ଦୁନିଆରେ ଏମିତି ଅନେକ ଜଙ୍ଗଲ ରହିଛି, ଯାହାକି ଦେଖିବାକୁ ଖୁବ୍ ସୁନ୍ଦର ଏବଂ ରହସ୍ୟମୟ ମଧ୍ୟ। ଏଭଳି ଏକ ଜଙ୍ଗଲ ରହିଛି ଦକ୍ଷିଣ ଆମେରିକାର ବ୍ରାଜିଲ ସହରରେ, ଯାହାକୁ କୁହାଯାଉଛି ଦୁନିଆର ସବୁଠାରୁ ବଡ଼ ଜଙ୍ଗଲ(ବର୍ଷା ବନ)। ତେବେ ଏହି ଜଙ୍ଗଲ ଗତ ୨ ସପ୍ତାହ ହେବ ହୁତୁହୁତୁ ହୋଇ ଜଳୁଛି। ନିଆଁ ଏଭଳି ଭୟଙ୍କର ଭାବେ ଲାଗିଛି ଯେ, ଯାହା ଲିଭିବାକୁ ନାଁ ନେଉନାହିଁ।
ଟୁଇଟରରେ ଏବେ #PrayforAmazonas ଖୁବ୍ ଟ୍ରେଣ୍ଡ କରୁଛି। ଲୋକେ ଏହା ଜରିଆରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ବ୍ରାଜିଲ ସରକାର ଏବଂ ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକୁ ଅପିଲ କରୁଛନ୍ତି। ସାରା ବିଶ୍ୱର ଲୋକେ ସୋସିଆଲ ମିଡିଆରେ ଜଙ୍ଗଲରେ ଲାଗିଥିବା ନିଆଁର ଫଟୋ ଏବଂ ଭିଡିଓ ସେୟାର କରିବାରେ ଲାଗିଛନ୍ତି।
ଏହି ଜଙ୍ଗଲର ନାମ ହେଉଛି ‘ଆମାଜନ’, ଯାହାକୁ ‘ପୃଥିବୀର ଫୁସଫୁସ’ ବୋଲି କୁହାଯାଏ। ଆପଣ ଜାଣି ଚକିତ ହେବେ ଯେ ପୃଥିବୀର ମୋଟ ଅକ୍ସିଜେନର ୨୦ ପ୍ରତିଶତ ଭାଗ ଏହି ଜଙ୍ଗଲରୁ ହିଁ ମିଳିଥାଏ। ଏଠାରେ ଚଉଡ଼ା ପତ୍ର ଏବଂ ଓଦାଯୁକ୍ତ ବୃକ୍ଷ ରହିଛି, ଯାହାକି ୭୦ ଲକ୍ଷ ବର୍ଗ କିଲୋମିଟର ଅର୍ଥାତ୍ ୧.୭ ବିଲିୟନ ଏକର ଯାଏ ପରିବ୍ୟାପ୍ତ। ଜଙ୍ଗଲ ଏତେ ବିଶାଳ ଯେ ଏହା ଏକାକୀ ୯ ଦେଶର ସୀମାକୁ ଛୁଉଁଛି। ଏଠାରେ ଦିନରେ ଅନ୍ଧାରମୟ ରହିଥାଏ। କାରଣ, ଏହି ଜଙ୍ଗଲ ଦେଖିବାକୁ ବହୁତ ଭୟାନକ ଲାଗିଥାଏ। କୁହାଯାଏ କି, ଯଦି କେହି ଫସିଯାଏ, ତା’ହେଲେ ଫେରିବା ହୁଏତ ସମ୍ଭବ ହୋଇ ନ ଥାଏ।
ଆମାଜନ ଜଙ୍ଗଲରେ ୧୬ ହଜାରରୁ ଅଧିକ ପ୍ରଜାତିର ବୃକ୍ଷଲତା ଦେଖିବାକୁ ମିଳେ। ପାଖାପାଖି ୩୯ ହଜାର କୋଟି ବୃକ୍ଷ ଏଠାରେ ରହିଛି। କେବଳ ଏତିକି ନୁହେଁ, ୨୫ ଲକ୍ଷରୁ ଅଧିକ ପ୍ରଜାତିର କୀଟ ମଧ୍ୟ ରହିଛନ୍ତି। ଅନେକ ରହସ୍ୟମୟ ଏବଂ ଭୟଙ୍କର ଜୀବଜନ୍ତୁ ଏହି ଜଙ୍ଗଲରେ ରାଜ କରିଥାଆନ୍ତି, ଯେଉଁମାନେ କ୍ଷଣକ ମଧ୍ୟରେ କାହାକୁ ବି ମାରିଦେଇପାରନ୍ତି।
ଏହାସହ ପଢ଼ନ୍ତୁ: ଇଞ୍ଜିନିୟରମାନେ ପ୍ରସ୍ତୁତ କଲେ ‘ରୋବୋଟିକ୍ ଟ୍ରି’, ୨,୮୯୦ ଲୋକଙ୍କ ପାଇଁ ତିଆରି କରୁଛି ବିଶୁଦ୍ଧ ବାୟୁ
ଏଠାକାର ନଦୀରେ ଆନାକୋଣ୍ଡାଠାରୁ ଆରମ୍ଭ କରି ପିରାହ୍ନା ଏବଂ ବିଜୁଳି ବାହାର କରୁଥିବା ମାଛ ପଯ୍ୟର୍ନ୍ତ, ସବୁ ପ୍ରକାର ସରୀସୃପ ଦେଖାଯାଆନ୍ତି। ଏହାଛଡ଼ା ପିଚାଶ ବାଦୁଡ଼ି ମଧ୍ୟ ରହିଛନ୍ତି, ଯାହାକି ଭୟାନକ ରୋଗ ସୃଷ୍ଟି କରିଥାଆନ୍ତି। କୁହାଯାଏ କି, ପୃଥିବୀରେ ଆମାଜନ ଜଙ୍ଗଲର ଅସ୍ତିତ୍ୱ ପାଖାପାଖି ୫୫୦ ଲକ୍ଷ ବର୍ଷରୁ ରହିଆସିଛି। ଦୁନିଆର ୧୦ ପ୍ରତିଶତରୁ ଅଧିକ ପ୍ରଜାତିର ଜୀବଜନ୍ତୁ ଏବଂ ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ହେଉଛି ଏହି ଆମାଜନ ଜଙ୍ଗଲ। ସବୁଠାରୁ ଚକିତ କଲା ଭଳି କଥା ହେଉଛି, ଏଠାରେ କେବଳ ଜୀବଜନ୍ତୁ ନୁହଁନ୍ତି, ବରଂ ୫୦୦ରୁ ଅଧିକ ଆଦିବାସୀ ଜାତି ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଆଦିବାସୀ ବାହାର ଦୁନିଆ ସମ୍ପର୍କରେ ପୂରାପୂରି ଅଜ୍ଞ।