ମାତ୍ର ୩ ହଜାର ଟଙ୍କା ଖର୍ଚ୍ଚରେ କିଛି ପୁରୁଣା ସରଞ୍ଜାମ ମିଶାଇ ଇନକ୍ୟୁବେଟ୍ ମେସିନ୍ ତିଆରି କରିଛନ୍ତି ଏହି ଆଦିବାସୀ ଯୁବକ
ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ନାନୀକାବାହାଳି ଗାଁ । ଏହି ଗାଁର ଆଦିବାସୀ ଯୁବକ ଦର୍ଶନ ମୁଣ୍ଡା । ଯିଏ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି ଏକ ଦେଶୀ ଇନକ୍ୟୁବେଟର୍ ମେସିନ୍ ।
ଆନନ୍ଦପୁର(କେନ୍ୟୁଜ୍): ମଣିଷ ନିଜର ଅଦମ୍ୟ ଚେଷ୍ଟା ବଳରେ କିଛି ବି କରିପାରେ । ଅସମ୍ଭବକୁ ସମ୍ଭବ କରିବାରେ ସକ୍ଷମ ହୋଇପାରେ। ଏପରି କିଛି ଇଚ୍ଛାକୁ ସଫଳ କରି ଦେଖାଇଛନ୍ତି ଜଣେ ଆଦିବାସୀ ଯୁବକ । ଆଦିବାସୀ ଯୁବକଙ୍କର ନିଆରା ପ୍ରୟାସ ଆଜି ତାଙ୍କୁ ଲୋକଲୋଚନକୁ ଆଣିଛି । ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି ଦେଶୀ ଇନକ୍ୟୁବେଟର୍ ମେସିନ୍ । ତେବେ ଏହି ଆଦିବାସୀ ଯୁବକ ଜଣକ ଆଗକୁ ଜଣେ ଶିଳ୍ପଦ୍ୟୋଗୀ ହେବାର ଆଶା ରଖିଛନ୍ତି ।
ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ନାନୀକାବାହାଳି ଗାଁ । ଗାଁର ଦର୍ଶନ ମୁଣ୍ଡା ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି ଏକ ଦେଶୀ ଇନକ୍ୟୁବେଟର୍ ମେସିନ୍ । ସୋଲରେ ତିଆରି ଏହି ଇନକ୍ୟୁବେଟର୍ ମେସିନ୍ ର ତଳେ ରହିଛି ପାଣି । ଉପରେ ଅଛି ଅଣ୍ଡା ରଖିବା ପାଇଁ ଟ୍ରେ । ଭିତର ତାପମାତ୍ରାକୁ ସୁପରିଚାଳିତ କରିବା ପାଇଁ ଖଞ୍ଜା ଯାଇଛି ସ୍ବୟଂଚାଳିତ କଣ୍ଟ୍ରୋଲର୍ । ୨ଟି ଇଲେକ୍ଟ୍ରିକ୍ ବଲ୍ବ ଦ୍ବାରା ଅଣ୍ଡାକୁ ଉପଯୁକ୍ତ ତାପମାତ୍ରା ମିଳୁଥିବା ବେଳେ, ୨୧ଦିନ ପରେ ଅଣ୍ଡାରୁ ଚିଆଁ ବାହାରିଥାନ୍ତି । ଏହାପରେ ମା ନଥିବା ଚିଆଁମାନଙ୍କୁ ଅନ୍ୟ ୨ଟି ମେସିନ୍ ରେ ବଢିବା ପାଇଁ ମିଳେ ପରିବେଶ । ସେଠାରେ ଉପଯୁକ୍ତ ତାପମାତ୍ରା ସହିତ ସେ ଚିଆଁମାନଙ୍କୁ ଖାଦ୍ୟ ଯୋଗାଇଥାନ୍ତି ।
କଳାରେ ଡିଗ୍ରୀ ପାସ୍ କରିଥିବା ଦର୍ଶନ କାହା ଅଧିନ ରେ ଚାକିରୀ ନକରି ନିଜସ୍ୱ ଜ୍ଞାନ କୌଶଳ ରେ କିଛି ନିଆରା କରିବାକୁ ପ୍ରୟାସ କରିଥିଲେ | ସେ ସୋସିଆଲ୍ ମିଡିଆ ମାଧ୍ୟମରେ କୁକୁଡା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲେ । ମାତ୍ର ୩ ହଜାର ଟଙ୍କା ଖର୍ଚ୍ଚ କରିବା ସହିତ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି, କିଛି ପୁରୁଣା ସରଞ୍ଜାମ ମିଶାଇ ସେ ତିଆରି କରିଛନ୍ତି ଏହି ଇନକ୍ୟୁବେଟ୍ ମେସିନ୍ । ଏହି ପ୍ରଣାଳୀରେ ଅଧିକ କୁକୁଡା ଚିଆଁ ଉତ୍ପାଦନ କରି ଆଗକୁ ସେ ଜଣେ ସଫଳ କୁକୁଡା ଚାଷୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଦର୍ଶନଙ୍କର ଏଭଳି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ମିଳିଛି ପ୍ରଶଂସା । ବର୍ତ୍ତମାନ ଯୁବପିଢ଼ି ଯେଭଳି ବେକାରୀ ସମସ୍ୟା ରେ ଯୁଝି ହେଉଛନ୍ତି ସେହିଭଳି ପରିସ୍ଥିତିରେ ଜଣେ ଗାଉଁଲି ଗରିବ ଆଦିବାସୀ ଯୁବକ ଙ୍କ ନିଆରା ପ୍ରୟାସ ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ।