ଦୀର୍ଘ ୪୭ ବର୍ଷ ପରେ ମହିଳା ଫେରିପାଇଲେ ପ୍ରେମିକଙ୍କ ସନ୍ତକ
ଛୋଟ ହେଉ ବା ବଡ କୌଣସି ଜିନିଷ ହଜିଗଲେ ମନ ବଡ ଅସ୍ତବ୍ୟସ୍ତ ହୁଏ । ଯେଉଁ ପର୍ଯ୍ୟନ୍ତ ନମିଳେ ଶାନ୍ତିରେ ଟିକେ ନିଶ୍ବାସ ବି ନେଇ ହୁଏନି । ଆମେ ନିଜ ପ୍ରାଣ ପଣେ ସେହି ଜିନିଷଟିକୁ ଖୋଜିବାରେ ଲାଗି ପଡୁ । ଏଭିତରେ ଯଦି ହଜିଯାଇଥିବା ଜିନିଷଟି ଆମକୁ ମିଳିଯାଏ ତାର ଖୁସି କହିଲେ ନ ସରେ । ଠିକ ଏମିତି ହିଁ ଏକ ଘଟଣା ଆମେରିକାର ଜଣେ ମହିଳାଙ୍କ ସହ ଘଟିଛି । ମହିଳା ଜଣଙ୍କ ହଜିଯାଇଥିବା ଏକ ମୁଦିଟିକୁ ପ୍ରାୟ ୪୭ ବର୍ଷ ପରେ ଫିନଲ୍ୟାଣ୍ଡର ଏକ ଜଙ୍ଗଲରୁ ଫେରି ପାଇଛନ୍ତି । କିନ୍ତୁ ମୁଦି ହଜିବା ଓ ଖୋଜି ପାଇବା ଭିତରର ଘଟଣା ଖୁବ ରୋଚକପୂର୍ଣ୍ଣ । ପ୍ରକୃତରେ ଆମେରିକାର ବ୍ରାସବିକ ଅଞ୍ଚଳର ବାସିନ୍ଦା ଡେବ୍ରୋ ମେକକେନାଙ୍କ ଏକ ମୁଦି ୧୯୭୩ ମସିହାରେ ହିଁ ହଜିଯାଇଥିଲା ।
ଡେବ୍ରୋଙ୍କ ଅନୁଯାୟୀ ଏହି ମୁଦିଟି ତାଙ୍କ ପତି ଶାନଙ୍କର ହିଁ ଥିଲା । କଲେଜ ସମୟରେ ପ୍ରେମିକ ଶାନ ଏହି ମୁଦି ଟିକୁ ଡେବ୍ରୋଙ୍କୁ ଉପହାର ଭାବେ କରିଥିଲେ । କିନ୍ତୁ କୌଣସି କାରଣ ବଶତଃ ଏହା ହଜିଯାଇଥିଲା । ବହୁ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ମୁଦିଟି ଆଉ ମିଳିନଥିଲା । କିନ୍ତୁ ନିକଟରେ ଫିନଲ୍ୟାଣ୍ଡର ଦକ୍ଷିଣ ପଶ୍ଚିମ କ୍ଷେତ୍ରରେ ସ୍ଥିତ କରିନା ପାର୍କରେ କାମ ଚାଲୁଥିବା ସମୟରେ ଶ୍ରମିକ ମାନଙ୍କୁ ୨୦ ସେଣ୍ଟିମିଟର ମାଟି ତଳୁ ମୁଦିଟି ମିଳିଥିଲା । ଆଙ୍ଗୁଠିଟି ପାଇ ସୁପରଭାଇଜର ମାର୍କ ସରିନେନ ଖୁବ ଖୁସି ହୋଇଯାଇଥିଲେ । ଏହି ମୁଦିଟି ଉପରେ ‘ସ୍କୁଲ ଅଫ ମୋର୍ସ ୧୯୭୩’ ଲେଖା ଯାଇଥିଲା । ଏହାକୁ ହିଁ ଆଧାର କରି ମାର୍କ, ସେହି ସ୍କୁଲର ଆଲୁମୁନି ଆସୋସିଏସନ ସହିତ ସମ୍ପର୍କ କରିଥିଲେ ।
ଅନେକ ଖୋଳତାଡ଼ରୁ ଜଣାପଡିଥିଲା କି ଏହା ହେଉଛି ଶାନଙ୍କ ହଜିଯାଇଥିଲା ସେହି ମୁଦି । ପରେ ଯୋଗାଯୋଗ କରାଯାଇ ଶାନଙ୍କୁ ମୁଦିଟି ଫେରେଇ ଦିଆଯାଇଥିଲା । ଦୀର୍ଘ ୪୭ ବର୍ଷ ପରେ ମୁଦିଟିକୁ ଫେରି ପାଇ ଶାନଙ୍କ ପତ୍ନୀ ଡେବ୍ରୋ ବି ଖୁବ ଖୁସି ହୋଇଯାଇଥିଲେ । ପାଇବାର ସମସ୍ତ ଆଶା ହରାଇଥିବା ବେଳେ ମୁଦି ଟିକୁ ପୁଣି ଥରେ ଫେରି ପାଇଥିବାରୁ ସେ ଏବେ ଖୁବ ଖୁସି ଥିବା କଥା ଡେବ୍ରୋ ନିଜ ପ୍ରତିକ୍ରିୟାରେ କହିଛନ୍ତି ।