ଅଟୋ ଚାଳକଙ୍କ ପୁଅ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଆଜି ଚର୍ଚ୍ଚାରେ

ପୁରୀ: ବାପା ପୂର୍ବରୁ ସମ୍ବାଦପତ୍ର ହକର କାର୍ଯ୍ୟ କରୁଥିଲେ । ଏବେ ଅଟୋ ଚଲାଉଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ଯେଉଁ ସ୍କୁଲର ଗାଡ଼ି ଚଳାଉଛନ୍ତି ସେହି ସ୍କୁଲରେ ଅଧ୍ୟୟନ କରୁଥିବା ତାଙ୍କ ପୁଅ ଆଜି ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଭବିଷ୍ୟତରେ ଆଇଏଏସ ହେବାର ଲକ୍ଷ୍ୟ ରଖିଛନ୍ତି ପୁଅ ।

ଇଏ ହେଉଛନ୍ତି ସ୍ଵୟଂ ପ୍ରକାଶ ସାହୁ । ସମ୍ବାଦପତ୍ର ହକର କାର୍ଯ୍ୟ କରି ଏବେ ଅଟୋ ଚଳାଉଥିବା ପୁରୀ ମଙ୍ଗଳାଘାଟ ଅଞ୍ଚଳର ସୋମନାଥ ସାହୁ ଓ ଝିଲିରାଣୀ ସାହୁଙ୍କ ବଡ ପୁଅ ହେଉଛନ୍ତି ସ୍ଵୟଂ । ଘୋଡ଼ାବଜାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପଢୁଥିବା ସ୍ଵୟଂ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୭.୨ ପ୍ରତିଶତ ସହ ସର୍ବାଧିକ ୫୮୩ ନମ୍ବର ରଖି ନିଜ ବାପା, ମା ଓ ସ୍କୁଲର ଗୌରବ ବୃଦ୍ଧି କରିଛନ୍ତି । ସେ ଦୈନିକ ୬ ରୁ ୭ ଘଣ୍ଟା ପରିଶ୍ରମ କରୁଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ବାପା-ମାଆଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମାଆଙ୍କ ସହଯୋଗ ପାଇଁ ଆଜି ସେ ଏହି ସଫଳତା ପାଇଛନ୍ତି ।

କେବଳ ସ୍ଵୟଂ ନୁହନ୍ତି ପୁରୀ ଜିଲ୍ଲାର ୧୪୨ ଜଣ A1 ମଧ୍ୟରୁ କେବଳ ଘୋଡ଼ାବଜାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୧ ଜଣ A 1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଛି । ଏଥିପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମାଙ୍କ ମଧ୍ୟରେ ହସ ଖେଳି ଯାଇଛି । ବିଦ୍ୟାଳୟରୁ ମୋଟ ୧୩୬ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୧ ଜଣ ୯୦ ପ୍ରତିଶତରୁ ଅଧିକ,୩୫ ଜଣ ୮୦ ପ୍ରତିଶତରୁ ଅଧିକ,୨୯ ଜଣ ୬୦ ପ୍ରତିଶତରୁ ଅଧିକ,୧୭ ଜଣ ୫୦ ପ୍ରତିଶତରୁ ଅଧିକ ଓ ୬ ଜଣ ୪୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

କେବଳ ଘୋଡ଼ାବଜାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୁହେଁ ସମାନ୍ତରାଳ ଭାବେ ମଧୁବନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ମଧ୍ୟ ୧୧ ଜଣ ଛାତ୍ରଛାତ୍ରୀ A1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛନ୍ତି ଅଧିକାଂଶ ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପିଲା ପଢୁଥିବା ସରକାରୀ ଭୋଳାନାଥ ବିଦ୍ୟାପୀଠର ଜଣେ ଛାତ୍ରୀ ଅମ୍ରିତା ଭଟ୍ଟାଚାର୍ଯ୍ୟ ଚଳିତ ବର୍ଷ A1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ମୋଟ ୫୪୦ ନମ୍ବର ରଖିଛନ୍ତି।ତାଙ୍କ ପାଇଁ ସ୍କୁଲରେ ଖୁସି କହିଲେ ନ ସରେ।ଆଜି ସ୍କୁଲର ଶିକ୍ଷକ ,ଶିକ୍ଷୟତ୍ରୀଙ୍କ ସହ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଅମ୍ରିତାଙ୍କୁ ମିଠା ଖୁଆଇ ଖୁସି ମନାଇଛନ୍ତି ।

ଏ ବର୍ଷ ସ୍କୁଲରେ ୧୮୦ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେ ମଧ୍ୟରୁ ୧୭୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଗୋଟିଏ ପଟେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତ ଅନ୍ୟ ପଟେ ସରକାରୀ ସ୍କୁଲ । ଉଭୟ ସ୍କୁଲ ନିଜ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ଆଗାମୀ ବର୍ଷ ସରକାରୀ ସ୍କୁଲ ଭୋଳାନାଥ ବିଦ୍ୟାପୀଠରୁ ଅନ୍ୟୁନ୍ୟ ୨୦ ଜଣ A 1 ରେ ଉତ୍ତୀର୍ଣ୍ଣ ହେବା ପାଇଁ ଏବେ ଠାରୁ ଯୋଜନା କରାଯାଉଛି ।

ଆହୁରି ପଢନ୍ତୁ: ମାଟ୍ରିକ ପରୀକ୍ଷାରେ କଲରାବାଙ୍କ ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ