଆସିଥିବା ବାତ୍ୟା ବୁଲବୁଲ:

୨୦୧୯ର ନଭେମ୍ୱର ମାସରେ ଆସିଥିବା ବାତ୍ୟା ବୁଲବୁଲ । କିନ୍ତୁ ଏହାର ଉତ୍ପତି ଅକ୍ଟୋବର ମାସରେ ହୋଇଥିଲା । ଅକ୍ଟୋବର ୨୮ ତାରିଖରେ ଦକ୍ଷିଣ ଚୀନ ସାଗରରେ ମାତ୍ମୋ ନାଁରେ ବାତ୍ୟା ସୃଷ୍ଟି ହୋଇଥିଲା। ଏହା ଅକ୍ଟୋବର ୩୦ରେ ଲ୍ୟାଣ୍ଡଫଲ କରିବା ପରେ ଦୁର୍ବଳ ହୋଇ ବଙ୍ଗୋପସାଗରରେ ପ୍ରବେଶ କରିଥିଲା। ନଭେମ୍ବର ୫ ତାରିଖରେ ସୃଷ୍ଟି ହୋଇଥିଲା ବାତ୍ୟା ବୁଲବୁଲ। ନଭେମ୍ବର ୮ ତାରିଖରେ ବାତ୍ୟାର ତୀବ୍ରତା ଅଧିକ ଥିଲା । ପବନର ବେଗ ଥିଲା ୧୪୦ କିଲୋମିଟର ପ୍ରତି ଘଣ୍ଟା । ନଭେମ୍ୱର ୯ ତାରିଖରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିଥିଲା ବୁଲବୁଲ। ଓଡ଼ିଶାରେ ପ୍ରଭାବିତ ହୋଇଥିଲା ବାଲେଶ୍ୱର ଜିଲ୍ଲା । ଓଡ଼ିଶାରେ ୨ ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ ପ୍ରଭାବିତ ହୋଇଥିଲା। ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୋଟ ମୃତ୍ୟୁ ସଂଖ୍ୟା ଥିଲା ୪୧ ।

୨୦୨୦ର ଅମ୍ଫାନ:

ଭାରତର ଅନ୍ୟତମ ଭୀଷଣ ବାତ୍ୟା ଭିତରୁ ଅନ୍ୟତମ, ୨୦୨୦ର ଅମ୍ଫାନ। ଏହି ଖରା ଦିନିଆ ବାତ୍ୟା ଓଡ଼ିଶା ପାଖ ଦେଇ ପଶ୍ଚିମବଙ୍ଗରେ ମାଡ଼ ହୋଇଥିଲା । ବାତ୍ୟାର ତୀବ୍ରତା ଥିଲା ୨୩୦ କିଲୋମିଟର ପ୍ରତି ଘଣ୍ଟା । ଏହି ବାତ୍ୟାରେ ମୃତ୍ୟୁ ସଂଖ୍ୟା ଥିଲା ୭୨ ।  ୨୦୨୦ ମେ ମାସର ୨୦ ତାରିଖରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା। ମହାବାତ୍ୟାରୁ ଟିକେ କମି ଯାଇଥିଲେ ମଧ୍ୟ ଅମ୍ଫାନ୍ ତାଣ୍ଡବ ରଚିଥିଲା ପଶ୍ଚିମବଙ୍ଗରେ । ଓଡ଼ିଶାରେ ଅଳ୍ପ କେତେକ ଜିଲ୍ଲାରେ ପ୍ରଳୟ ରଚିବା ପରେ ପଶ୍ଚିମବଙ୍ଗ ମୁହାଁ ହୋଇଥିଲା ।  ତେବେ ସତ କହିବାକୁ ଗଲେ, ୧୯୯୯ରୁ ୨୦୨୪, ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଅନେକ ମହାବାତ୍ୟା, ବାତ୍ୟାକୁ ସାମନା କରିଛି । ପୁଣି ଛାତିକୁ ଟାଣ କରି ଛିଡ଼ା ହୋଇଛି ।

You might also like